ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ପ୍ରତିକ୍ରିୟା, ପରୋକ୍ଷରେ ଦେଲେ ଏଭଳି ସଂକେତ

365

କନକ ବ୍ୟୁରୋ : ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଓଡିଶାର ଦ୍ରୌପଦୀ ମୁର୍ମୁର୍ଙ୍କ ନାମ ଘୋଷଣା କରିଛି । ଏହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ସେ ତାଙ୍କ ପ୍ରତିକ୍ରିୟାରେ ପରୋକ୍ଷ ଭାବେ ଏନଡିଏ ପ୍ରାର୍ଥୀଙ୍କୁ ଦଳ ସମର୍ଥନ କରୁଥିବା ସଂକେତ ଦେଇଛନ୍ତି ।

ସେ କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ଏବେ ବିଦେଶ ଗସ୍ତରେ ଅଛନ୍ତି । କିନ୍ତୁ ଟ୍ୱିଟରେ ସେ କହିଛନ୍ତି, ଏହା ଓଡିଶା ପାଇଁ ଗର୍ବ । ପ୍ରଧାନମନ୍ତ୍ରୀ ତାଙ୍କ ସହ ଏ ବିଷୟରେ ପୂର୍ବରୁ ମଧ୍ୟ ଆଲୋଚନା କରିଥିଲେ । ସେଥିଲାଗି ସେ ଖୁସି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ ଯାହା ସନ୍ଦେଶ ଦେଉଛି, ଆପଣମାନେ ଯାହା ଆକଳନ କରୁଛନ୍ତି, ତାହା ସତ । ଆପଣମାନଙ୍କ ଆକଳନରେ କିଛି ଭୁଲ ନାହିଁ ।

ସେପଟେ ଜାତୀୟ ରାଜନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୂମିକା ସବୁକ୍ଷେତ୍ରରେ ରହିଥିବା କଥା ଅମର ପଟ୍ଟନାୟକ କହିଛନ୍ତି । ସେ କହିଛନ୍ତି କି, ଯେକୌଣସି ପ୍ରମୁଖ ବିଲରେ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନକୁ ବିଜେପି ସବୁବେଳେ ଚାହୁଁଛି । ଏଥର ବି ସମର୍ଥନ ଲୋଡ଼ିଛି । ଆମର ରାଜ୍ୟର ଆଦିବାସୀଙ୍କର କିଭଳି ଉନ୍ନତି ହୋଇପାରିବ, ସେ ବିଷୟରେ ମୁଖ୍ୟମନ୍ତ୍ରୀ ସର୍ବଦା କହି ଆସୁଛନ୍ତି ଓ ଲେଖି ଆସୁଛନ୍ତି ବୋଲି ସେ କହିଛନ୍ତି । ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ନେଇ ଯେଉଁଭଳି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ, ଏଥିରୁ ଜାତୀୟ ସ୍ତରରେ ନବୀନ ପଟ୍ଟନାୟକଙ୍କର କିଭଳି ପ୍ରଭାବ ରହୁଛି, ତାହା ଅନୁମେୟ । ନବୀନ ସବୁବେଳେ କୁହନ୍ତି, ମହିଳାମାନେ ବିକାଶର ଡବଲ ଇଞ୍ଜିନ । ତେଣୁ ମହିଳା ପ୍ରାର୍ଥୀ ଚୟନ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ଥାଇପାରେ ବୋଲି ଆକଳନ କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ