ଜୟପୁର ପିଡିଏସରେ ହିତାଧିକାରୀଙ୍କୁ ପ୍ଲାଷ୍ଟିକ ଯୋଗାଣ ଅଭିଯୋଗ, ମିଲର୍ସଙ୍କ ପାଇଁ ବଢିଲା ଅଡୁଆ । ତଦନ୍ତ ପରେ ରିପୋର୍ଟ ଦେଇଛି ଜିଲ୍ଲା ଯୋଗାଣ ବିଭାଗ

184

କନକ ବ୍ୟୁରୋ: କୋରାପୁଟ ଜିଲ୍ଳାରେ ପ୍ଳାଷ୍ଟିକ ଚାଉଳକୁ ନେଇ ହେଉଥିବା ଗୁଜବ ଓ ଅଭିଯୋଗରେ ପଡ଼ିବ ପୁର୍ଣ୍ଣଛେଦ । ପ୍ଳାଷ୍ଟିକ ଚାଉଳକୁ ନେଇ ହେଉଥିବା ଅଭିଯୋଗ ସଂପର୍କୀତ ଖବର ଉପରେ ଅନୁଧ୍ୟାନ କରି ରିପୋର୍ଟ ଦେଇଛି ଜିଲ୍ଲା ଯୋଗାଣ ବିଭାଗ । ଯେଉଁ ପ୍ଲାଷ୍ଟିକ ଚାଉଳକୁ ନେଇ ଗୁଜବ ଚାଲିଛି ତାହା ମିଶ୍ରଣ ଚାଉଳ । ଦେହ ପାଇଁ କୌଣସି କ୍ଷତିକାରକ ନୁହେଁ । ଏଥିରେ ଭୟ ଭିତ ହେବାର ନାହିଁ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।

କୋରାପୁଟ ଜିଲ୍ଲାରେ ଗରିବ ହିତାଧିକାରୀଙ୍କୁ ଦିଆଯାଉଥିବା ଚାଉଲରେ ପ୍ଳାଷ୍ଟିକ ଚାଉଳ ମିଶୁଥିବା ଅଭିଯୋଗ ହେଉଛି । ଗୋଟିଏ କି ଦୁଇଟି ଗାଁ ନୁହେଁ ପୁରା ଜିଲ୍ଳାରୁ ଏଭଳି ଅଭିଯୋଗ ଆସୁଛି । କିଏ ହାତରେ ଧରି ଚାଉଳ ଦେଖାଉଛି ତ କିଏ ଘରକୁ ଡ଼ାକିନେଇ ଦେଖାଉଛି । କୋଟପାଡ଼, ବୈପାରିଗୁଡ଼ା ଓ ଜୟପୁର ବ୍ଳକର ଅନେକ ହିତାଧିକାରୀ ଅଭିଯୋଗ କରି କହିଛନ୍ତି, ଯଦି ସରକାର ଦେଉଛନ୍ତି, ଭଲ ଚାଉଳ ଦିଅନ୍ତୁ ନହେଲେ ନଦିଅନ୍ତୁ ।

ବାରମ୍ବାର ଅଭିଯୋଗ ଆସିବା ପରେ ଜିଲ୍ଳା ଯୋଗାଣ ବିଭାଗ ଏହାର ତଦନ୍ତ ଚଳାଇଛି । ମିଲରସଙ୍କ ଚାଉଳ ଉଠାଣ ବନ୍ଦ କରିଦିଆଯାଇଛି । ବିଭିନ୍ନ ସ୍ଥାନରୁ ଚାଉଳ ସଂଗ୍ରହ କରି ପରୀକ୍ଷା କରିବା ପରେ ଜିଲ୍ଲା ଯୋଗାଣ ବିଭାଗ କହିଛି, ଲୋକ ଅଭିଯୋଗ କରୁଥିବା ଚାଉଳ ପ୍ଳାଷ୍ଟିକ ନୁହେଁ ତାହା ମିଶ୍ରଣ ଚାଉଳ । ପ୍ଳାଷ୍ଟିକ ଚାଉଳ କଥା ମିଥ୍ୟା, ଏଥିରେ ଭୟଭିତ ନହେବାକୁ ହିତାଧିକାରୀଙ୍କୁ ପରାମର୍ଶ ଦେଇଛି ଯୋଗାଣ ବିଭାଗ ।

ଏବେ ଚାଉଳ ଉଠାଣ ବନ୍ଦ ଥିବାରୁ ଯୋଗାଣ ବିଭାଗ ସହ କରିଥିବା ଚୁକ୍ତି ଅନୁସାରେ ଚାଉଳ ଯୋଗାଇପାରୁ ନାହାନ୍ତି ମିଲର । ଠିକ ସମୟରେ ଚାଉଳ ନଯୋଗାଇଲେ ନୂଆ ଚୁକ୍ତିନାମା ହୋଇ ପାରିବନାହିଁ । ଚାଉଳ ମିଶ୍ରଣ ଘଟଣାରେ ମିଲରର୍ସଙ୍କର କୌଣସି ଭୂମିକା ନାହିଁ, କି ସେମାନେ ଚାଉଳ ଅପମିଶ୍ରଣ କରୁନାହାନ୍ତି ବୋଲି କହିଛନ୍ତି । ଯୋଗାଣ ବିଭାଗର ତଦନ୍ତ ପରେ ଲୋକଙ୍କ ଦ୍ୱାରା ହେଉଥିବା ଗୁଜବରେ ପୁର୍ଣ୍ଣଛେଦ ପଡ଼ିବ ବୋଲି ଆଶା କରାଯାଉଛି ।