ଜାତୀୟ ରାଜନୀତିରେ ବଢୁଛି ଦିଦିଙ୍କ ଦବଦବା, ତାମିଲନାଡୁ ପରେ କେରଳରେ ମମତାଙ୍କ ପୋଷ୍ଟର

144

କନକ ବ୍ୟୁରୋ : ତାମିଲନାଡୁ ପରେ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୋଷ୍ଟର ଏବେ ବାମଦଳ ଶାସିତ କେରଳରେ ଦେଖିବାକୁ ମିଳିଛି । ସବୁଠାରୁ ବଡକଥା ଏହି ପୋଷ୍ଟରେ ଲେଖାଯାଇଥିବା ଶ୍ଲୋଗାନ । ପୋଷ୍ଟରରେ ଲେଖା ଯାଇଛି କି ‘ଦିଦିଙ୍କୁ ଜିତାଅ ଓ ଦେଶକୁ ବଞ୍ଚାଅ’ । କହିରଖୁ କି ୭୦ ବର୍ଷ ତଳେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱଗତଃ ଇନ୍ଦୀରା ଗାନ୍ଧୀଙ୍କ ନାମରେ ଏଭଳି ପୋଷ୍ଟର ଲଗାଯାଇଥିଲା । ଏପଟେ ବାମଦଳ ଶାସିତ ରାଜ୍ୟରେ ଦିଦିଙ୍କ ପୋଷ୍ଟର ଲାଗିବା ପରେ କ୍ଷମତା ଯୁଦ୍ଧର ନୂଆ ଅଧ୍ୟାୟ ଆରମ୍ଭ ହେଉଥିବା ଅନୁମାନ କରାଯାଉଛି    । କାରଣ ମମତା ହେଉଛନ୍ତି ବାମପନ୍ଥୀ ବିଚାରଧାରର ବଡ ବିରୋଧୀ ।

ସେପଟେ ଯଦି ରାଜନୈତିକ ସଂଗଠନକୁ ନଜର କରାଯାଏ ତେବେ ଦକ୍ଷିଣ ଭାରତରେ ଟିଏମସିର କୌଣସି ସଂଗଠନ ନାହିଁ କି ଦଳ କେବେ କୌଣସି ନିର୍ବାଚନରେ ପ୍ରାର୍ଥୀ ଦେଇ ନାହିଁ । ହେଲେ ଦକ୍ଷିଣ ଭାରତର ଏବେ ମମତାଙ୍କ ଏଭଳି ପୋଷ୍ଟର ଲାଗିବା ମମତାଙ୍କ ବଢୁଥିବା ଲୋକପ୍ରିୟତାକୁ ପ୍ରମାଣ କରୁଛି ।

ଅନ୍ୟପଟେ ଏଭଳି ପୋଷ୍ଟର ଲାଗିବାକୁ ନେଇ ଦଳ ପକ୍ଷରୁ କୁହାଯାଇଛି କି ବିଜେପିକୁ ସାମ୍ନା କରିବା ପାଇଁ ପଶ୍ଚିମବଙ୍ଗର ନେତା ମମତା ବାନାର୍ଜୀଙ୍କୁ ରାଷ୍ଟ୍ରୀୟ ସ୍ତରରେ ଏକ ବିକଳ୍ପ ଭାବେ ଲୋକ ଭାବିବା ଆରମ୍ଭ କରିଛନ୍ତି । ଦଳର ରାଜ୍ୟସଭା ସାଂସଦ ଶୁଖେନ୍ଦୁ ଶେଖର ରାୟ କହିଛନ୍ତି କି, ବାସ୍ତବରେ ଦଳ ଏବେ ଜାତୀୟ ସ୍ତରରେ ନିଜର ସଂଗଠନ ବୃଦ୍ଧି କରିବାକୁ ଚାହୁଁଛି । ଏହାସହ ଏବେ ଦେଶରେ ମମତା ବାନାର୍ଜୀଙ୍କୁ ସାଧାରଣ ଲୋକ ଓ ଲୋକତାନ୍ତ୍ରିକ ସଂସ୍ଥାମାନଙ୍କର ରକ୍ଷକ ବୋଲି ଲୋକେ ବିଚାର କରିବା ଆରମ୍ଭ କରିଛନ୍ତି ।

ସେପଟେ ଏଭଳି ଖବରକୁ ନେଇ ବିଜେପି କହିଛି କି, ମମତାଙ୍କ ଏହି ସ୍ୱପ୍ନ କେବେ ପୂରଣ ହେବ ନାହିଁ । କାରଣ ଦେଶର ଲୋକେ ମମତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଗ୍ରହଣ କରିପାରିବେ ନାହିଁ । ଅନ୍ୟପଟେ ପଶ୍ଚିମବଙ୍ଗ ରାଜନୀତିରେ ୨୦୨୧ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ମମତାଙ୍କ ମୁଖ୍ୟ ବିରୋଧୀ ଥିବା ବାମଦଳ ଏବେ ତା’ର ରଣନୀତି ବଦଳାଇବାକୁ ଚେଷ୍ଟା କରିଛି । ସିପିଆଇ(ଏମ) ନେତାମାନେ ତାଙ୍କ ଭାଷଣରେ କହିବା ଆରମ୍ଭ କରିଛନ୍ତି କି ରାଷ୍ଟ୍ରୀୟ ସ୍ତରରେ କ୍ଷମତାକୁ ହଟାଇବାକୁ ସେମାନେ ମମତା ବାନାର୍ଜୀଙ୍କୁ ସମର୍ଥନ କରିପାରନ୍ତି । ଏବେ ଦେଖିବାକୁ ବାକି ରହିଲା କି ମମତା ବାନାର୍ଜୀ ଓ ତାଙ୍କ ଦଳ କିଭଳି ଏହାର ଲାଭ ଉଠାଉଛନ୍ତି ।