ମାଟ୍ରିକ ପରୀକ୍ଷା ଫଳ: ଉଦାହରଣ ସୃଷ୍ଟି କଲେ ଏହି ସବୁ ପରୀକ୍ଷାର୍ଥୀ

337

ଏକାଠି ପରୀକ୍ଷା ଦେଲେ, ପାସ କଲେ
ଉଦାହରଣ ସୃଷ୍ଟି କଲେ ମା’-ପୁଅ

କନକ ବ୍ୟୁରୋ: ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳାଫଳ । ପାସ୍ କରିଥିବା ବିଦ୍ୟାର୍ଥୀଙ୍କ ମଧ୍ୟରେ ଏମିତି କିଛି ବ୍ୟକ୍ତିତ୍ୱ ରହିଛନ୍ତି, ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍ ପୂଜାରୀପୁଟ ଗାଁର ତ୍ରିନାଥ ପାତ୍ରଙ୍କ ପତ୍ନୀ ଓ ପୁଅ ମାଟ୍ରିକ୍ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ଅର୍ଥାତ୍ ମା’ ଓ ପୁଅ ଏକାଠି ମାଟ୍ରିକ୍ ପାସ୍ କରିଛନ୍ତି । ପୁଅ ଆଲୋକନାଥ ପାତ୍ର ବି-୧ ଗ୍ରେଡରେ ପାସ କରିଥିବା ବେଳେ ମା ଜ୍ୟୋସ୍ନା ପାଢୀ ଇ-ଗ୍ରେଡରେ ପାସି କରିଛନ୍ତି । ଆଗକୁ ଉଭୟ ମାଆ ଓ ପୁଅ ଏକାଠି କଲେଜରେ ପାଠ ପଢିବେ ବୋଲି ଜଣାପଡିଛି ।

୯୦% ନମ୍ବର ରଖିଲେ ଥାଲାସେମିଆ ରୋଗୀ
ମହାକାଳପଡ଼ା ବାରଡାଙ୍ଗ ପଂଚାୟତର ନଭ୍ୟାନଭେଲି ସାହୁ ଜନ୍ମରୁ ଥାଲାସେମିଆ ରୋଗରେ ଆକ୍ରାନ୍ତ । ରୋଗ ସହ ସଂଘର୍ଷ କରୁଥିଲେ ବି ପାଠପଢ଼ା ଆଗ୍ରହ କେବେବି କମିନଥିଲା । ଏଥର ପରୀକ୍ଷାରେ ସେ ୫୫୨ ମାର୍କ ରଖି ୯୦ ପ୍ରତିଶତ ସହ ଉତୀର୍ଣ୍ଣ ହୋଇଛନ୍ତି । ତାଙ୍କର ଏହି ସଫଳତା ପରିବାର ଲୋକ ଓ ଶିକ୍ଷକଙ୍କ ମୁହଁରେ ହସ ଆଣି ଦେଇଛି । ମାଲାକନଗିରି କୁଡୁମୁଲୁଗୁମା ଗାଁର ବିଶ୍ୱଜିତ ସାହୁ ଉଭୟ ଶାରୀରିକ ଓ ମାନସିକ ଭାବେ ସେ ଦିବ୍ୟାଙ୍ଗ । ତେବେ ଭିନ୍ନକ୍ଷମ ହୋଇ ମଧ୍ୟ ସକ୍ଷମତାର ପରିଚୟ ଦେଇଛନ୍ତି ବିଶ୍ୱଜିତ । ନିଜେ ବିଦ୍ୟାଳୟକୁ ଯାଇ ପାରୁ ନ ଥିବାରୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ବିଶ୍ୱଜିତଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖି ଥିଲେ । ବିଶ୍ୱଜିତ ମାଟ୍ରିକ ପରୀକ୍ଷାରେ ଦ୍ୱିତୀୟ ଡିଭିଜନରେ ପାସ ହୋଇଛନ୍ତି ।

ଜିଲ୍ଲା ଟପ୍ପର ହେଲେ ଚାଷୀ ଘର ଝିଅ
ସେହିପରି କେନ୍ଦ୍ରାପଡା ଡେରାବିଶ ବ୍ଲକ ଗୋଲାର ହାଟ ଗାଁର ମୋନାଶ୍ରୀ ବିଶ୍ୱାଳ ମାଟ୍ରିକରେ ୯୭ ଦଶମିକ ୫୭ ପ୍ରତିଶତ ମାର୍କ ପାଇଛନ୍ତି । ଗରିବ ଘରର ଝିଅ ମୋନାଶ୍ରୀ ମାଟ୍ରିକ ପରୀକ୍ଷାରେ ମୋଟ ୬ ଶହରୁ ୫୮୫ ମାର୍କ ରଖିଛନ୍ତି । ବାପା ବିଚିତ୍ରାନନ୍ଦ ବିଶ୍ୱାଳ ଭାଗ ଚାଷୀ ହୋଇଥିବାରୁ ଝିଅ ମୋନାଶ୍ରୀଙ୍କ ଟ୍ୟୁସନ ପାଇଁ ଟଙ୍କା ଦେଇପାରୁନଥିଲେ । ଅଭାବ ଅନଟନ ଭିତରେ କଠିନ ପରିଶ୍ରମ କରି ସଫଳତା ପାଇଛନ୍ତି ।