ଗୋଟିଏ ଟେବୁଲରେ ବସେଇ ଅକ୍ଷୟ-ଶ୍ରଦ୍ଧାଞ୍ଜଳିଙ୍କୁ ଜେରା । ପୁରୁଣା ପୃଷ୍ଟାରୁ ଅର୍ଥ କାରବାରର ଖିଅ ଖୋଜୁଛି ଇଡି

161

କନକ ବ୍ୟୁରୋ: ଅର୍ଚ୍ଚନା ନାଗ ମାମଲାରେ ଚାଲିଛି ଇଡିର ଖୋଳତାଡ । ଆଜି ଦ୍ୱିତୀୟ ଦିନ ପାଇଁ ଇଡିରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ଖାଲି ଅକ୍ଷୟ ନୁହେଁ, ଇଡି ଅଫିସରେ ବି ହାଜର ହେଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ତାଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛନ୍ତି ଇଡି ଅଧିକାରୀ । ତେବେ ଆଜି ଅକ୍ଷୟ-ଶ୍ରଦ୍ଧାଞ୍ଜଳିଙ୍କୁ ଗୋଟିଏ ଟେବୁଲରେ ଜେରା କରାଯାଇଛି ।

ମାଷ୍ଟର ମାଇଣ୍ଡ ଅର୍ଚ୍ଚନା ନାଗ, ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଏବଂ ଲୁଚକାଳି ଖେଳ ଖେଳୁଥିବା ଶ୍ରଦ୍ଧାଞ୍ଜଳି ବେହେରା – ସୋସିଆଲ ମିଡ଼ିଆରୁ ଆରମ୍ଭ ହୋଇଥିବା ଏକ ସମ୍ପର୍କ, ସମୟକ୍ରମେ ଏଭଳି ରୂପରେ ସାମ୍ନାରେ ଆସିଛି, ଯେଉଁଠି ରହିଛି ସେକ୍ସର୍ଟସନ୍, ଏକ୍ସର୍ଟସନ୍ ଓ ଲକ୍ଷ ଲକ୍ଷ ଟଙ୍କାର କାରବାର । ଅକ୍ଷୟ ପରିଜାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଏବଂ ଭିଡିଓକୁ ନେଇ ବ୍ଲାକ୍ମେଲିଂ ଅଭିଯୋଗ ଭିତରେ ସାମ୍ନାକୁ ଆସିଥିଲା ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁ । ଆଉ ଗୋଟିଏ ଗୋଟିଏ ବିନ୍ଦୁ ଯୋଡ଼ି ହୋଇଥିବା ପରେ ପ୍ରଚ୍ଛଦପଟ୍ଟରେ ଥିଲେ ପୂରା ଘଟଣାକ୍ରମର ମାଷ୍ଟର ମାଇଣ୍ଡ ଅର୍ଚ୍ଚନା ନାଗ ।

  • ଘାଣ୍ଟୁଛି ପ୍ରବର୍ତ୍ତର୍ନ ନିର୍ଦ୍ଦେଶାଳୟ
  • ପୁରୁଣା ପୃଷ୍ଟାରୁ ଖୋଜୁଛି ଅର୍ଥ କାରବାରର ଖିଅ

ଆଜି ଇଡିରେ ଶ୍ରଦ୍ଧାଞ୍ଜଳି ହାଜର ହୋଇଥିବା ବେଳେ ସାମ୍ନାକୁ ଆସିଛି ତାଙ୍କର କିଛି ଭିଡିଓ । ଯାହା ପ୍ରମାଣ କରିଦେଉଛି, ଫିଲ୍ମ ଓ ମନୋରଞ୍ଜନ ଦୁନିଆ ପ୍ରତି ତାଙ୍କର କେତେ ବଡ଼ ଆକର୍ଷଣ ଥିଲା । ଆଉ ଏହି ଆକର୍ଷଣ, ଫିଲ୍ମ ପ୍ରଯୋଜକଙ୍କ ସହ ସମ୍ପର୍କ ସ୍ଥାପନ ପାଇଁ ହୁଏତ ଖୋରାକ ଯୋଗାଇ ଥିଲା । ପ୍ରାୟ ଗୋଟିଏ ସପ୍ତାହ ଯାଏଁ ଧରାଛୁଆଁ ଦେଉଥିବା ଶ୍ରଦ୍ଧାଞ୍ଜଳିଙ୍କୁ ଏବେ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛନ୍ତି ଇଡି ଅଧିକାରୀ । ଚକମା ଦେଇ ଲୁଚିଛପି ବୁଲୁଥିବା ଶ୍ରଦ୍ଧାଞ୍ଜଳି, ଇଡିରେ ହାଜର ହେବା ପୂର୍ବରୁ ୨୫ଟି ଲୋକେସନ୍ ବି ବଦଳାଇଥିଲେ । ହେଲେ ଏବେ ଇଡି ପଞ୍ଝାରେ ଶ୍ରଦ୍ଧାଞ୍ଜଳି ବେହେରା ।

ସେପଟେ କ୍ରମାଗତ ଦ୍ୱିତୀୟଦିନ ପାଇଁ ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ଗତକାଲି ପ୍ରାୟ ୫ ଘଣ୍ଟାର ଜେରା ପରେ ଆଜି ବି ମାରାଥନ ଜେରାର ସମ୍ମୁଖୀନ ହୋଇଛନ୍ତି ଅକ୍ଷୟ । କୁହଯାଉଛି ଉଭୟ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ମୁହାଁମୁହିଁ ଜେରା କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅତି ନାଟକୀୟ ଢ଼ଙ୍ଗରେ ଆରମ୍ଭ ହୋଇଥିଲା ଅକ୍ଷୟ ଏବଂ ଶ୍ରଦ୍ଧାଞ୍ଜଳିଙ୍କ ସମ୍ପର୍କ । ପ୍ରଥମେ ବନ୍ଧୁତା ସ୍ଥାପନ, ପରେ ଫିଲ୍ମରେ ଅଭିନୟ ପାଇଁ ସୁଯୋଗ ଦେବାକୁ ନିବେଦନ । ଏମିତି କି ଶ୍ରଦ୍ଧାଞ୍ଜଳି ପାର୍ଲର କରିବା ପାଇଁ ଅକ୍ଷୟ ପରିଜାଙ୍କୁ ୫ଲକ୍ଷ ଟଙ୍କା ମାଗିଥିଲେ । ହେଲେ ଟଙ୍କା ନଦେବାରୁ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ କରିବାର ଅଭିଯୋଗ ହୋଇଥିଲା ।

ପୁରା ବ୍ଲାକମେଲର ମାଷ୍ଟର ମାଇଣ୍ଡ ଥିବା ଅର୍ଚ୍ଚନା ନାଗ, ସେତେବେଳେ ସାମ୍ନାକୁ ଆସିଥିଲେ, ଯେତେବେଳେ ଶ୍ରଦ୍ଧାଞ୍ଜଳି ବେହେରା ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ଶ୍ରଦ୍ଧାଞ୍ଜଳିକୁ ମାଧ୍ୟମ କରି ପ୍ରଯୋଜକଙ୍କୁ ଫସାଇବା ନେଇ ଅଭିଯୋଗ ହୋଇଥିଲା । ଅର୍ଚ୍ଚନା ବ୍ଲାକମେଲ କରୁଥିବା, ଥାନାରେ ଫିଲ୍ମ ପ୍ରଯୋଜକ ଅଭିଯୋଗ କରିବା ସହ ଅର୍ଚ୍ଚନା, ଶ୍ରଦ୍ଧାଞ୍ଜଳି କ୍ରାଇମ୍ ପାର୍ଟନର ବୋଲି ଅଭିଯୋଗ ହୋଇଥିଲା । ଶ୍ରଦ୍ଧାଞ୍ଜଳିଙ୍କ ଅଭିଯୋଗ ଆଧାରରେ ଅର୍ଚ୍ଚନା ଗିରଫ ହୋଇଥିବା ବେଳେ ଆର୍ଥିକ କାରବାର ଘଟଣାରେ ଜଣକ ପରେ ଜଣକଙ୍କୁ ଡାକି ଜେରା ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଚର୍ଚ୍ଚା ହେଉଛି ଏହି ସିଣ୍ଡିକେଟରେ ବଡ଼ ବଡ଼ଙ୍କ ଚେହେରାଙ୍କ ନାଁ ରହିଛି । ଆଗକୁ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବ ଇଡି । ଆଶଙ୍କା କରାଯାଉଛି ନିର୍ବାଚନ ପୂର୍ବରୁ ନାଗଫାସରେ ପଡିଥିବା କିଛି ନେତାଙ୍କ ଚେହେରା ସାମ୍ନାକୁ ଆସିପାରେ ।