ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ପ୍ରଥମ ପର୍ଯ୍ୟାୟରେ ୪ ଜିଲ୍ଲାରେ ମିଳିବ ସୁବିଧା

154

କନକ ବ୍ୟୁରୋ : ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା’ । ଏହି ସେବାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ଆଦିବାସୀ ବହୁଳ ୪ ଜିଲ୍ଲା ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ କଳାହାଣ୍ଡିରେ ଏହି ସୁବିଧା ମିଳିବ । ହେଲିକପ୍ଟରରେ ଡାକ୍ତର ଯାଇ ରୋଗୀଙ୍କ ଚିକିତ୍ସା କରିବେ । ଭୁବନେଶ୍ୱର ବିମାନବନ୍ଦରରେ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଡାକ୍ତରୀ ଦଳକୁ ନେଇ ମାଲକାନଗିରିକୁ ପ୍ରଥମ ବିମାନ ଉଡାଣ ଭରିଛି । ବିଭିନ୍ନ ମେଡିକାଲ କଲେଜ ଓ କର୍ପୋରେଟ ହସ୍ପିଟାଲର ଡାକ୍ତରମାନେ ଏହିସବୁ ଜିଲ୍ଲାକୁ ଯାଇ ସେଠାରେ ହୃଦରୋଗୀ, ସ୍ନାୟୁରୋଗୀ, କିଡନୀ ଓ ମୂତ୍ରାଶୟ ରୋଗୀଙ୍କ ଭଳି ସୁପର ସ୍ପେଶାଲିଟି ସେବା ଆବଶ୍ୟକ କରୁଥିବା ରୋଗୀଙ୍କ ପରୀକ୍ଷା ଓ ଚିକିତ୍ସା କରିବେ । ଏଥିପାଇଁ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି ଏବଂ ୪ଜିଲ୍ଲାର ଜନସାଧାରଣ ଉନ୍ନତ ସ୍ୱାସ୍ଥ୍ରସେବା ପାଇପାରିବେ ବୋଲି ଆଶା ରଖିଛନ୍ତି ।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ଏବେ ଚାରିଟି ଜିଲ୍ଲା ଯଥା ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡିରେ ଆରମ୍ଭ ହେବ। ଏହି ଚାରିଟି ଜିଲ୍ଲାରେ ଲୋକଙ୍କୁ ଗୁଣାତ୍ମକ ଚିକିତ୍ସା ଯୋଗାଇବା କଷ୍ଟକର ହେଉଥିବାରୁ ଏବଂ ବହୁ ଡାକ୍ତର ସେଠାରେ ରହିବାକୁ ରାଜି ହେଉନଥିବାରୁ ଏହି ଯୋଜନା ଦ୍ବାରା ଗୁଣାତ୍ମକ ଚିକିତ୍ସା ଯୋଗାଇହେବ । ଏହି ଯୋଜନାରେ ଜଣେ ଗୁରୁତର ଅସୁସ୍ଥ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ କେଉଁ କେଉଁ ବିଶେଷଜ୍ଞ ଡାକ୍ତର ଆବଶ୍ୟକ ସେନେଇ ଏକ ତାଲିକା ପ୍ରସ୍ତୁତ କରି ସ୍ବାସ୍ଥ୍ୟ ବିଭାଗକୁ ପଠାଯିବ ।

ଏଠାରୁ ପୂର୍ବରୁ ସ୍ବତନ୍ତ୍ର ଡାକ୍ତରୀ ଦଳରେ ସାମିଲ୍ ହୋଇଥିବା ଡାକ୍ତରମାନଙ୍କ ମଧ୍ୟରୁ ଆବଶ୍ୟକ ଡାକ୍ତରଙ୍କୁ ତୁରନ୍ତ ହେଲିକପ୍ଟରରେ ପଠାଯିବ। ସେମାନେ ଅପରେସନ୍ ବା ଚିକିତ୍ସା କରିବା ପରେ ଭୁବନେଶ୍ବର ଫେରିଆସିବେ । ଏବେ ଏସସିବିର କିଛି ଡାକ୍ତରଙ୍କୁ ନେଇ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ ହୋଇଛି। ପରେ ଏମକେ ସିଜି, ବୁର୍ଲା ଏବଂ ବିଏସ୍ କେୱାଇ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଘରୋଇ ଡାକ୍ତରଙ୍କୁ ବି ଏହି ସ୍ବତନ୍ତ୍ର ଡାକ୍ତରୀ ଦଳରେ ସାମିଲ୍ କରାଯିବ ।