ବାର୍ଦ୍ଧକ୍ୟରେ ପଚାରିଲେନି ପୁଅ । ଜିଲ୍ଲାପାଳଙ୍କ ନାଁରେ ବୃଦ୍ଧ ଲେଖିଦେଲେ ୩ କୋଟିର ସମ୍ପତ୍ତି ।

1,420

କନକ ବ୍ୟୁରୋ: ଏମିତି ଜଣେ ବାପାଙ୍କ ଯନ୍ତ୍ରଣା କାହାଣୀ ଯାହା ଜାଣିଲେ ଆପଣଙ୍କ ହୃଦୟ ମଧ୍ୟ ତରଳି ଯିବ । ଆଉ ଭାବିବେ ସତରେ କ’ଣ ପୁଅ ଜନ୍ମ କରିବା ପାପ? ଯେଉଁ ସମୟରେ ପୁଅମାନେ ସାହାରା ଦେବା କଥା ସେତିକି ବେଳେ କରିଦେଲେ ବେସାହାରା । ଭଲରେ ଗଣ୍ଡେ ଖାଇବାକୁ ବି ଦେଲେନି । ସମ୍ପର୍କ ରଖିବାକୁ ବି ଚାହିଁଲେନି । ପରିସ୍ଥିତି ଏତେ ଜଟିଳ ହେଲା ଯେ , ଶେଷରେ ସବୁ ମୋହମାୟା ତୁଟାଇ ଜିଲ୍ଲାପାଳଙ୍କ ନାଁରେ କରିଦେଲେ  ନିଜର ସବୁ ସମ୍ପତ୍ତି  ।

ଏପରି ଦୟନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ଆଗ୍ରାରେ । ଏଠିକାର ବାସିନ୍ଦା ଗଣେଶ ଶଙ୍କର ପାଣ୍ଡେୟ । ବୟସ ୮୮ ବର୍ଷ । ବହୁ ଆଗରୁ ଚାଲିଯାଇଛନ୍ତି ପତ୍ନୀ । ସୂଚନା ଅନୁସାରେ, ଆଗ୍ରା ନିରଲାବାଦ ପିପଲମଣ୍ଡି ବାସିନ୍ଦା ଗଣେଶ ଶଙ୍କର  । ତାଙ୍କ ୩ ଭାଇଙ୍କ ସହ ମିଶି ୧୯୮୩ମସିହାରେ କିଛି ଜମି କିଣିଥିଲେ । ଅବଶ୍ୟ ତାହା ପରବର୍ତ୍ତୀ ସମୟରେ ୩ ଭାଇଙ୍କ ମଧ୍ୟରେ ଭାଗ ବଣ୍ଟା ହୋଇଯାଇଥିଲା । କିନ୍ତୁ ଗଶେଶ ଶଙ୍କରଙ୍କ ଭାଗରେ ଯାହା ପଡିଥିଲା ତା’ ଉପରେ ସେ ଭଲ ଘରଟିଏ ନିର୍ମାଣ କରିଥିଲେ । ଜମିକୁ ମିଶାଇ ଏହାର ମୂଲ୍ୟ ୩ କୋଟିରୁ ଉଦ୍ଧ୍ୱର୍ ହେବ । ଭାବିଥିଲେ ପତ୍ନୀ ଯିବା ପରେ ଦୁଇ  ପୁଅ ନାତି ନାତୁଣୀଙ୍କ  ମୁହଁକୁ ଚାହିଁ ଦିନ କଟାଇଦେବେ । ହେଲେ ଭାଗ୍ୟ ସାଥ୍ ଦେଲାନି । ସମୟ ସ୍ରୋତରେ ବଦଳିଗଲା ପୁଅ ମାନଙ୍କ ମନୋଭାବ । ମା’ ଚାଲିଗଲା ପରେ ବାପା ଠାରୁ ଯେମିତି ଦୁଇ ପୁଅଙ୍କ ମନ ଛାଡିଯାଇଥିଲା । ଯେଉଁ ବୟସରେ ତାଙ୍କର ସାହାରା ହେବା କଥା ସେତେିକିେବେଳ ଗଣେଶ ଶଙ୍କରଙ୍କୁ ବେସାହାରା କରିଦେଲେ ଦୁଇ ପୁଅ । ଠିକ ଭାବେ ଗଣ୍ଡେ ଖାଇବାକୁ ଦିଅନ୍ତି ନାହିଁ । ଅସହାୟ ଗଣେଶ ବାଧ୍ୟ ହୋଇ ଭିନ୍ନ ହୋଇଯାଇଥିବା ଭାଇମାନଙ୍କ ଉପରେ ଖାଇବା ପାଇଁ ନିର୍ଭର କରନ୍ତି ।

ପୁଅ ମାନଙ୍କୁ ଅନେକ ବୁଝାଇବାକୁ ଚେଷ୍ଟା କରିଥିଲେ ବି ବିଫଳ ହେଲେ ଗଣେଶ ଶଙ୍କର । ବୁଝିବା ତ ଦୂରର କଥା ବାପା ମୁହଁ ଦେଖିବାକୁ ଚାହିଁଲେନି ଦୁଇ ପୁଅ । ଶେଷରେ ପରିସ୍ଥିତି ଏତେ ଜଟିଳ ହେଲା ଯେ, ପୁଅମାନଙ୍କ ଠାରୁ ସବୁ ସମ୍ପର୍କ ତୁଟାଇ ନିଜର ୩ କୋଟି ମୂଲ୍ୟର ସମ୍ପତ୍ତିକୁ ଜିଲ୍ଲାପାଳଙ୍କ ନାଁରେ ଲେଖିଦେଲେ ଗଣେଶ ଶଙ୍କର । ଅନେକ ଅନୁରୋଧ ପରେ ଗଣେଶ ଶଙ୍କରଙ୍କ ଇଚ୍ଛାପତ୍ରକୁ ଗ୍ରହଣ କରିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ୍ । ଏହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ।