କଳିଙ୍ଗ ଷ୍ଟାଡିୟମ ଭିତରକୁ କେମିତି ଗଲେ ଦର୍ଶକ, କିଏ ଦେଲା ଅନୁମତି? ସାଧାରଣ ଲୋକଙ୍କୁ ଅନୁମତି ନାହିଁ, ତେବେ ଏମାନେ କିଏ?

307

କନକ ବ୍ୟୁରୋ : ଭୁବନେଶ୍ୱରରେ ଚାଲିଥିବା ଜୁନିଅର ହକି ବିଶ୍ୱପକ୍କୁ ଅନେକ କଟକଣା ଭିତରେ ଆୟୋଜନ କରାଯାଉଛି । କରୋନା ସଂକ୍ରମଣ ବଢିଯିବା ଭୟରେ ବାୟୋ ବବଲରେ ଆୟୋଜିତ ହେଉଛି ସମସ୍ତ ମ୍ୟାଚ । ଖେଳାଳି ଓ କର୍ମଚାରୀଙ୍କୁ ଜୈବ ବଳୟରେ ରଖି ବିନା ଦର୍ଶକରେ ଆୟୋଜନ ହେଉଛି ପ୍ରତିଯୋଗିତା । ସାଧାରଣ ଦର୍ଶକ ମଧ୍ୟ ସଂକ୍ରମଣ ବଢିବା ଭୟରେ ନିଜ ମନକୁ ମାରି ଘରେ ରହୁଛନ୍ତି । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଅନ୍ୟ ସବୁ ମ୍ୟାଚରେ ଷ୍ଟାଡିୟମ ଖାଲି ପଡୁଥିବାବେଳେ ଭାରତ ମ୍ୟାଚ୍ ବେଳକୁ ହଠାତ ଗ୍ୟାଲେରୀରେ ଦର୍ଶକ ବଢି ଯାଉଛନ୍ତି ।

ଦିନସାରା ଖାଲି ପଡୁଥିବା ଗ୍ୟାଲେରୀ ଅଚାନକ ଭାରତ ମ୍ୟାଚ ବେଳକୁ ପୂରିଉଠୁଛି । ପଶ୍ଚିମ ଗ୍ୟାଲେରୀ ଅଧା ଭରି ଯାଉଥିବାବେଳେ ପୂର୍ବ ଗ୍ୟାଲେରୀକୁ ବି କିଛି ଦର୍ଶକ ଚାଲି ଆସୁଛନ୍ତି । ପ୍ରଶ୍ନ ଉଠୁଛି କଡା କରୋନା ନିୟମ ସତ୍ୱେ ଏମାନେ କେଉଁଠୁ ଆସୁଛନ୍ତି । ଏମାନେ ସବୁ କିଏ ଓ ଗ୍ୟାଲେରୀରେ ବସି ଭାରତ ମ୍ୟାଚ ଦେଖିବାକୁ ଏମାନଙ୍କୁ କିଏ ଅନୁମତି ଦେଉଛି । ଯେତେବେଳେ ସାଧାରଣ ଦର୍ଶକଟିଏ ଗ୍ୟାଲେରୀରେ ବସି ମ୍ୟାଚ ଦେଖିବାକୁ ଟିକେଟ କିମ୍ବା ପାସ ବ୍ୟବସ୍ଥା ନାହିଁ, ଭାରତ ମ୍ୟାଚ ବେଳକୁ ଏହି ଦର୍ଶକମାନେ ଷ୍ଟାଡିୟମ ଭିତରକୁ ଅଚାନକ କେମିତି ଚାଲିଆସୁଛନ୍ତି ।

ଚର୍ଚ୍ଚା ଅନୁଯାୟୀ, କିଛି ବଡବଡିଆଙ୍କୁ ଧରି ଏମାନେ ଷ୍ଟାଡିୟମ ଭିତରକୁ ପ୍ରବେଶ କରୁଛନ୍ତି । ତେଣୁ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, କଣ ଏମାନଙ୍କ ପାଇଁ କରୋନା ସଂକ୍ରମଣ ବ୍ୟାପିବ ନାହିଁ । ଯଦି ଏମାନଙ୍କୁ ଅନୁମତି ଦିଆଯାଇ ପରୁଛି, ତାହାହେଲେ ସାଧାରଣ ଦର୍ଶକଙ୍କୁ କାହିଁକି ବାରଣ କରାଯାଉଛି?

ଅନ୍ୟପଟେ ଜୁନିଅର ହକି ବିଶ୍ୱକପରେ ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ଅନୁମତି ଦେବା ପାଇଁ ବିଚାର ବିମର୍ଶ ଚାଲିଛି । ମିଳିଥିବା ସୂଚନା ଅନୁସାରେ ଡିସେମ୍ବର ୧ ତାରିଖରୁ ଆରମ୍ଭ ହେଉଥିବା କ୍ୱାର୍ଟର, ସେମି ଓ ଫାଇନାଲ ମ୍ୟାଚରେ ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ଖେଳ ଦେଖିବାକୁ ଅନୁମତି ପାଇଁ ରାଜ୍ୟ କ୍ରୀଡା ଓ ଯୁବସେବା ନିର୍ଦ୍ଦେଶାଳୟ ପକ୍ଷରୁ ହକି ଇଣ୍ଡିଆକୁ ପ୍ରସ୍ତାବ ଦିଆଯାଇଛି । ଅନୁମତି ମିଲିଲେ, କେଉଁମାନେ ଯିବେ, କେତେ ସଂଖ୍ୟାରେ ଦର୍ଶକଙ୍କୁ ଅନୁମତି ମିଳିବ, କେମିତି କୋଭିଡ ଗାଇଡଲାଇନ ପାଳନ ହେବ ଏବଂ ସୁରକ୍ଷା ବ୍ୟବସ୍ଥା କେମିତି ରହିବ ସେନେଇ ଆଲୋଚନା ଚାଲିଛି । ଏପରିକି କମିଶନରେଟ ପୋଲିସ ଓ ହକି ଇଣ୍ଡିଆ ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଯାହା ସୂଚନା ମିଳିଛି ପ୍ରାୟ ୩ ହଜାର ଦର୍ଶକଙ୍କୁ ବସି ଖେଳ ଦେଖିବାର ଅନୁମତି ପାଇଁ ପ୍ରସ୍ତାବ ଦିଆଯାଇଛି ।