ରାଣୀ ଏଲିଜାବେଥଙ୍କ ମୃତ୍ୟୁ ପରେ କୋହିନୂରକୁ ନେଇ ଉଠିଲା ପ୍ରଶ୍ନ: ଅର୍ନ୍ତଜାତୀୟ କୋର୍ଟ ଯିବ ଜଗନ୍ନାଥ ସେନା

305

କନକ ବ୍ୟୁରୋ: ବ୍ରିଟିସ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ କୋହିନୂର ହୀରାକୁ ନେଇ ଉଠିଲା ପ୍ରଶ୍ନ । ପଞ୍ଜାବର ତକ୍ରାଳୀନ ମହାରାଜା ରଣଜିତ୍ ସିଂହ ପୁରୀର କୌଳିକ ପଣ୍ଡାଙ୍କ ମାଧ୍ୟମରେ ମହାପ୍ରଭୁଙ୍କୁ କୋହିନୂର ହୀରା ଦାନ କରିବା ପାଇଁ ସଂକଳ୍ପ କରିଥିଲେ । ତକ୍ରାଳୀନ କୌଳିକ ପଣ୍ଡା ହରେକୃଷ୍ଣ ପ୍ରତିହାରୀଙ୍କ ମାଧ୍ୟମରେ ଦାନ କରିବା ପାଇଁ ସଂକଳ୍ପ କରାଯାଇଥିଲା । ୧୮୩୬ ମସିହାରେ ମହାରାଜା ରଣଜିତ୍ ସିଂ ୫୦ ଲକ୍ଷ ବିଟ୍ରିସ ମୁଦ୍ରା ସହ କୋହିନୂର ହୀରା ଶ୍ରୀମନ୍ଦିରକୁ ଦାନ କରିବେ ବୋଲି ସଂକଳ୍ପ କରିଥିଲେ । କୌଳିକ ପଣ୍ଡାଙ୍କ ପରିବାର ପାଖରେ ଏବେ ସେହି ସଂକଳ୍ପ ପତ୍ର ରହିଛି । ରଣଜିତ୍ ସିଂହଙ୍କ ହାତଲେଖା ଦଲିଲର ନକଲ ମଧ୍ୟ ରହିଛି । ହେଲେ ଏହା ଇଂଲଣ୍ଡ ଯିବା ପରେ ଆଉ ଭାରତକୁ ଫେରିନାହିଁ । ୨୦୨୬ ମସିହାରେ କୋହିନୂର ହୀରା ପ୍ରସଙ୍ଗରେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମତ ଦେବା ପରେ ଜଗନ୍ନାଥ ସେନା ପକ୍ଷରୁ ବ୍ରିଟେନ୍ ଦୂତାବାସ ଯିବାକୁ ଯୋଜନା ହୋଇଥିଲା । ହେଲେ ଭିସା ନମିଳିବାରୁ କୋଲକାତା ସ୍ଥିତ ବ୍ରିଟେନ ଦୂତାବାସ ଯାଇ ଦାବିପତ୍ର ଦିଆଯାଇଥିଲା । କୋହିନୂର ହୀରା ଶ୍ରୀଜଗନ୍ନାଥଙ୍କ ଦାନ ଦିଆଯାଇଥିବାରୁ ଏହାକୁ ଶ୍ରୀମନ୍ଦିରକୁ ଫେରିବା ଆଣିବାର ଆବଶ୍ୟକତା ରହିଛି । ତେଣୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ହଲାଣ୍ଡିସ୍ଥିତ ଅନ୍ତର୍ଜାତୀୟ କୋର୍ଟର ଆଶ୍ରୟ ନିଆଯିବ ବୋଲି କୁହାଯାଇଛି ।

କୋହିନୂରର ଯାତ୍ରା
ପ୍ରାୟ ୫ ହଜାର ବର୍ଷ ତଳେ କୋଇଲା ଖଣିରୁ ମିଳିଥିଲା କୋହିନୂର ହୀରା
ଆନ୍ଧ୍ରପ୍ରଦେଶ ଗୁଂଟୁରର କୋଲ୍ଲୁର କୋଇଲା ଖଣିରୁ ମିଳିଥିଲା କୋହିନୂର
ହୀରା ହାସଲ କରିବାକୁ ରାଜାମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା
୧୩୦୪ରୁ ୧୩୦୬ ଯାଏଁ ମଲୱା ରାଜାଙ୍କ ପାଖରେ ଥିଲା
ଏହାପରେ କୋହିନୂର କାକାଟ୍ୟ ରାଜବଂଶକୁ ଚାଲିଯାଇଥିଲା
୧୩୨୩ରେ ମହମ୍ମଦ ବିନ୍ ତୋଗଲକ ହୀରାକୁ ନିଜ ପାଖରେ ରଖିଥିଲେ
୧୫୨୬ରେ ମୋଗଲ ସମ୍ରାଟଙ୍କ ପାଖରେ ପହଂଚିଥିଲା କୋହିନୂର
୧୭୩୯ରେ ନାଦୀର ଶାହା କୋହିନୂର ହୀରାକୁ ଆଫଗାନିସ୍ତାନ ନେଇଥିଲେ
ପୁଣି ଭାରତ ଆଣିଥିଲେ ଶିଖ ବୀର ରାଜା ରଣଜିତ ସିଂହ

ଜଗନ୍ନାଥଙ୍କର ‘କୋହିନୂର’
କୋହିନୂର ହୀରା ସହ ଅପବାଦ ବି ଯୋଡ଼ି ହୋଇ ରହିଛି
ଯିଏ ଧାରଣ କରୁଥିଲା, ତାର ସର୍ବନାଶ ହେଉଥିବା ବିଶ୍ୱାସ ଥିଲା
୧୮୩୦ରେ ରାଜା ରଣଜିତ ସିଂହ ଶ୍ରୀମନ୍ଦିରକୁ ଆସିଥିଲେ
ଶ୍ରୀମନ୍ଦିର ବଟବୃକ୍ଷ ମୂଳେ ଶ୍ରୀଜଗନ୍ନାଥଙ୍କୁ ଦାନ କରିବା ପାଇଁ ସଂକଳ୍ପ କରିଥିଲେ
କୋହିନୂର ଦାନ କରିବା ନେଇ ‘ଉଇଲ୍’ କରିଥିଲେ ରାଜା ରଣଜିତ ସିଂହ
ଉଇଲ୍ କରିବାର ୯ ବର୍ଷ ପରେ ତାଙ୍କର ମୃତ୍ୟୁ ହୋଇଥିଲା
ଆଙ୍ଗ୍ଲୋ-ଶିଖ୍ ଯୁଦ୍ଧ ପରେ ଇଷ୍ଟ ଇଣ୍ଡିଆ କଂପାନୀ ହାତକୁ ଗଲା କୋହିନୂର
ପରେ ବ୍ରିଟେନ୍ ରାଜପରିବାରକୁ ଏହା ହସ୍ତାନ୍ତର କରାଗଲା
ଇଷ୍ଟ ଇଣ୍ଡିଆ କଂପାନୀର ୨୫୦ ବର୍ଷ ପୂର୍ତ୍ତି ଅବସରରେ ଦିଆଗଲା
ସେବେଠାରୁ ବ୍ରିଟେନ ରାଜପରିବାର ମହିଳାମାନେ ଏହି ହୀରା ଧାରଣ କରୁଛନ୍ତି
୧୯୧୧ ମସିହାରେ କୁଇନ୍ସ ମ୍ୟାରୀଙ୍କ ମୁକୁଟରେ ସ୍ଥାନ ପାଇଥିଲା କୋହିନୂର
ବ୍ରିଟେନର ରାଣୀଙ୍କ ମୁକୁଟରେ ଶୋଭା ପାଉଛି ଏହି ହୀରା

କୋହିନୂର ହୀରାର ପ୍ରତିକୃତି

– ପାର୍ସି ଭାଷା ଅନୁସାରେ ନାଁ ଦିଆଯାଇଛି କୋହିନୂର
– ‘କୋହ-ଇ-ନୂର’ ପାର୍ସି ଭାଷାରେ ଏହାର ଅର୍ଥ ‘ଆଲୋକର ପାହାଡ଼’
– ଭାରତର କୋଲ୍ଲୁର ଖଣିରୁ ମିଳିଥିଲା ଏହି ହୀରା
– ୧୦୫.୬ କ୍ୟାରେଟ୍ ଏହି ହୀରାର ଓଜନ ୨୧.୧୨ ଗ୍ରାମ
– କୋହିନୂରର ଲମ୍ବ-୩.୪ ସେଂଟିମିଟର
– କୋହିନୂରର ପ୍ରସ୍ଥ-୩.୨ ସେଂଟିମିଟର ଓ ମୋଟେଇ-୧.୩ ସେଂଟିମିଟର
– ଅଣ୍ଡାକାର ଆକୃତି ଏବଂ ଏହାର ୬୬ଟି ପାଶ୍ୱର୍ ରହିଛି
– କୋହିନୂରକୁ ନେଇ ୮ଶହ ବର୍ଷ ଧରି ବିବାଦ ରହିଛି