କଦଳୀ ଚାଷରୁ ଲକ୍ଷପତି: ଜୈବିକ ପଦ୍ଧତିରେ ଚାଷ କରି ଲାଭବାନ ହୋଇଛନ୍ତି ନିଆଳିର ନାରାୟଣ ସ୍ୱାଇଁ

222

କନକ ବ୍ୟୁରୋ: କଦଳୀ ଚାଷରୁ ଲକ୍ଷପତି । କଦଳୀ ଏକ ଅର୍ଥକାରୀ ଫସଲ ହୋଇଥିବା ବେଳେ ନିଆଳି ସଡ଼ାଂଶ ପଂଚାୟତ କଂଟିଶାଳ ଗାଁର ନାରାୟଣ ସ୍ୱାଇଁ ଏହି ଚାଷକୁ ଆପଣାଇଛନ୍ତି । ନିଜସ୍ୱ ଉଦ୍ୟମରେ ସମ୍ପୁର୍ଣ୍ଣ ଜୈବିକ ପଦ୍ଧତିରେ ଚାଷ କରିଛନ୍ତି ନାରାୟଣ । ଏକ ଏକ ଜମିରେ କଦଳୀ ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । କଦଳୀ ଚାଷ ପାଇଁ ସ୍ଥାନୀୟ ଅଂଚଳରେ ତାଙ୍କର ରହିଛି ସ୍ୱତନ୍ତ୍ର ପରିଚୟ ।

ଏକ ଜମିରେ ପାଖାପାଖି ଏକ ହଜାର କଦଳୀ ଗଛ ଲଗାଇଛନ୍ତି ନାରାୟଣ । ଜୈବିକ ପ୍ରଣାଳୀରେ ବନ୍ତଳ କଦଳୀ, ପାଟକପୁରା କଦଳୀ ଚାଷ କରି ବେଶ ଲାଭବାନ ହେଉଛନ୍ତି । କଦଳୀ ଚାଷ ସହ ଲଙ୍କା ଓ କଲାରା ଚାଷ ମଧ୍ୟ ସେ କରିଛନ୍ତି । ଏହି ଚାଷରୁ ନିଜେ ରୋଜଗାର କରିବା ସହ ୪ଜଣ ଯୋଗାଇଛନ୍ତି କର୍ମନିଯୁକ୍ତି ।

ଗ୍ରାଜୁଏସନ୍ ପାସ କରିବା ପରେ ନିଜର ପରିବାର ପ୍ରତିପୋଷଣ କରିବା ପାଇଁ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେଠାରେ ୧୨ ଘଂଟା ପରିଶ୍ରମ କରି ପାରିଶ୍ରମିକ ପନପାଇବାରୁ ଗାଁକୁ ଫେରିଥିଲେ ନାରାୟଣ । ଆଉ ଏହା ପରେ ନିଜ ଗାଁରେ ୪ଜଣ ଶ୍ରମିକଙ୍କୁ ନେଇ ଆରମ୍ଭ କରିଛନ୍ତି କଦଳୀ ଚାଷ । ଆଉ ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି ପତ୍ନି ମୋନାଲିସା ସ୍ୱାଇଁ । ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରିବା ପରେ ଆଉ ପଛକୁ ଫେରିନାହାନ୍ତି ନାରାୟଣ ।