୭୦ ବର୍ଷ ପରେ ଭାରତ ମାଟିରେ ଦୌଡ଼ିବ ଚିତା । ଜନ୍ମଦିନରେ ‘ଚିତା’ ଭେଟିଦେଲେ ପ୍ରଧାନମନ୍ତ୍ରୀ

194

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନରେ ଭାରତକୁ ଆସିଛନ୍ତି ଚିତା ବାଘ । ଏହାସହ ୭ ଦଶନ୍ଧୀ ପରେ ଦେଶରେ ଚିତା ବାଘର ପାଦ ପଡିଛି । ୮ ହଜାର କିଲୋମିଟର ଯାତ୍ରା କରି ପ୍ରଥମେ ମଧ୍ୟପ୍ରଦେଶ ଗ୍ୱାଲିୟରରେ ପହଞ୍ଚିବା ପରେ ୮ଟି ଚିତାକୁ ବାୟୁସେନାର ବିମାନ ଯୋଗେ କୁନୋ ଜାତୀୟ ଉଦ୍ୟାନକୁ ନିଆଯାଇଥିଲା । ଯେଉଁଠାରେ ସ୍ୱତନ୍ତ୍ର ଏନକ୍ଲୋଜରରେ ସେମାନଙ୍କୁ ଛାଡିଥିଲେ ମୋଦୀ ।

ତେବେ ୧୯୫୨ରେ ଭାରତରେ ଚିତା ବାଘକୁ ବିଲୁପ୍ତ ଘୋଷଣା କରାଯାଇଥିଲା । କିନ୍ତୁ ଏହାପରେ ଚିତାବାଘକୁ କିପରି ପୁଣି ଦେଶକୁ ଅଣାହେବ ସେ ନେଇ କୌଣସି ପ୍ରୟାସ କରାଯାଇନଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

  • ଜନ୍ମଦିନରେ ‘ଚିତା’ ଭେଟିଦେଲେ ପ୍ରଧାନମନ୍ତ୍ରୀ
  • ୭୦ ବର୍ଷ ପରେ ଭାରତ ମାଟିରେ ଦୌଡ଼ିବ ଚିତା

ଭାରତ ମାଟିରେ ୭ ଦଶନ୍ଧୀ ପରେ ପାଦ ଦେଇଛି ବିଶ୍ୱର ଦ୍ରୁତତମ ପ୍ରାଣୀ ଚିତା ବାଘ । ମଧ୍ୟପ୍ରଦେଶ ସିଓନି ଜିଲ୍ଲା ସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ପହଞ୍ଚିଛନ୍ତି ନାମିବ୍ୟାରୁ ଆସିଥିବା ୮ଟି ଚିତା । ଜନ୍ମଦିନ ଅବସରରେ ଏହି ଉଦ୍ୟାନରେ ଚିତା ବାଘଙ୍କୁ ଛାଡିଛନ୍ତି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯନ୍ତା ବୁଲାଇ, ଚିତା ଗୁଡିକୁ ସ୍ୱତନ୍ତ୍ର ଏନକ୍ଲୋଜରକୁ ଛାଡିଛନ୍ତି ପ୍ରଧାନମନ୍ତ୍ରୀ । କୁନୋ ଅଭୟାରଣ୍ୟରେ ଚିତା ବାଘଙ୍କ ପାଇଁ ତିଆରି ହୋଇଛି ସ୍ୱତନ୍ତ୍ର ଏନକ୍ଲୋଜର, ଯେଉଁଥିରେ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଚିତା ଏକାନ୍ତବାସରେ ରହିବେ । ପରେ ଡିସେମ୍ବର ମାସରେ ଏମାନଙ୍କୁ ଉଦ୍ୟାନ ଭିତରେ ସ୍ୱତନ୍ତ୍ର ଅଞ୍ଚଳରେ ଛଡାଯିବାର କାର୍ଯ୍ୟକ୍ରମ ରହିଛି ।

ଚିତା ପ୍ରୋଜେକ୍ଟରେ ପ୍ରଥମ ପର୍ଯ୍ୟାୟରେ ଭାରତକୁ ୮ଟି ଚିତାକୁ ନାମିବ୍ୟାରୁ ଅଣାଯାଇଛି । ତେବେ ଆଫ୍ରିକା ଦେଶ ନାମିବ୍ୟାରୁ ଚିତା ଆଣିବା ନିଷ୍ପତ୍ତି ପଛରେ ଏକ କାରଣ ମଧ୍ୟ ରହିଛି । ଆଫ୍ରିକା ଓ ଭାରତୀୟ ପାଣିପାଗରେ ସମାନତା ଥିବା ଯୋଗୁଁ ନାମିବ୍ୟାରୁ ଚିତାଙ୍କୁ ଅଣାଯାଇଛି । ଫଳରେ ପରିବେଶ ସହ ଖାପଖୁଆଇବାକୁ ତାଙ୍କୁ ସହଜ ହେବ ।

ନାମିବ୍ୟାରୁ ଚିତାଙ୍କୁ ନେଇ ଆସୁଥିବା ସ୍ୱତନ୍ତ୍ର ବିମାନ ୮ହଜାର କିଲୋମିଟର ଯାତ୍ରା କରି ଶନିବାର ସକାଳ ୭ଟା ୫୦ରେ ଗ୍ୱାଲିୟରରେ ପହଞ୍ଚିଥିଲା । ସେଠାରୁ ତାଙ୍କୁ ବାୟୁସେନାର ଚିନୁକ ବିମାନ ଯୋଗେ କୁନୋ ଜାତୀୟ ଉଦ୍ୟାନ ନିଆଯାଇଥିଲା । ଚିତା ବେକରେ ଲାଗିଛି ରେଡିଓ କଲାର୍ । ସଂରକ୍ଷିତ ଜଙ୍ଗଲର ବିଭିନ୍ନ ସ୍ଥାନରେ କ୍ୟାମେରା ଖଞ୍ଜା ଯାଇଛି । କୁନୋ ଜାତୀୟ ଉଦ୍ୟାନରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ରହୁଥିବା ବେଳେ ସର୍ବନିମ୍ନ ତାପମାତ୍ରା ୬ରୁ ୭ଡିଗ୍ରୀ ପର୍ଯ୍ୟନ୍ତ ରହେ । ଏହି ତାପମାତ୍ରା ଚିତା ବାଘକୁ ସୁହାଇବ ବୋଲି ଆଶା କରାଯାଉଛି ।

ସେହିପରି ଶିକାର କରିବା ପାଇଁ ଚିତାକୁ ସହଜରେ ହରିଣ, ଚିତଳ ଭଳି ପ୍ରାଣୀ ଖାଦ୍ୟ ପାଇଁ ମିଳିବେ । କୁନୋ ଜାତୀୟ ଉଦ୍ୟାନରେ ମୋଦୀ ତାଙ୍କୁ ସ୍ୱତନ୍ତ୍ର ଏନକ୍ଲୋଜରରେ ଛାଡିଥିଲେ । ଏହାକୁ ସେ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିିଛନ୍ତି । ପ୍ରାୟ ଅଧ ଘଣ୍ଟା ଧରି ଜାତୀୟ ଅଭୟାରଣ୍ୟରେ ରହି ଚିତା ବାଘଙ୍କ ଗତିବିଧି ଦେଖିଥିଲେ ପ୍ରଧାନମନ୍ତ୍ରୀ । ଏପରି କି ହାତରେ କ୍ୟାମେରା ଧରି ଚିତା ବାଘ ଗୁଡିକର ଫଟୋ ଉଠାଇଥିଲେ ମୋଦୀ ।

ପ୍ରଥମଥର ପାଇଁ ଏକ ମାଂସାଶୀ ପ୍ରାଣୀକୁ ଗୋଟିଏ ମହାଦେଶରୁ ଅନ୍ୟ ଏକ ମହାଦେଶକୁ ସ୍ଥାନାନ୍ତରିତ କରାଯାଇଛି । ଚିତା, ବିଗ୍ କ୍ୟାଟ ପ୍ରଜାତି ପ୍ରାଣୀ ହୋଇଥିଲେ ବି ମହାବାଳ ବାଘ ପରି ଗର୍ଜନ କରିପାରେ ନାହିଁ । ଏବେ ୭୦ବର୍ଷ ପରେ ଭାରତୀୟ ଜଙ୍ଗଲରେ ରାଜ୍ କରିବ ଏହି ବିଗ୍ କ୍ୟାଟ୍ ।