ୟୁକ୍ରେନ୍-ରୁଷ୍ ଯୁଦ୍ଧ ଯୋଗୁଁ ବଢ଼ିଲା ଖାଇବା ତେଲ କଳାବଜାରୀ ଆଶଙ୍କା : ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କଟକ ମାଲଗୋଦାମରେ ଯାଂଚ କଲା ଯୋଗାଣ ବିଭାଗ

ଅଧିକାରୀ କହିଲେ, ମହଜୁଦ ଅଛି ଯଥେଷ୍ଟ ଷ୍ଟକ, ରଖାଯାଇଛି କଡ଼ା ନଜର

108

କନକ ବ୍ୟୁରୋ : ଖାଇବା ତେଲର କଳାବଜାରୀ ରୋକିବାକୁ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କଟକ ମାଲଗୋଦାମରେ ଆରମ୍ଭ ହୋଇଛି ଯାଂଚ । ବିଭିନ୍ନ ତେଲ ଗୋଦାମରେ ଜିଲ୍ଲା ଯୋଗାଣ ବିଭାଗ ଟିମ୍ ପହଁଚି ଖାଇବା ତେଲର ବିକ୍ରି ଦରର ଅନୁଧ୍ୟାନ କରିଛନ୍ତି । ଗୋଦାମରେ ଷ୍ଟକ ସେଲ୍-ପର୍ଚେଜ ଯାଂଚ କରାଯିବା ସହ ଅତି ଆବଶ୍ୟକ ନଥିଲେ କାହାରିକୁ ଅଧିକ ଷ୍ଟକ ନ ବିକିବାକୁ ବାରଣ କରାଯାଇଛି ।

ଏହାସହ ଯେଉଁମାନେ ଖୁଚୁରାରେ ମାଲ୍ ନେଉଛନ୍ତି, ସେମାନଙ୍କ ନମ୍ବର ଓ ଠିକଣା ରଖିବାକୁ ଗୋଦାମ ମାଲିକଙ୍କୁ କୁହାଯାଇଛି । କଟକ ମାଲଗୋଦାମରେ ଏବେ ଯଥେଷ୍ଟ ତେଲ ଷ୍ଟକ ରହିଛି । ତେଣୁ ଦରବୃଦ୍ଧି ଘଟିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ଯୋଗାଣ ଅଧିକାରୀ । ୟୁକ୍ରେନ-ରୁଷ୍ ଯୁଦ୍ଧ ଯୋଗୁଁ ଖାଇବା ତେଲ ବିଶେଷ କରି ସୂର୍ଯ୍ୟମୁଖୀ ତେଲ ଦର ବଢ଼ିବାର ଆଶଙ୍କା ଭିତରେ କୁତ୍ରିମ ସଂକଟ ଓ କଳାବଜାରୀ ରୋକିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।

ଭାରତ ଖାଇବା ତେଲ ପାଇଁ ମୁଖ୍ୟତଃ ବାହାର ଦେଶ ଉପରେ ନିର୍ଭର କରିଥାଏ । ବିଶେଷ କରି ୟୁକ୍ରେନ ଓ ରୁଷ୍ ଉପରେ ସୂର୍ଯ୍ୟମୁଖୀ ତେଲ ପାଇଁ ନିର୍ଭର କରିଥାଏ । ଏବେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିବା ପରେ ତେଲ ଆମଦାନୀ ବାଧାପ୍ରାପ୍ତ ହୋଇଛି ।