ଆଦାନୀ ଗ୍ରୁପକୁ ବ୍ୟାଙ୍କ ଋଣ ପ୍ରସଙ୍ଗ : ଆଶ୍ୱସ୍ତ କଲେ ରିଜର୍ଭ ବ୍ୟାଙ୍କ୍; କହିଲେ ଦେଶରେ ସ୍ଥିର ଓ ସଚଳ ଅଛି ବ୍ୟାଙ୍କ ବ୍ୟବସ୍ଥା, ସ୍ଥିତି ରଖାଯାଇଛି ନଜର

173

କନକ ବ୍ୟୁରୋ : ଭାରତୀୟ ବ୍ୟାଙ୍କଗୁଡିକର ସ୍ଥିତି ଭଲ ଅଛି । ଅଦାନୀ ଝଡ଼ ଯୋଗୁଁ ସେୟାର ବଜାରରେ ଅସ୍ଥିରତା ଦେଖା ଦେଇଥିବା ବେଳେ ବ୍ୟାଙ୍କ ସଂପର୍କରେ ଏଭଳି ମନ୍ତବ୍ୟ ରଖିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ଅଦାନୀ ଗ୍ରୁପକୁ ଏସବିଆଇ, ପଂଜାବ ନ୍ୟାସନାଲ୍ ବ୍ୟାଙ୍କ ସମେତ କିଛି ରାଷ୍ଟ୍ରାୟତ ବ୍ୟାଙ୍କ ବିପୁଳ ପରିମାଣ ରୁଣ ଦେଇଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା ।

ଆଶଙ୍କା ପାଇଥିଲା ଯେ ଅଦାନୀ ଗ୍ରୁପ ଭଳି ଭାରତୀୟ ବ୍ୟାଙ୍କ ମଧ୍ୟ ପ୍ରଭାବିତ ହେବେ । ତେବେ ଆରବିଆଇ ଶୁଣାଇଛି ଆଶ୍ୱସ୍ତବାଣୀ । ବିଜ୍ଞପ୍ତି ଜାରି କରି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ବ୍ୟାଙ୍କଗୁଡିକର ଆର୍ଥିକ ସ୍ୱାସ୍ଥ୍ୟ ଠିକ୍ ରହିଛି । ଭାରତୀୟ ବ୍ୟାଙ୍କିଙ୍ଗ୍ ସେକ୍ଟର ଓ ସମସ୍ତ ବ୍ୟାଙ୍କଗୁଡିକ ଉପରେ କଡ଼ା ନଜର ରଖାଯାଇଛି । ୫ କୋଟି କିମ୍ବା ତା’ଠାରୁ ଅଧିକ ଟଙ୍କା ରୁଣର ଡାଟା-ବେସ୍କୁ ତଦାରଖ କରାଯାଉଛି । ଆରବିଆଇ କହିଛି, ବ୍ୟାଙ୍କଗୁଡିକ ଭଲ ସ୍ଥିତିରେ ଅଛନ୍ତି ।

କ୍ୟାପିଟାଲ୍, ଆସେଟ୍ କ୍ୱାଲିଟି, ଲିକ୍ୟୁଡିଟି ଭଳି ପାରାମିଟର ଉନ୍ନତମାନର ରହିଛି । ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ନିୟମିତ ଭାବେ ମନିଟରିଂ କରାଯାଉଥିବା କହିଛି କେନ୍ଦ୍ରୀୟ ବ୍ୟାଙ୍କ । ସେପଟେ ଆଦାନି ଗ୍ରୁପ୍ ବିରୋଧରେ ଆସିଥିବା ଜାଲିଆତି ଅଭିଯୋଗକୁ କେନ୍ଦ୍ର ସରକାର ଗମ୍ଭୀରତାର ସହ ନେଇଛନ୍ତି । କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କମ୍ପାନୀର ଆର୍ଥିକ କାରବାରର ପ୍ରାଥମିକ ସମୀକ୍ଷା ଆରମ୍ଭ କରାଯାଇଛି ।