ନିର୍ବାଚନ ମୈଦାନରେ ପ୍ରାର୍ଥୀଙ୍କ ନିଆରା ପ୍ରଚାର । ମଣ୍ଡ ଛୁଆଁଇ କରାଉଛନ୍ତି ଶପଥ, ଚିଠି ଲେଖି କହୁଛନ୍ତି ଭୋଟ୍ ଦେବାକୁ ।

110

କନକ ବ୍ୟୁରୋ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନୀ ପ୍ରଚାରରେ ଅନେକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି । କେଉଁଠି କାଳେ ପ୍ରାର୍ଥୀ ବିଜୟୀ ହେଲା ପରେ ପ୍ରତିଶ୍ରୁତିରୁ ଓହରି ଯିବେ ଭାବି, ଭୋଟର ତାଙ୍କଠାରୁ ମୁଣ୍ଡ ଛୁଆଇଁ ଶପଥ କରାଇ ନେଉଛନ୍ତି । ତ ପୁଣି କେଉଁଠି ଭୋଟରଙ୍କୁ ମୁଣ୍ଡିଆ ମାରି ଭୋଟ ମାଗୁଛନ୍ତି ପ୍ରାର୍ଥୀ । କେବଳ ଏତିକି ନୁହେଁ ଚିଠି ଲେଖି ନିଜ ସପକ୍ଷରେ ଭୋଟ ମାଗୁଛନ୍ତି ପ୍ରାର୍ଥୀ ।

ଜିତିଲେ ଘର ଦେବେ । ନିର୍ବାଚନରେ ଜିତିଗଲା ପରେ ଯେମିତି ଫାଙ୍କି ନଦେବେ ସେଥିପାଇଁ ପ୍ରାର୍ଥୀଙ୍କୁ ମୁଣ୍ଡ ଛୁଆଁଇ ଶପଥ କରାଇ ନେଉଛନ୍ତି ଭୋଟର । ଅନୁଗୁଳ ଜିଲ୍ଲା ପୋକତୁଙ୍ଗା ପଞ୍ଚାୟତରେ ଘର ଘର ବୁଲି ଭୋଟ ଭିକ୍ଷା କରୁଥିବା ସରପଞ୍ଚ ପ୍ରାର୍ଥୀଙ୍କୁ ମୁଣ୍ଡ ଛୁଇଁ ଶପଥ କରୁଛନ୍ତି ଭୋଟର । ଜିତିବା ପରେ ପ୍ରତିଶ୍ରୁତି ରଖିବାକୁ ନିୟମ କରିବାକୁ ପ୍ରାର୍ଥୀଙ୍କୁ ଭୋଟର ବାଧ୍ୟ କରୁଛନ୍ତି । ସେହିପରି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ୧୪ ନମ୍ବର ଜୋନର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ବିଷ୍ଣୁପ୍ରିୟା ବୁଗୁଡିଙ୍କ ନିଆରା ପ୍ରଚାର ଚର୍ଚ୍ଚାରେ ରହିଛି । ହାତରେ ଶଙ୍ଖ ଧରି ଭୋଟରଙ୍କୁ ଭେଟିଲେ ମୁଣ୍ଡିଆ ମାରି ଭୋଟ ମାଗୁଛନ୍ତି । ରାସ୍ତା ଗଲା ବେଳେ ଶଙ୍ଖ ବଜାଇ, ନିଜ ନିର୍ବାଚନୀ ଚିହ୍ନ ବାବଦରେ ଲୋକଙ୍କୁ ଜଣାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ସଂପର୍କରେ ଲୋକଙ୍କୁ ବୁଝାଇ ଭୋଟ ଦେବାକୁ ଅନୁରୋଧ କରୁଛନ୍ତି ବିଷ୍ଣୁପ୍ରିୟା ।

ଚିଠି ଲେଖି ସାଙ୍ଗ ସାଥୀଙ୍କୁ ଭୋଟ ଭିକ୍ଷା

ପଞ୍ଚାୟତ ନିର୍ବାଚନ ପାଇଁ ଚିଠି ଲେଖି ନିଆରା ଢଙ୍ଗରେ ପ୍ରଚାର କରୁଛନ୍ତି ରାୟଗଡା ଜିଲ୍ଲା ଜେମାଦେପେଣ୍ଠ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ବନିତା ମେଲକା । ରୋଜଗାର ପାଇଁ ବାହାର ରାଜ୍ୟକୁ ଯାଇଥିବା ଲୋକଙ୍କୁ ଚିଠି ଲେଖି ଭୋଟ ଦେବାକୁ ନିବେଦନ କରିଛନ୍ତି । ଚିଠିରେ ପିଲା ଦିନର କଥା ମନେ ପକାଇ ଦେଇ ଭୋଟ ଦିନ ଆସିବାକୁ ଅନୁରୋଧ କରିଛନ୍ତି ।

ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନରେ ଅଭିନେତା

ମତଦାନ ତାରିଖ ଯେତିକି ପାଖଉଛି, ପ୍ରଚାର ମଇଦାନ ସେତିକି ସରଗରମ ହେଉଛି । କୋରାପୁଟ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ସିନେତାରକା ଅରିନ୍ଦମ ରାୟ । ଶୁଙ୍କି, ପେଟ୍ରୁ ଯାଉଥିବା ସମୟରେ କୁନ୍ଦୁଲି ହାଟରେ ପ୍ରଚାର କରିଛନ୍ତି ଅରିନ୍ଦମ । ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି, ପର୍ଯ୍ୟବେକ୍ଷକ ରମାକାନ୍ତ ରାଉଳ, ମହିଳା ସଭାନେତ୍ରୀ ଲତା ରାୟ ପ୍ରମୁଖ ତାଙ୍କୁ କୁନ୍ଦୁଲିରେ ସ୍ୱାଗତ କରିଥିଲେ । ଭୋଟ ଗ୍ରହଣ ତାରିଖ ପାଖେଇ ଆସୁଥିବା ବେଳେ ଗାଁ ଗଣ୍ଡାରେ ପ୍ରଚାର ଜୋର ଧରିଛି । ବିଭିନ୍ନ ଉପାୟରେ ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରୁଛନ୍ତି ପ୍ରାର୍ଥୀ ।