ମାନହାନୀ ମାମଲାରେ ସୁରଟ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରିବେ ରାହୁଲ ଗାନ୍ଧୀ । ଆସନ୍ତାକାଲି ସୁରଟ ସେସନ କୋର୍ଟରେ ଆବେଦନ କରିବା ନେଇ ସୂତ୍ର ସୂଚନା

138

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ସୁରଟର ଏକ କୋର୍ଟ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରି ଦୁଇବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ରାହୁଲ ଗାନ୍ଧୀଙ୍କ ଉପରେ କୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଚ କରିବାକୁ ଆବେଦନ ପ୍ରସ୍ତୁତ ହୋଇସାରିଛି ଓ ସେ ଅସନ୍ତାକାଲି ସୁରଟର ସେସନ୍ କୋର୍ଟରେ ଆବେଦନ କରିବେ ବୋଲି ଜଣାପଡିଛି । ଆବେଦନ କରିବାକୁ ନିଜେ ରାହୁଲ ଗାନ୍ଧୀ ଆସନ୍ତା କାଲି ସୁରଟ ଯିବେ । ରାହୁଲ ଗାନ୍ଧୀ ନିଜ ଆବେଦନରେ ଅଦାଲତ ମାନହାନୀ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବିଚାରପତିଙ୍କ ଆଦେଶକୁ ରଦ୍ଦ କରିବାକୁ ସେସନ୍ କୋର୍ଟରେ ଆବେଦନ କରିବେ ।

ସୂଚନା ଥାଉକି ସୁରଟର ଏକ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ ଦଣ୍ଡରେ ଦଣ୍ଡିତ କରିବାର କିଛି ସମୟ ମଧ୍ୟରେ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ଓ ଏକମାସ ମଧ୍ୟରେ ରାହୁଲ ଗାନ୍ଧୀ ଉପର କୋର୍ଟରେ ଆବେଦନ କରିପାରିବେ ବୋଲି କୋର୍ଟ କହିଥିଲେ । ହେଲେ ଲୋକସଭା ସଚିବାଳୟ ତରଫରୁ କୋର୍ଟଙ୍କ ରାୟ ମୁତାବକ ତୁରନ୍ତ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ କରିଦେଇଥିଲେ । ଏହାକୁ ନେଇ ବିରୋଧୀଦଳମାନେ ସରକାରଙ୍କୁ ସମାଲୋଚନା କରିଥିଲେ । ବିରୋଧୀଦଳର ନେତାମାନେ କହିଥିଲେ କି ବୁଲେଟ୍ ଟ୍ରେନ୍ ଗତିରେ ଲୋକସଭା ସଚିବାଳୟ ତରଫରୁ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ କରାଯାଇଛି । ହେଲେ ଯଦି ଏକମାସ ମଧ୍ୟରେ ରାହୁଲ ଗାନ୍ଧୀ ତଳ କୋର୍ଟର ରାୟ ବିରୋଧରେ ଉପର କୋର୍ଟର ରଦ୍ଦ ନିର୍ଦ୍ଦେଶ ନଆଣିପାରନ୍ତି ତେବେ ନିର୍ବାଚନ ଆୟୋଗ କୌଣସି ସମୟରେ ୱାଇନାଡ ଲୋକସଭା ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି ।