ବୋହୂ ଐଶ୍ୱର୍ଯ୍ୟାଙ୍କୁ ପଚରାଉଚରା ପରେ କ୍ଷୁବ୍ଧ ହେଲେ ଜୟା । ରାଜ୍ୟସଭାରେ ରାଗିଯାଇ କହିଲେ, ତୁମମାନଙ୍କର ବି ଖରାପ ଦିନ ଆସିବ

361

କନକ ବ୍ୟୁରୋ : ବୋହୂ କଥା କହିବାରୁ ରାଗିଗଲେ ଶାଶୁ । ଶାସକ ଦଳ ଉପରେ ରାଜ୍ୟସଭାରେ ବର୍ଷିଲେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ । ବଲିଉଡ଼ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନକୁ ପ୍ରବର୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀରେ ୫ ଘଂଟା ଜେରା କରିଛି । ଗତକାଲି ପାନାମା ପେପର୍ସ ଲିକ୍ ମାମଲାରେ ଇଡ଼ିରେ ହାଜର ହୋଇଥିଲେ ଐଶ । ବଚ୍ଚନ ପରିବାରର ବୋହୂଙ୍କୁ ଇଡି ଜେରା କରୁଥିବା ବେଳେ ସମାଜବାଦୀ ପାର୍ଟି ସାଂସଦ ତଥା ଐଶ୍ୱର୍ଯ୍ୟାଙ୍କ ଶାଶୂ ଜୟା ବଚ୍ଚନ ରାଜ୍ୟସଭାରେ ପ୍ରବଳ ରାଗି ଯାଇଥିଲେ ।

ସେ ଶାସକ ଦଳକୁ ଇଙ୍ଗୀତ କରି କହିଥିଲେ ତୁମମାନଙ୍କର ବି ମଧ୍ୟ ଖରାପ ସମୟ ଆସିବ । ତୁମମାନଙ୍କର ମଧ୍ୟ ଖରାପ ସମୟ ଆସିବ ବୋଲି କହି ଜୟା ସରକାରୀ ଦଳକୁ ଏକପ୍ରକାର ଅଭିଶାପ ଦେଇଥିଲେ। ନାର୍କୋଟିକ୍ସ ଡ୍ରଗ୍ସ ଉପରେ ଆଲୋଚନାବେଳେ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା । ମୁଖ୍ୟତଃ ସରକାରୀ ଦଳକୁ ଲକ୍ଷ୍ୟ କରି ସେ ଅଧିକ ବର୍ଷିଥିଲେ । ଏପରିକି ଅଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗ ଆଣିବାକୁ ମଧ୍ୟ ପଛଘୁଞ୍ଚା ଦେଇ ନଥିଲେ। ଅଧ୍ୟକ୍ଷ ବିରୋଧୀ ଦଳଙ୍କ କଥା ଶୁଣୁନାହାନ୍ତି କିମ୍ବା ସେମାନଙ୍କୁ ସୁରକ୍ଷା ଦେଉନାହାନ୍ତି ବୋଲି କହିଥିଲେ । ଏହି ସମୟରେ ଗୃହରେ ଭୁବନେଶ୍ବର କଲିତା ଅଧ୍ୟକ୍ଷତା କରୁଥିଲେ ।

ଅଧ୍ୟକ୍ଷ ଦର୍ଶାଇଥିଲେ ଯେ ସେ ନାର୍କୋଟିକ୍ସ ବିଲ୍ ଉପରେ ଆଲୋଚନା କରୁନାହାନ୍ତି। ଆପଣ ବିଲ୍‌ ଉପରେ ଆଗ୍ରହୀ ନାହାନ୍ତି । ବର୍ତ୍ତମାନ ମୋର କହିବା ପାଳି। କ୍ଲରିକାଲ ତ୍ରୁଟି ପାଇଁ ଆମକୁ ୩ରୁ ୪ ଘଣ୍ଟା ଆଲୋଚନା ପାଇଁ ଦିଆଯାଇଛି ବୋଲି ଜୟା ଦର୍ଶାଇଥିଲେ । ବିଭିନ୍ନ ଆଡ଼ୁ ସଦସ୍ୟମାନେ ଏହାର ପ୍ରତିବାଦ କରିଥିଲେ । ଏହାପରେ ଜୟା ଗୃହରେ ନିଜର ନିୟନ୍ତ୍ରଣ ହରାଇଥିଲେ । ମୁଖ୍ୟତଃ ସରକାରୀ ଦଳର ସଦସ୍ୟମାନଙ୍କୁ ଲକ୍ଷ୍ୟ କରି ସେ କହିଥିଲେ ଏଠାରେ କ’ଣ ଚାଲିଛି ? ଆପଣମାନଙ୍କ ମଧ୍ୟ ଖରାପ ଦିନ ଆସିବ । ବିଜେପି ସାଂସଦ ରାକେଶ ସିହ୍ନା କହିଥିଲେ ଜୟା ଅଧ୍ୟକ୍ଷଙ୍କୁ ଟାର୍ଗେଟ କରିଛନ୍ତି । ଏହାପରେ ଯୁକ୍ତିତର୍କ ଚାଲିଥିଲା । ସଦସ୍ୟଙ୍କ ବିରୋଧରେ ଅଧ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଜୟା ଦାବି କରିଥିଲେ । ତାଙ୍କ ବିରୋଧରେ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିବା ଅଭିଯୋଗ ସେ ଆଣିଥିଲେ ।

ଅଧ୍ୟକ୍ଷ ଘୋଷଣା କରିଥିଲେ ଯେ ଉପଯୁକ୍ତ ନଥିବା ଶବ୍ଦଗୁଡ଼ିକୁ ରେକର୍ଡରୁ ବାଦ୍ ଦିଆଯିବ । ଏଥିସହିତ ଜୟା କହିଥିଲେ ଆମେ ନ୍ୟାୟ ଚାହୁଁ । ସରକାର ଆମକୁ ନ୍ୟାୟ ଦେଇପାରିବେ ନାହିଁ । ଆପଣଙ୍କ ଠାରୁ ଆମେ ନ୍ୟାୟ ଆଶା କରିପାରିବୁ କି ବୋଲି ଜୟା ପଚାରିଥିଲେ । ସରକାରୀ ଦଳ ସାଂସଦ ଯୁଗଳ ଲୋଖଣ୍ଡୱାଲା ବ୍ୟକ୍ତିଗତ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ତୁମେ ଡ୍ରାମା କରିବ ନାହିଁ ବୋଲି ସେ କହିଥିଲେ । ତେବେ ଲୋଖଣ୍ଡୱାଲା ବ୍ୟକ୍ତିଗତଭାବେ ନୁହେଁ ବରଂ ବିରୋଧୀ ଦଳକୁ ଲକ୍ଷ୍ୟ କରି ଏହା କହିଥିଲେ ବୋଲି ସଫେଇ ଦେଇଛନ୍ତି ।