ଟଙ୍କାରେ ଲକ୍ଷ୍ମୀ – ଗଣେଶଙ୍କ ଫଟୋ ରଖିବା ବୟାନ ନେଇ ଏବେ ଅଡୁଆରେ କେଜ୍ରିୱାଲ, ନିଜ ସମର୍ଥକମାନେ ବି ଆରମ୍ଭ କଲେ ଟାର୍ଗେଟ୍

216

କନକ ବ୍ୟୁରୋ : ଭାରତର ରାଜନେତାମାନଙ୍କୁ ଧାର୍ମିକ ଗତିବିଧିରୁ ଅଲଗା କରିବା କେବେ ବି ସମ୍ଭବ ନୁହେଁ । ଆମ ରାଜନୈତିକ ବ୍ୟବସ୍ଥା ଏଭଳି ସ୍ଥାନରେ ପହଂଚି ସାରିଛି କି ଧାର୍ମିକ ସ୍ଥଳକୁ ନିମନ୍ତ୍ରଣ ନଥିଲେ ବି ରାଜନେତାମାନେ ସେଠାକୁ ଧଶେଇ ପଶୁଛନ୍ତି । ହେଲେ ଏଠି ପ୍ରଶ୍ନ ଉଠୁଛି କି ରାଜନୀତି କରିବା ପାଇଁ ଧର୍ମ ଆଳରେ ଆମେ ଆମର ମୌଳିକ ସମସ୍ୟାକୁ ଲୁଚାଇଦେଇପାରିବା  । ଏସବୁ ପ୍ରସଙ୍ଗରେ ନେତାମାନଙ୍କ କାର୍ଯ୍ୟକ୍ରମକୁ ଗଣମାଧ୍ୟମ ଯେତେ ସଜବାଜ କରି ଦେଖାଉଛି ତାହାକୁ ନେଇ ଉତ୍ସାହିତ ହୋଇପଡୁଛନ୍ତି ନେତାମାନେ । ଏହାର ଫଳ ସ୍ୱରୂପ ନିଜକୁ ଓ ନିଜ ପାର୍ଟିକୁ ଧର୍ମ ନିରପେକ୍ଷ ବୋଲି ଡିଣ୍ଡିମ ପିଟୁଥିବା ଜଣେ ନେତା ଅରବିନ୍ଦ କେଜ୍ରିୱାଲ ଭାରତୀୟ ମୁଦ୍ରାରେ ଗାନ୍ଧୀଙ୍କ ପଟୋ ସହ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ରଖିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଛନ୍ତି । ଏନେଇ ସେ ଯୁକ୍ତି ବାଢିଛନ୍ତି କି ମୁଦ୍ରାରେ ଦେବାଦେବୀଙ୍କ ଫଟୋ ରହିଲେ ଏହା ଦେଶର ଲୋକମାନଙ୍କ ପ୍ରତି ଆର୍ଶିବାଦ ଭଳି କାର୍ଯ୍ୟ କରିବ ।

ହେଲେ କେଜ୍ରିୱାଲଙ୍କ ଏଭଳି ବୟାନ ପରେ ଏବେ ସେ ନିଜ ସମର୍ଥକମାନଙ୍କ ଟାର୍ଗେଟକୁ ଆସି ଯାଇଛନ୍ତି । ଆମ୍ ଆଦମୀ ପାର୍ଟି ଓ ଅରବିନ୍ଦ କେଜ୍ରିୱାଲଙ୍କର ଜଣେ ବଡ ସମର୍ଥକ କୁହାଯାଉଥିବା ବରିଷ୍ଠ ସଂଗୀତକାର ବିଶାଲ ଦଦଲାନୀ ଏକ ଟ୍ୱିଟ୍ ମାଧ୍ୟମରେ ଏହା ଉପରେ ମତ ରଖିଛନ୍ତି । ସେ ସିଧା ସଳଖ କେଜ୍ରିୱାଲଙ୍କ ନାମ ନେଇ ନଥିଲେ ପରୋକ୍ଷରେ ଏହା କେଜ୍ରିୱାଲଙ୍କ ଉର୍ଦ୍ଦେଶ୍ୟରେ ଲେଖାଯାଇଥିବା ସ୍ପଷ୍ଟ ହୋଇଛି । ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ଯେ “ଭାରତର ସମ୍ବିଧାନ କହୁଛି ଆମେ ଏକ ଧର୍ମନରପେକ୍ଷ ସମାଜବାଦୀ ଗଣରାଜ୍ୟରେ ବାସ କରୁଛୁ , ଏଣୁ ଶାସନରେ ଧର୍ମର କୌଣସି ସ୍ଥାନ ନାର୍ହିଁ । ହେଲେ ଧର୍ମର କୌଣସି ଭାଗକୁ ସରକାର କିଛି ନା କିଛି ବାହାନରେ ଲୋକଙ୍କ ଉପରେ ଲଦି ଦେବାକୁ ଚେଷ୍ଟା କରୁଛନ୍ତି ”

 

ସୂଚନା ଥାଉକି ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲେ କି ଭାରତୀୟ ମୂୁଦ୍ରାର ଗୋଟିଏ ପାଶ୍ୱର୍ରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ର ରହିଥିବା ବେଳେ ଅନ୍ୟ ପାଶ୍ୱର୍ରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋଚିତ୍ର ରଖାଯାଉ । ଏହା ଫଳରେ ଦେଶର ଲୋକମାନଙ୍କୁ ଦେବାଦେବୀଙ୍କ ଆର୍ଶିବାଦ ମିଳିବ । ଏହାକୁ ନେଇ ଏବେ ବିରୋଧୀମାନେ ମଧ୍ୟ କେଜ୍ରିୱାଲ ହିନ୍ଦୁତ୍ୱବାଦୀ ରାଜନୀତି କରୁଥିବା କଥା କହିଛନ୍ତି ।