‘ମୋ ଆଖିକୁ ଲୁହ ଆସିଯାଉଛି’…କୋହଲିଙ୍କ ଖରାପ ଫର୍ମକୁ ନେଇ ଏମିତି କହିଲେ ଆକାଶ ଚୋପ୍ରା…

154

କନକ ବ୍ୟୁରୋ: ଚଳିତ ବର୍ଷ ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଆରସିବିର କ୍ୟାପଟେନ୍ ପଦରୁ ବିରାଟ କୋହଲି ବିଦାୟ ନେଇଥିଲେ । ଏହାପରେ ଆଶା କରାଯାଉଥିଲା, ବିରାଟଙ୍କ ବ୍ୟାଟରୁ ରନ୍ ଆସିବ । ହେଲେ ଚଳିତ ସିଜିନର ଗତ ଦୁଇଟି ମ୍ୟାଚରେ କୋହଲି ଶୂନରେ ଆଉଟ୍ ହେବା ତାଙ୍କ ଫ୍ୟାନ୍ସଙ୍କୁ ନିରାଶ କରିଛି । ଆଉ ଏହି ଫ୍ୟାନ୍ସ ତାଲିକାରେ ଅଛନ୍ତି କ୍ରିକେଟ୍ ଭାଷ୍ୟକାର ଆକାଶ ଚୋପ୍ରା । ସେ କହିଛନ୍ତି, କୋହଲି ରନ୍ ସଂଗ୍ରହ କରିବା ପାଇଁ ସଂଘର୍ଷ କରୁଥିବା ଦେଖି ମୋତେ ଖରାପ ଲାଗୁଛି । ଏମିତିକି କୋହଲିଙ୍କ ଖରାପ ଫର୍ମ ଦେଖି ତାଙ୍କ ଆଖିରେ ଲୁହ ଆସିଯାଉଥିବା କଥା ସେ ଉଲ୍ଲେଖ କରିଛନ୍ତି ।

ଆକାଶ ଚୋପ୍ରା ନିଜ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, ପ୍ରଶ୍ନ ଏହା ଯେ, କୋହଲି କେବେ ରନ୍ ବନେଇବେ । ସେ ରନ୍ ବନେଇବେ କି ନାହିଁ ତାହା ହିଁ ବର୍ତ୍ତମାନ ବଡ ପ୍ରଶ୍ନ । ତେବେ ସେ ଗତ ଦୁଇଟି ମ୍ୟାଚରେ ଶୂନ ରନରେ ଆଉଟ୍ ହେବା, ଦୁଇଟି ମ୍ୟାଚରେ ରନ୍ ଆଉଟ୍ ହେବା ସମସ୍ତଙ୍କୁ ନିରାଶ କରିଛି ବୋଲି ସେ କହିଛନ୍ତି ।

ଚଳିତ ବର୍ଷ ଆଇପିଏଲରେ କୋହଲିଙ୍କ ବ୍ୟାଟ ଶାନ୍ତ ରହିଛି । ବର୍ତ୍ତମାନ ସୁଦ୍ଧା କୋହଲି ୮ଟି ମ୍ୟାଚରୁ କେବଳ ୧୧୯ ରନ୍ କରିପାରିଛନ୍ତି । ଏପର୍ଯ୍ୟନ୍ତ କୋହଲି ଖେଳିଥିବା ଇଂନିସ ଭିତରୁ ସର୍ବାଧିକ ରହିଛି କେବଳ ୪୦ ରନ୍ । ସେ ଗୋଟିଏ ଅର୍ଦ୍ଧଶତକ ମଧ୍ୟ ଅର୍ଜନ କରିପାରିନାହାଁନ୍ତି । ତେବେ ଏ ସବୁ ଭିତରେ ଗତ ଦୁଇଟି ମ୍ୟାଚରେ ସେ ଶୂନରେ ଆଉଟ୍ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଅନ୍ୟପଟେ ବିରାଟ କୋହଲି ଖୁବଶୀଘ୍ର ଖରାପ ଫର୍ମରୁ ଫେରିବେ । ବର୍ତ୍ତମାନ କୋହଲିଙ୍କୁ ସବୁଠୁ ଅଧିକ ସପୋର୍ଟର ଆବଶ୍ୟକତା ଅଛି ବୋଲି ଆକାଶ ଚୋପ୍ରା କହିଛନ୍ତି । ତେବେ ବର୍ତ୍ତମାନ ସମୟରେ ଧୋନୀ, ରୋହିତ ଓ କୋହଲି, ଜଣେ ଜଣେ ଖେଳାଳି ନୁହଁନ୍ତି ବରଂ ସେମାନେ ଗୋଟିଏ ଗୋଟିଏ ଇମୋସନ୍ ବୋଲି କହିଛନ୍ତି ଆକାଶ ଚୋପ୍ରା ।