ପଛରେ ପଡିଲେ ଅମ୍ବାନୀ, ବିଶ୍ୱର ଟପ୍-୫ ଧନୀ ତାଲିକାରେ ଅଦାନୀ । ଜାଣନ୍ତୁ ଗୌତମ ଅଦାନୀଙ୍କର ମୋଟ ସମ୍ପତ୍ତି କେତେ?

341

କନକ ବ୍ୟୁରୋ : ଅଦାନୀ ଗ୍ରୁପର ଚେୟାରମ୍ୟାନ୍ ଗୌତମ ଅଦାନୀଙ୍କ ସମ୍ପତ୍ତି ତାଲିକା ହୁ ହୁ ହୋଇ ବଢିଛି । ସମ୍ପତ୍ତି ବୃଦ୍ଧି ସହ ବିଶ୍ୱର ଅନେକ ବଡ ବଡ ବ୍ୟବସାୟୀ ଓ ଉଦ୍ୟୋଗପତିଙ୍କୁ ପଛରେ ପକାଇ ଧନୀ ତାଲିକାର ଟପ୍-୫ରେ ପହଞ୍ଚିଛନ୍ତି ଅଦାନୀ । ଫୋବର୍ସ ରିଅଲ ଟାଇମ ବିଲେନିୟର ତାଲିକା ଅନୁଯାୟୀ, ଏବେ ଅଦାନୀ ବିଶ୍ୱର ୫ମ ଧନୀ ପାଲଟିଛନ୍ତି । ଏବେ ଅଦାନୀଙ୍କ ମୋଟ ସମ୍ପତ୍ତି ୧୨୩.୨ ଆରବ ଡଲାରରେ ପହଞ୍ଚିଛି । ବିଶିଷ୍ଟ କୋଟିପତି ତଥା ନିବେଶକ ୱାରେନ ବଫେଟଙ୍କୁ ପଛରେ ପକାଇ ତାଲିକାର ୫ମ ସ୍ଥାନରେ ପହଞ୍ଚିଛନ୍ତି ଅଦାନୀ ।

ଏବେ ବିଶ୍ୱର ୪ ଜଣ ବ୍ୟକ୍ତି ଏମିତି ଅଛନ୍ତି ଯେଉଁମାନେ ଅଦାନୀଙ୍କ ଠାରୁ ଅଧିକ ଧନୀ । ତାଲିକାର ପ୍ରଥମରେ ରହିଛନ୍ତି ଟେସଲା ମୁଖ୍ୟ ଏଲନ ମସ୍କ । ଏବେ ମସ୍କଙ୍କର ସମ୍ପତ୍ତି ୨୬୯.୭ ଆରବ ଡଲାର । ଅଦାନୀଙ୍କ ସମ୍ପତ୍ତିର ଦୁଇ ଗୁଣରୁ ଅଧିକ ହେଉଛି ମସ୍କଙ୍କ ସମ୍ପତ୍ତି । ଆମାଜନର ମାଲିକ ଜେଫ୍ ବେଜୋସ ୧୭୦.୨ ଆରବ ଡଲାର ସମ୍ପତ୍ତି ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ଏଲଭିଏମଏଚର ବର୍ଣ୍ଣାଡ ଆରନୋଲ୍ଟ ଆଣ୍ଡ ଫ୍ୟାମିଲିର ସମ୍ପତ୍ତି ୧୬୬.୮ ଆରବ ଡଲାର ରହିଛି । ମାଇକ୍ରୋସଫ୍ଟର ମାଲିକ ବିଲ ଗେଟସ ୧୩୦.୨ ଆରବ ଡଲାର ସମ୍ପତ୍ତି ସହ ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି ।

ପୂର୍ବରୁ ବିଶ୍ୱର ଟପ-୧୦ ଧନୀ ତାଲିକାରେ କେବଳ ଜଣେ ଭାରତୀୟ ଭାବେ ମୁକେଶ ଅମ୍ବାନୀଙ୍କ ନାଁ ରହୁଥିଲା । କିନ୍ତୁ ଏବେ ତାଲିକାରେ ଅଦାନୀଙ୍କର ଏଣ୍ଟ୍ରି ହୋଇଛି । ଆଉ ସବୁଠୁ ବଡ କଥା ହେଲା ଏହି ତାଲିକାରେ ଅମ୍ବାନୀଙ୍କୁ ପଛରେ ପକାଇ ଅଦାନୀ ଏବେ ବିଶ୍ୱର ଟପ୍-୫ ଧନୀ ତାଲିକାରେ ନିଜକୁ ସାମିଲ କରିଛନ୍ତି । ଏହି ତାଲିକାରେ ଏବେ ଅମ୍ବାନୀ ଏବେ ୮ମ ସ୍ଥାନରେ ରହିଛନ୍ତି । ଫୋବର୍ସ ତାଲିକାରେ ଅମ୍ବାନୀଙ୍କର ସମ୍ପତ୍ତି ଏବେ ୧୦୪.୨ ଆରବ ଡଲାର ରହିଛି ।

ଏହାପୂର୍ବରୁ ଚଳିତ ମାସ ଆରମ୍ଭରୁ ଅଦାନୀ ଏସିଆର ସବୁଠୁ ବଡ ଧନୀ ତାଲିକାର ପ୍ରଥମ ସ୍ଥାନକୁ ଉଠିଥିଲେ । ୫୯ ବର୍ଷୀୟ ଅଦାନୀଙ୍କ ବିଭିନ୍ନ କମ୍ପାନିର ସେୟାର ଚଳିତବର୍ଷ ୧୯ ପ୍ରତିଶତରୁ ୧୯୫ ପ୍ରତିଶତକୁ ବୃଦ୍ଧି ପାଇଛି । ବିଭିନ୍ନ କ୍ଷେତ୍ରରେ ଏବେ ଅଦାନୀ ଗ୍ରୁପ୍ ଅର୍ଥ ନିବେଶ କରୁଛି । ଖାସକରି ବିମାନ, ବନ୍ଦର ଓ ଶକ୍ତି କ୍ଷେତ୍ରରେ ଅଧିକରୁ ଅଧିକ ଅର୍ଥ ନିବେଶ କରୁଛି ଅଦାନୀ ଗ୍ରୁପ୍ । ଦୁଇ ବର୍ଷ ପୂର୍ବେ ଗୌତମ ଅଦାନୀଙ୍କ ମୋଟ ସମ୍ପତ୍ତି ୮.୯ ଆରବ ଡଲାର ରହିଥିଲା । କିନ୍ତୁ ମାର୍ଚ୍ଚ ୨୦୨୧ରେ ଅଦାନୀଙ୍କ ସମ୍ପତ୍ତି ୫୦.୫ ଆରବ ଡଲାରରେ ପହଞ୍ଚିଥିଲା । କରୋନା କାଳରେ ଅଦାନୀଙ୍କର ସମ୍ପତ୍ତି ହୁ ହୁ ହୋଇ ବଢିଥିଲା । ସେହିଭଳି ୨୦୨୨ ଆରମ୍ଭରୁ ହିଁ ଅଦାନୀଙ୍କ ସମ୍ପତ୍ତି ଦୁଇ ଗୁଣ ବୃଦ୍ଧି ପାଇ ୯୦ ଆରବ ଡଲାରରେ ପହଞ୍ଚିଥିଲା । ଆଉ ଏବେ ଅଦାନୀଙ୍କ ସମ୍ପତ୍ତି ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଠାରୁ ୧୯ ଆରବ ଡଲାର ଅଧିକ ରହିଛି । ଏହାସହ ଏସିଆର ସବୁଠୁ ଅଧିକ ଧନୀ ବ୍ୟକ୍ତି ସାଜିବା ସହ ବିଶ୍ୱର ଟପ୍-୫ ଧନୀ ତାଲିକାରେ ଏଣ୍ଟ୍ରି ମାରିଛନ୍ତି ଅଦାନୀ ।