ପ୍ରଥମେ ଜୀବିତ ଥିବା କହିଥିଲେ ଡାକ୍ତର । ପରେ ଫୋନ କରିବାରୁ ମୃତ ବୋଲି କହିଥିଲେ ମ୍ୟୁନିସପାଲଟି କର୍ମଚାରୀ । ଏବେ ଆଧାରକାର୍ଡ ମିଳିଥିଲେ ବି ମିଳୁନି ଶବ ।

1,406

କନକ ବ୍ୟୁରୋ: ଦୁର୍ଘଟଣାର ଶିକାର ପରେ ଜୀବିତ ଥିବା ଡାକ୍ତର ସୂଚନା ଦେଇଥିଲେ କିନ୍ତୁ ଏବେ ସେ ମୃତ ବୋଲି ଜଣାପଡିଛି । କିନ୍ତୁ ବିଡମ୍ବନାର କଥା ହେଲା ବିହାରର ଏହି ଯୁବକଙ୍କର ମରଶରୀର ମିଳୁନି । ବିହାର ଦରଭଙ୍ଗା ଜିଲ୍ଲାରୁ ବିନୋଦ ଯାଦବ କରମଣ୍ଡଳ ଟ୍ରେନରେ ହାୱଡାରୁ ଚେନ୍ନାଇ ଯାଉଥିଲେ । ଟ୍ରେନ ଦୁର୍ଘଟଣା ଖବର ପାଇ ଘର ଲୋକ ଫୋନ କରିବା ପରେ ରାତି ପ୍ରାୟ ୧୧ ଟାରେ ବିନୋଦ ଫୋନ୍ ଉଠାଇଥିଲେ । ଛାତିରେ ଯନ୍ତ୍ରଣା ହେଉଥିବା ମଧ୍ୟ ପରିବାର ଲୋକଙ୍କୁ କହିଥିଲେ । ଏଥିସହ ବାଲେଶ୍ୱର ମେଡିକାଲରେ ତାଙ୍କର ଚିକିତ୍ସା ହେଉଥିବା ମଧ୍ୟ କହିଥିଲେ । ପରବର୍ତୀ ସମୟରେ ପୁଣି ଘର ଲୋକ ଫୋନ କରିବା ପରେ ମୁନିସିପାଲଟିର ଜଣେ ବ୍ୟକ୍ତି ଫୋନ୍ ଉଠାଇ କହିଥିଲେ ବିନୋଦଙ୍କର ମୃତ୍ୟୁ ହୋଇଛି । ଶୀଘ୍ର ମୃତଦେହ ନେଇଯାଅ । ମୃତଦେହ ନେବା ପାଇଁ ବାଲେଶ୍ୱର ଆସି ପହଞ୍ଚିଥିଲେ ବିନୋଦଙ୍କ ଘର ଲୋକେ । ଏବେ ବହୁ ଖୋଜାଖୋଜି କରିବା ପରେ ବିନୋଦଙ୍କ ଆଧାର କାର୍ଡ ମିଳିଥିଲା ବାମପଦା ସ୍ଥିତ ନୋଷୀ ବିଜନେସ ପାର୍କ ପିଣ୍ଡାରେ । ଯେଉଁଠି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତ ଦେହ ରଖାଯାଇଛି । ତେବେ ତାଙ୍କ ମୃତ୍ୟୁ ପରର ଫଟୋ ମିଳିଛି ବାଲେଶ୍ୱର ମେଡିକାଲରୁ । ଏବେ କିନ୍ତୁ ବିନୋଦଙ୍କ ରେକର୍ଡ ମିଳୁନାହିଁ କି ତାଙ୍କ ମୃତଦେହ ମିଳୁନାହିଁ । ତେଣୁ ଏବେ କେଉଁଠି ବିନୋଦଙ୍କ ମର ଶରୀର ତାହା ଏବେ ବଡ ପ୍ରଶ୍ନ ।