ରାଜଧାନୀ ରାସ୍ତାରେ ଅଭାବନୀୟ ଦୃଶ୍ୟ । ମିଳିଲାନି ମହାପ୍ରୟାଣ ଗାଡି, ମା’ର ମୃତଦେହକୁ ଷ୍ଟ୍ରେଚରରେ ବୋହିଲେ ଯୁବକ

405

କନକ ବ୍ୟୁରୋ : ମୃତ ମାଆକୁ ମିଳିଲାନି ମହାପ୍ରୟାଣ ଗାଡି । ଆଉ ବେସରକାରୀ ଆମ୍ବୁଲାନ୍ସ ପାଇଁ ଟଙ୍କା ନାହିଁ । ଏଣୁ ମୃତ ମାଆଙ୍କ ମୃତଦେହକୁ ଷ୍ଟ୍ରେଚରରେ ଭିଡି ଭିଡି ନେଇଛନ୍ତି ଖୋର୍ଧା ଡଙ୍ଗରପଡା ଗାଁର ମାନସ ବାହୁବଳେନ୍ଦ୍ର । ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲରେ ଏଭଳି ଘଟଣା ଘଟିଛି ।
ଖବର ଅନୁସାରେ, ମାନସଙ୍କ ମାଆଙ୍କ ବ୍ରେନ ଷ୍ଟ୍ରୋକ ହୋଇଥିଲା । ଏହାପରେ ତାଙ୍କୁ ପ୍ରଥମେ ଏମ୍ସ ଓ ପରେ କ୍ୟାପିଟାଲ ହସ୍ପିଟାଲ ଅଣାଯାଇଥିଲା । କିନ୍ତୁ ଗୋଟିଏ ଦିନ ପରେ ମୃତ୍ୟୁ ହୋଇଥିଲା । କାଜୁଆଲଟିରେ ତାଙ୍କ ମାଆଙ୍କୁ ଠିକ ଭାବେ ଦେଖାଯାଇନଥିବା ଅଭିଯୋଗ କରିଛନ୍ତି ମାନସ । ଏପରିକି ମୃତଦେହ ନେବା ପାଇଁ ମହାପ୍ରୟାଣ ଗାଡି ବି ମିଳିନଥିବା ଅଭିଯୋଗ କରିଛନ୍ତି । ମେଡିକାଲ କର୍ତୃପକ୍ଷ ତାଙ୍କୁ ବେସରକାରୀ ଆମ୍ବୁଲାନ୍ସ ନେବାକୁ କହିଥିଲେ । କିନ୍ତୁ ଟଙ୍କା ଅଭାବରୁ ସେ ଏଥିପାଇଁ ଅକ୍ଷମ ବୋଲି କହିଛନ୍ତି । ତେଣୁ ନିଜ ଗାଁ ଖୋର୍ଧା ଡଙ୍ଗରପଡା ଯାଏଁ ପ୍ରାୟ ୫୦ କିଲୋମିଟର ମୃତଦେହକୁ ଭିଡି ଭିଡି ନେବେ ବୋଲି କହିଥିଲେ ମାନସ ବାହୁବଳେନ୍ଦ୍ର । ତେବେ ପ୍ରାୟ ୩ କିଲୋମିଟର ଯିବା ପରେ ପ୍ରାଇଭେଟ ଆମ୍ବୁଲାନ୍ସ ସଂଘ ସହାୟତାରେ ଆମ୍ବୁଲାନ୍ସ ଦିଆଯାଇ ମୃତଦେହକୁ ଗାଁକୁ ପଠାଯିବାର ବ୍ୟବସ୍ଥା କରାଯାଇଛି ।