ୟୁକ୍ରେନରେ ଏବେ ବି ଫଶିଛନ୍ତି ବହୁ ସଂଖ୍ୟାରେ ଭାରତୀୟ: ଯୁଦ୍ଧ ଭୂମିରୁ ଫେରିବା ପରେ ଭୟଙ୍କର ଅନୁଭୂତି ବଖାଣିଲେ ଓଡିଆ ପରିବାର

133

କନକ ବ୍ୟୁରୋ: ଆଖିରେ ନିଦ ନାହିଁ, ଭୋକ ବି ହଜିଯାଇଛି । ସାଇରନ ବାଜିଲେ ଥରି ଉଠୁଛି ଛାତି । ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ସେମାନଙ୍କ ଅନୁଭୂତି କହିଛନ୍ତି ଯୁଦ୍ଧକୁ ଅଙ୍ଗେ ଲିଭାଇଥିବା ଓଡିଆ ଛାତ୍ରଛାତ୍ରୀ ।

କ୍ୟାରିୟର ଗଢ଼ିବାକୁ ବିଦେଶ ଯାଇଥିବା ପିଲାଙ୍କ ମନରେ କେବଳ ଗୋଟିଏ କଥା, କେବେ ଭାରତ ଫେରିବେ । ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ଜୀବନ ବଂଚାଇବା ପାଇଁ ଖାର୍କିଭ ଓ କିଭ୍ ଛାଡୁଛନ୍ତି ଭାରତୀୟ । ଖାର୍କିଭ ମେଡିକାଲ ୟୁନିଭର୍ସିଟିରେ ଡାକ୍ତରୀ ପଢୁଥିବା ଛାତ୍ରଛାତ୍ରୀ ଜୀବନକୁ ବାଜି ଲଗାଇ ଖାର୍କିଭ ଛାଡିଛନ୍ତି । ନିକଟସ୍ଥ ରେଳ ଷ୍ଟେସନ ପହଂଚିବା ପାଇଁ ଦେଢ ଘଂଟା ଚାଲିଛନ୍ତି ଛାତ୍ରଛାତ୍ରୀ । ଉଭୟ ରୁଷ ଓ ୟୁକ୍ରେନର ଗୁଳିରୁ ବଂଚିବା ପାଇଁ ହାତରେ ଭାରତୀୟ ଜାତୀୟ ପତାକା ଧରି ଚାଲିଥିଲେ ଛାତ୍ରଛାତ୍ରୀ ।

ଯୁଦ୍ଧ ଭୂମିରୁ ଜୀବନ ବଂଚାଇ ଓଡିଶା ଫେରିଥିବା ଏକ ପରିବାର ବଖାଣିଛନ୍ତି ନିଜ ଅନୁଭୂତି । ରୁଷ ଆକ୍ରମଣ କରିବ ବୋଲି ୟୁକ୍ରେନ ବହୁ ପୂର୍ବରୁ ଜାଣିସାରିଥିଲା । ସେଥିପାଇଁ ପ୍ରସ୍ତୁତ କରୁଥିଲା ଯୁବ ସେନା । ୟୁକ୍ରେନ ଆର୍ମିରେ ଯୋଗ ଦେବା ପାଇଁ ଓଡିଆ ଯୁବକ ଓମକାରଙ୍କୁ ବି ମିଳିଥିଲା ଅଫର । ମାସକ ତଳୁ ଆସିଥିଲା ଏଭଳି ଅଫର । ଯେତେ ଶୀଘ୍ର ହେବ ଆର୍ମିରେ ଯୋଗ ଦିଅ, ଟ୍ରେନିଂ ଚାଲିବ । କିନ୍ତୁ ୟୁକ୍ରେନର ପାସପୋର୍ଟ ନଥିବାରୁ ୟୁକ୍ରେନ ସେନାରେ ଯୋଗ ଦେଇନଥିଲେ ଓମକାର ନାୟକ । ୟୁକ୍ରେନର ଜାତୀୟ ବାସ୍କେଟବଲ ଟିମରେ ଖେଳୁଥିଲେ ଓମକାର । ତାଙ୍କ ଟିମର ଅଧିକାଂଶ ଖେଳାଳୀ ଯୁଦ୍ଧରେ ସାମିଲ ହୋଇସାରିଥିବା କହିଛନ୍ତି ଓମକାର ।

ଗତ ୨୦ ହର୍ଷ ହେବ ୟୁକ୍ରେନର ଫାର୍ମ୍ୟସ୍ୟୁଟିକାଲ୍ସ ବ୍ୟବସାୟ କରୁଥିଲେ ସଂଜୟ ନାୟକ । ତାଙ୍କ ପତ୍ନୀ ଇଂଟରନ୍ୟାସ୍ନାଲ ସ୍କୁଲରେ ଶିକ୍ଷକତା କରୁଥିଲେ । ପୁଅ ଝିଅଙ୍କ ପଢାପଢି ବି ଠିକଠାକ ଚାଲିଥିଲା । କିନ୍ତୁ ୟୁକ୍ରେନରେ ରୁଷର ଆକ୍ରମଣ ପରେ ସବୁକିଛି ଓଲଟପାଲଟ ହୋଇଯାଇଛି । ଦୁଇ ଦଶନ୍ଧୀର ସମ୍ପତି ଓ ସମ୍ପର୍କକୁ ଛାଡି ଜୀବନ ବିକଳରେ ଓଡିଶା ଫେରିଆସିଛନ୍ତି ଏହି ପରିବାର ।
ୟୁକ୍ରେନରେ ସ୍ୱପ୍ନର ଦୁନିଆ ଦେଖିଥିବା ଏହି ପରିବାର ଏବେ ଆଖି ସାମ୍ନାରେ ଦେଖୁଛି ବିଭୀଷିକା । ଯୁଦ୍ଧ କେବେ ଥମିବ, ତା’ର ଉତର କାହାରି ପାଖରେ ନାହିଁ । ତଥାପି ଖୁବ ଶୀଘ୍ର ସ୍ଥିତି ସୁଧୁରିବ ବୋଲି ଆଶା ବାନ୍ଧିଛନ୍ତି ଏହି ପରିବାର ।