ଧାନ ବିକ୍ରିରେ ଅବ୍ୟବସ୍ଥା ପରେ ଚାଷୀଙ୍କ ମନରେ କ୍ଷୋଭ । ଗଞ୍ଜେଇ ଚାଷ ପାଇଁ ମାଗିଲେ ଅନୁମତି ।

219

କନକ ବ୍ୟୁରୋ: ଝାଳବୁହାଇ କ୍ଷେତରେ ଧାନ ଫଳାଇଲେ । ହେଲେ ବିକ୍ରି ହୋଇପାରିଲାନି ଧାନ । ଏହାକୁ ନେଇ ଚାଷୀଙ୍କ ମନରେ କ୍ଷୋଭ । ଶେଷରେ ନିଜ ଜମିରେ ଧାନ ବଦଳରେ ଗଞ୍ଜେଇ ଚାଷ କରିବାକୁ ମାଗିଲେ ଅନୁମତି । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ତହସିଲ ଭାଲୁଡୁଙ୍ଗୁରି ମୌଜାର ଚାଷୀ ନିଳାମ୍ବର ବିଶ୍ୱର ଗଞ୍ଜେଇ ଚାଷ କରିବା ପାଇଁ ଅନୁମତି ମାଗିଛନ୍ତି । ଏନେଇ ଖପ୍ରାଖୋଲ ତହସିଲଦାରଙ୍କ ନିକଟରେ ଅନୁମତି ମାଗିଛନ୍ତି । ଗୁରୁବାର ସେ ଏନେଇ ତହସିଲଦାରଙ୍କ ନିକଟରେ ଆବେଦନ କରିବା ପରେ ଏହି ଘଟଣା ଆଲୋଡ଼ନ ଖେଳାଇ ଦେଇଛି ।

ନୀଳାମ୍ବର ତାଙ୍କ ୧୫ ଏକର ଜମିରେ ଖରିଫ ଧାନଚାଷ କରିଥିଲେ । ତାଙ୍କ ନାଁରେ ୭୮ କୁଇଣ୍ଟାଲ ଏବଂ ପୁତୁରା ଅବିନାଶଙ୍କ ନାଁରେ ୫୪ କୁଇଣ୍ଟାଲ ଧାନ ବିକିବାକୁ ଅନୁମତି ମିଳିଥିଲା । ତେବେ ନୀଳାମ୍ବରଙ୍କ ଅଭିଯୋଗ ହେଲା, ଜାଣିଶୁଣି ତାଙ୍କର ଅଧା ଜମିକୁ ପଞ୍ଜୀକୃତ କରାଯାଇ ନାହିଁ । ଏନେଇ ସେ ତହସିଲଦାରଙ୍କୁ ଜଣାଇବା ପରେ ରାଜସ୍ୱ ଅଧିକାରୀ ବିଲକୁ ଯାଇ ଯାଞ୍ଚ କରିଥିଲେ । ସେତେବେଳେ ତାଙ୍କୁ ଧାନ ବିକ୍ରିିରେ କୌଣସି ସମସ୍ୟା ହେବ ନାହିଁ ବୋଲି ପ୍ରତିଶ୍ରୁତି ମିଳିଥିଲା । ହେଲେ ନୀଳାମ୍ବର ଗତ ୨ ତାରିଖରୁ ମଣ୍ଡିକୁ ଧାନ ନେଇ ରଖିଥିଲେ ବି ଏଯାଏଁ ଧାନ ବିକ୍ରିି ହୋଇନାହିଁ । ତେଣୁ ସେ କ୍ଷୋଭର ସହ ଜଣାଇଛନ୍ତି ଯେ, ଯଦି ତାଙ୍କ ଧାନ ବିକ୍ରିି ନହୁଏ, ତାହେଲେ ସେ ଧାନକୁ ତହସିଲ ଅଫିସରେ ପକାଇ ଚାଲିଯିବେ । ଏହାସହ ଆଗକୁ ଆଉ ଧାନଚାଷ କରିବେ ନାହିଁ । ତେଣୁ ତାଙ୍କୁ ଧାନ ଚାଷ ବଦଳରେ ଗଞ୍ଜେଇ ଚାଷ ପାଇଁ ଅନୁମତି ଦିଆଯାଉ ବୋଲି ସେ ତହସିଲଦାରଙ୍କ ନିକଟରେ ଆବେଦନ କରିଛନ୍ତି । ଯାହାକି ଏବେ ଚର୍ଚ୍ଚାର କାରଣ ପାଲଟିଛି ।