ମଧୁବାକୁ ପେନସନ ପାଇଁ ଚେୟାର ସାହାରାରେ ବାଟ ଚାଲିଲେ ୭୦ ବର୍ଷୀୟା ବୃଦ୍ଧା। ଏସବିଆଇକୁ ତାଗିଦ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ।

370

କନକ ବ୍ୟୁରୋ: ନବରଙ୍ଗପୁରର ସୂର୍ଯ୍ୟ ହରିଜନଙ୍କ ଦୁଃଖ କାହାଣୀ ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି । ଏହି ଦୃଶ୍ୟ କେବଳ ସୂର୍ଯ୍ୟ ହରିଜନଙ୍କ ଅସହାୟ ସ୍ଥିତିକୁ ବର୍ଣ୍ଣନା କରୁନାହିଁ, ପୂରା ବ୍ୟବସ୍ଥା କିପରି ପଙ୍ଗୁ ହୋଇଯାଇଛି, ତାହା ଦର୍ଶାଉଛି । ମଧୁବାବୁ ପେନସନ୍ ପାଇବା ପାଇଁ ପରିଣତ ବୟସରେ କିପରି ଜଣେ ବୃଦ୍ଧା ସଂଘର୍ଷ କରୁଛନ୍ତି, ତା’ର ଚିତ୍ର ସମସ୍ତଙ୍କୁ ଚହଲାଇ ଦେଇଛି ।

ଅଟୋରେ ବ୍ୟାଙ୍କ ଯିବା ପାଇଁ ସୂର୍ଯ୍ୟ ହରିଜନଙ୍କ ପାଖରେ ଟଙ୍କା ନଥିଲା । ପେନସନ ଟଙ୍କା ପାଇବା ପାଇଁ ବାଧ୍ୟ ହୋଇ ପ୍ଲାଷ୍ଟିକ ଚେୟାର ସାହାଯ୍ୟରେ ପାଖାପାଖି ୨ କିଲୋମିଟର ଚାଲିଥିଲେ ବୃଦ୍ଧା । ଯେଉଁଠିକୁ ଗଲେ ଆଙ୍ଗୁଠି ଛାପ ମିଶୁନଥିବା କହି ତାଙ୍କୁ ଫେରେଇ ଦେଲେ । କିନ୍ତୁ ସଂଘର୍ଷର ଦୃଶ୍ୟକୁ ଜଣେ ଯୁବକ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ପରେ ଲୋକଲୋଚନକୁ ଆସିଥିଲା ଏହି ଘଟଣା ।

ଭିଡିଓକୁ ଦେଖିବା ପରେ ଏସବିଆଇକୁ ତାଗିଦ କରି ଟ୍ୱିଟ୍ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଭିଡିଓକୁ ସେୟାର କରି ନିର୍ମଳା ସୀତାରମଣ ଏନେଇ ଷ୍ଟେଟ ବ୍ୟାଙ୍କ ଅବଗତ ଅଛନ୍ତି କି ନାହିଁ ଏବଂ ମାନବିକତା ଦୃଷ୍ଟିରୁ କଣ ପଦକ୍ଷେପ ନେଇଛନ୍ତି କି ବୋଲି ପ୍ରଶ୍ନ କରିଥିଲେ । ନିର୍ମଳା ସୀତାରମଣଙ୍କ ଟ୍ୱିଟ ପରେ ତତ୍ପର ହୋଇଉଠିଛନ୍ତି ବ୍ୟାଙ୍କ କର୍ତୃପକ୍ଷ । ଉତର ରଖି ଏସବିଆଇ ପକ୍ଷରୁ କୁହାଯାଇଛି, ଝରିଗାଁରେ ଥିବା ସିଏସପି ପଏଣ୍ଟରୁ ସେ ପେନସନ ଟଙ୍କା ଉଠାଉଥିଲେ । ସେଠାରେ ତାଙ୍କର ଫିଙ୍ଗର ପ୍ରିଣ୍ଟ ମ୍ୟାଚ କରିନଥିଲା । ତେବେ ନିର୍ମଳାଙ୍କ ଟ୍ୱିଟ୍ ପରେ ସୂର୍ଯ୍ୟ ହରିଜନଙ୍କ ଘରେ ପହଂଚିଛି ବ୍ୟାଙ୍କ୍ । ଝରିଗାଁ ଏସବିଆଇ ବ୍ୟାଙ୍କର ମ୍ୟାନେଜର ଓ ଅନ୍ୟ କର୍ମଚାରୀ ବଣୁଆଗୁଡ଼ାରେ ପହଞ୍ଚିଥିଲେ । ତୁରନ୍ତ ୬ମାସର ପେନସନ୍ ଦିଆଯିବା ସହ ପେନସନ୍ ରାଶି ୫ଶହରୁ ୭ଶହ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଆସନ୍ତା ମାସରୁ ଘରେ ଯାଇ ବୃଦ୍ଧାଙ୍କୁ ପେନସନ୍ ଦେବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଏହାସହ ଗୋଟିଏ ହ୍ୱିଲ୍ ଚେୟାର ମଧ୍ୟ ପ୍ରଶାସନ ପକ୍ଷରୁ ବୃଦ୍ଧ ମହିଳାଙ୍କୁ ଯୋଗାଇ ଦିଆଯାଇଛି । ସପ୍ତାହକ ମଧ୍ୟରେ ସରକାରୀ ଆବାସ ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି ପ୍ରଶାସନ । ଏଠି ପ୍ରଶ୍ନ ଉଠୁଛି, କାହିଁକି ମଧୁବାବୁ ପେନସନ୍ ପାଇବାକୁ ସୂର୍ଯ୍ୟ ହରିଜନଙ୍କୁ ଏତେ ସଂଘର୍ଷ କରିବାକୁ ପଡ଼ିଲା?ଯଦି ଟିପ ଚିହ୍ନ ନମିଶିବ, ତେବେ ବ୍ୟାଙ୍କ ପାଖରେ କି ବ୍ୟବସ୍ଥା ରହିଛି? କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଟ୍ୱିଟ୍ ପରେ ଚେତିଲା ବ୍ୟାଙ୍କ, ଅନ୍ୟ ଅସହାୟଙ୍କ ଦୁଃଖ ଶୁଣିବ କିଏ?