ଅଭିଯୋଗ ଘେରରେ ରାପର ହନି ସିଂ, ଇଭେଂଟ ମ୍ୟାନେଜରଙ୍କୁ ମାଡପିଟ ଧମକ ଅଭିଯୋଗ ପରେ ପୁଲିସ ଷ୍ଟେସନରେ ମାମଲା ରୁଜୁ

113

କନକ ବ୍ୟୁରୋ : ବ୍ରାଉନ ରଙ୍ଗ, ଦେଶୀ କଲାକାର, ଲୁଙ୍ଗୀ ଡ୍ୟାନ୍ସ, ବ୍ଲୁ-ଆଇଜ୍ ଭଳି ଏକାଧିକ ସୁପରହିଟ୍ ଗୀତ ଭେଟିଦେଇଥିବା ପପୁରାଲ ର୍ୟାପର ହନି ସିଂ ଏବେ ବିବାଦରେ ଛନ୍ଦି ହୋଇଛନ୍ତି । ସିଙ୍ଗରଙ୍କ ବିରୁଦ୍ଧରେ ରୁଜୁ ହୋଇଛି ଅପହରଣ ଓ ମାରପିଟ୍ ଭଳି ସଙ୍ଗୀନ ମାମଲା । ଅଭିଯୋଗ ମୁତାବକ, ହନି ସିଂ ଓ ତାଙ୍କ ଟିମ୍ ଜଣେ ଇଭେଂଟ ମ୍ୟାନେଜରକୁ ଅପହରଣ କରି ନେଇ ମାରପିଟ୍ କରିଛନ୍ତି । ଏନେଇ ମୁମ୍ବାଇର ବିକେସି ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ଇଭେଂଟ ମ୍ୟାନେଜର ବିବେକ ରମଣ । ବିବେକଙ୍କ ଅଭିଯୋଗ ମୁତାବିକ, ହନି ସିଂଙ୍କୁ ଏକ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇଥିଲା, ହେଲେ ଆଥିର୍କ ସଙ୍କଟ ପାଇଁ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା, ଯାହାକୁ ନେଇ ତାତି ଯାଇଥିଲେ ୟୋ ୟୋ ହନି ସିଂ । ଏ ଘଟଣାକୁ ନେଇ ହନି ସିଂ ଓ ତାଙ୍କ ଟିମ୍ ଆୟୋଜକକୁ ଅପହରଣ କରିନେଇଥିଲେ । ମୁମ୍ବାଇର ଏକ ହୋଟେଲ ବନ୍ଦି କରି ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଇଭେଂଟ ମ୍ୟାଜେନର ବିବେକ ରମଣ ।

ସେପଟେ ବିବାଦରେ ଛନ୍ଦି ହେବା ପରେ ସୋସିଆଲ ମିଡିଆରେ ନିଜ ପକ୍ଷ ରଖିଛନ୍ତି ହନି ସିଂ । ଇନଷ୍ଟ୍ରାଗ୍ରାମ୍ରେ ଏକ ନୋଟ୍ ଶେୟାର କରି ହନି ସିଂ କହିଛନ୍ତି, ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ସବୁ ମିଛ, ଏଥିରେ ବିଲକୁଲ୍ ସତ୍ୟତା ନାହିଁ । ଯେଉଁ ବ୍ୟକ୍ତି ଜଣକ ହନି ସିଂଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି, ତାଙ୍କ ସହ କମ୍ପାନୀର କିଛି ନେଣଦେଣ ନାହିଁ । କିମ୍ବା ସେ ବ୍ୟକ୍ତି ସହ ସେପରି କିଛି ଚୁକ୍ତି ହୋଇନାହିଁ, କେବଳ ତାଙ୍କ ଭାବମୂର୍ତିକୁ ଖରାପ କରିବାକୁ ଚେଷ୍ଟା କରାଯାଉଥିବା ନେଇ ଇନଷ୍ଟ୍ରାଗ୍ରାମରେ ପୋଷ୍ଟ ଶେୟାର କରିଛନ୍ତି ହନି ସିଂ । ଏହି ଘଟଣାକୁ ନେଇ ତାଙ୍କ ଟିମ୍ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା କଥା ମଧ୍ୟ ଉଠାଇଛନ୍ତି । ସେପଟେ ହନିଂଙ୍କ ଇନଷ୍ଟ୍ରା ପୋଷ୍ଟ ପରେ ସୋସିଆଲ ମିଡିଆରେ ବି ୟୁଜର୍ସ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି ।