ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା, ଉଦଳାର ଛାତ୍ରୀ ତିଆରି କଲେ ନିଆରା ରାକ୍ଷୀ

139

କନକ ବ୍ୟୁରୋ: ରାକ୍ଷୀରେ ଜଗନ୍ନାଥ, ରାକ୍ଷୀରେ ରାଷ୍ଟ୍ରପତି । ରାତି ପାହିଲେର ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ସ୍ନେହ ମମତା ଭରା ଡୋରୀ ବାନ୍ଧିବ ଭଉଣୀ । ଏଥିପାଇଁ ବଜାରରେ ରାକ୍ଷୀର ପସରା ମେଲାଇ ବସିଛନ୍ତି ଦୋକାନୀ । ଭିନ୍ନ ଭିନ୍ନ ଢଙ୍ଗର ରାଖୀ ବିକ୍ରି ହେଉଛି । ହେଲେ ମହାମହିମ ରାଷ୍ଟ୍ରପତିଙ୍କ ଜନ୍ମସ୍ଥାନ ମୟୂରଭଞ୍ଜରେ ନିଆରା ରାକ୍ଷୀ ପ୍ରସ୍ତୁତ କରିଛନ୍ତି ଛାତ୍ରୀ । କପ୍ତିପଦା ବ୍ଲକ ଅଧିନ କପ୍ତିପଦା କେ.ଜି.ବି.ଭି ବିଦ୍ୟାଳୟର ଛାତ୍ରୀମାନେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ରାକ୍ଷୀ ତିଆରି କରୁଛନ୍ତି ।

କାଗଜ, ଡାଲି, ଚାଉଳ, ବିରି, ଚୂଡା, ମୁଗ ଆଦିକୁ ବ୍ୟବହାର କରି ରାକ୍ଷୀ ପ୍ରସ୍ତୁତ କରୁଛନ୍ତି । ନିଜର ସ୍ନେହ ଏବଂ ଭଲପାଇବାକୁ ଅଜାଡି ଦେଇଛନ୍ତି ରାକ୍ଷୀ ପ୍ରସ୍ତୁତିରେ । କାଗଜ ପଟି ଉପରେ ଅଠା ଲଗାଇ ସେଥିରେ ଚୁମକି ଦେଇ ଭିନ୍ନ ଭିନ୍ନ ଢଙ୍ଗରେ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ରାକ୍ଷୀ । କାଗଜରେ କାଳିଆ ଠାକୁରଙ୍କୁ ଆଙ୍କି ଭାଇ ପାଇଁ ରାକ୍ଷୀ ପ୍ରସ୍ତୁତ କରିଛି ଭଉଣୀ । କେବଳ ସେତିକି ନୁହେଁ ନୂତନ ଭାବେ ରାଷ୍ଟ୍ରପତି ହୋଇଥିବା ମୟୁରଭଞ୍ଜର ଝିଅ ଦ୍ରୌପଦୀ ମୁର୍ମୁଙ୍କ ଫଟୋ ଚିତ୍ର ଆଙ୍କି ସେଥିରେ ମଧ୍ୟ ରାକ୍ଷୀ ତିଆରି କରିଛନ୍ତି ଛାତ୍ରୀମାନେ । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଆସିଲେ ଏହି ବିଦ୍ୟାଳୟର ଛାତ୍ରୀମାନେ ନିଜେ ରାକ୍ଷୀ ପ୍ରସ୍ତୁତ କରି ଭାଇଙ୍କ ହାତରେ ବାନ୍ଧିଥାନ୍ତି । ଏହି ପରମ୍ପରା ଦୀର୍ଘ ବର୍ଷ ହେବ ଚାଲିଆସିଛି । ଏହାଦ୍ୱାରା ଛାତ୍ରୀମାନଙ୍କ ମଧ୍ୟରେ କାର୍ଯ୍ୟଦକ୍ଷତା ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ସମସ୍ତେ ବେଶ୍ ଉତ୍ସାହିତ ମଧ୍ୟ ରହିଥାନ୍ତି ।