ଆଇନର ପରିଭାଷା ଶିଖାଇ ଦେଲେ କଲେଜ ଛାତ୍ରୀ : ଦିନିକିଆ ଟ୍ରାଫିକ ଅଧିକାରୀ ସାଜିଲେ, ସଚ୍ଚୋଟତାର ପରିଚୟ ଦେଲେ; ହେଲମେଟ ପିନ୍ଧି ନଥିଲେ ବୋଲି ବାପାଙ୍କର ଚାଲାଣ କାଟିଲେ

189

କନକ ବ୍ୟୁରୋ : ଆଇନ ଆଖିରେ ସମସ୍ତେ ସମାନ । ଏ କଥାକୁ ପ୍ରମାଣିତ କରିଛନ୍ତି ଜଣେ ମହିଳା ପୋଲିସ କର୍ମଚାରୀ । ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ନିଜ ବାପାଙ୍କ ଚାଲାଣ କାଟିବାକୁ ବି ପଛାଇ ନଥିଲେ ଏହି ମହିଳା ପୋଲିସ ଜଣଙ୍କ । ତେବେ ସେ ଦିନକ ପାଇଁ ଖାକି ବର୍ଦ୍ଦି ପିନ୍ଧିଥିଲେ ସତ ହେଲେ ତାଙ୍କର ଏଭଳି କାର୍ଯ୍ୟ ପ୍ରମାଣିତ କରିଦେଇଥିଲା କି ସେ ଅପରାଧୀ ହୁଅନ୍ତୁ ବା ସମ୍ପର୍କୀୟ ଅପରାଧ ସବୁବେଳେ ଅପରାଧ, ଆଇନ ଆଖିରେ ସମସ୍ତେ ସମାନ । ଆଇନ ଆଖିରେ ଧୂଳି ଦେଇ କେହିବି ଖସିପାରିବେ ନାହିଁ କି ଆଇନ ଠୁ ଉର୍ଦ୍ଧ୍ବରେ କେହି ନୁହେଁ ।

ସୂଚନା ମୁତାବକ, ଜାନୁୟାରୀ ୨୪ରେ କନ୍ୟା ଦିବସ ଅବସରରେ ଉତ୍ତରପ୍ରଦେଶର ଉସରାହର ଥାନା ଅଧିକାରୀ ଭାବେ ଆକାଂକ୍ଷା ଗୁପ୍ତା ଓ ଥାନା ସହ ଅଧିକାରୀ ଭାବେ କୃତିଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଉଭୟ ଆକାଂକ୍ଷା ଓ କୃତି ଛାତ୍ରୀ ଥିବାବେଳେ ଉଭୟ ଦିନକ ପାଇଁ ଥାନା ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

ଆକାଂକ୍ଷା ଗୁପ୍ତା ଥାନା ଅଧିକାରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମେ ସମସ୍ତ ପୁଲିସ କର୍ମୀଙ୍କ ସହ ପରିଚିତ ହୋଇଥିଲେ । ଆଇନଶୃଙ୍ଖଳା ବ୍ୟବସ୍ଥା କିଭଳି ରହିଛି ସେ ବାବଦରେ ପଚାରି ବୁଝିଥିଲେ । ଏହା ପରେ ରାସ୍ତାଘାଟରେ ଯାଉଥିବା ବାଇକ ଓ କାର ଚାଳକମାନେ କିଭଳି ଟ୍ରାଫିକ ନିୟମକୁ ମାନୁଛନ୍ତି, ତାହାର ଅନୁଧ୍ୟାନ କରିବା ପାଇଁ ପୁଲିସ କର୍ମୀଙ୍କ ସହ ଗାଡି ଚେକିଂ କରୁଥିଲେ । ଆଉ ଏହି ସମୟରେ ଆକାଂକ୍ଷାଙ୍କ ବାପା ଅରବିନ୍ଦ ଗୁପ୍ତା ସେହି ବାଟ ଦେଇ ଯାଉଥିଲେ ।

ତେବେ ଆକାଂକ୍ଷାଙ୍କ ବାପା ବାଇକ ଚଳାଉଥିଲେ ବି ବିନା ହେଲମେଟରେ ଯାଉଥିଲେ । ଏହା ଦେଖି ଆକାଂକ୍ଷା ତାଙ୍କ ବାପାଙ୍କ ଠାରୁ ଚାଲାଣ କାଟିବା ସହ ହେଲମେଟ ପିନ୍ଧିବାକୁ ତାଗିଦ କରିଥିଲେ । ଏହାକୁ ନେଇ ଆକାଂକ୍ଷା କହିଛନ୍ତି, ଦିନିକିଆ ଦାୟିତ୍ୱ ନେଇ ସେ ବହୁତ ଖୁସି । ଜଣେ ପୁଲିସର କିଭଳି ଦାୟିତ୍ୱ ରହିଥାଏ, ତାହା ଜାଣିବାର ସୁଯୋଗ ମିଳିଥିଲା ।