ସମୟ ଗଡୁଛି, ଆଶଙ୍କା ବଢ଼ୁଛି: ୪ଦିନ ହେବ ଟନେଲରେ ଫସିଛନ୍ତି ୪୦ ଶ୍ରମିକ

185

କନକ ବ୍ୟୁରୋ: ସମୟ ଗଡୁଛି, ଆଶଙ୍କା ବଢ଼ୁଛି । ୪ଦିନ ହେବ ଟନେଲରେ ଫଶିରହିଥିବା ଶ୍ରମିକଙ୍କୁ କିଭଳି ସୁରକ୍ଷିତ ଉଦ୍ଧାର କରାଯିବ ସେନେଇ ସବୁ ଚେଷ୍ଟା ଚାଲିଛି । ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଉତରାଖଣ୍ଡରେ ପହଁଚିଛି ଅତ୍ୟାଧୁନିକ ମେସିନ । କିଛି ଘଂଟା ଭିତରେ ମିସନ ସଫଳତାର ଶେଷ ହେବ ବୋଲି ଆଶା କରାଯାଉଛି । ସେପଟେ ଉଦ୍ଧାରକାର୍ଯ୍ୟରେ ବିଳମ୍ବ ଦେଖି ଧର୍ଯ୍ୟହରା ହୋଇପଡିଛନ୍ତି ଶ୍ରମିକଙ୍କ ପରିବାର । ଟନେଲ ନିକଟରେ ପୁଲିସ ଓ ଶ୍ରମିକଙ୍କ ସର୍ମ୍ପକୀୟ ମଧ୍ୟରେ ଗଣ୍ଡଗୋଳ ହୋଇଛି ।

ଉତରାଖଣ୍ଡର ଉତରକାଶୀରେ ନିର୍ମାଣାଧୀନ ସୁଡଙ୍ଗ ଭୁଶିଡିବାକୁ ୮୭ଘଂଟାରୁ ଅଧିକ ସମୟ ହେଲାଣି । ହେଲେ ଏବେ ବି ସୁଡ଼ଙ୍ଗ ଭିତରେ ଫସି ରହିଛନ୍ତି ୪୦ ଜଣ ଶ୍ରମିକ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏନ୍ଡିଆରଏଫ୍, ଏସ୍ଡିଆରଏଫ୍, ଆଇଟିବିପି, ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ସବୁ ପ୍ରକାର ଉଦ୍ୟମ କରାଯାଉଛି । ଯଥା ଶିଘ୍ର ସମସ୍ତଙ୍କୁ ଉଦ୍ଧାର ପାଇଁ ଲକ୍ଷ୍ୟ ରଖାଯାଇଛି ।

ସୁଡ଼ଙ୍ଗ ତଳେ ଜୀବନ ସଂଘର୍ଷ
-ସୁଡ଼ଙ୍ଗ ଭିତରେ ଜୀବନ ବଂଚାଇବାକୁ ଶ୍ରମିକଙ୍କ ସଂଘର୍ଷ
-ଅନ୍ଧକାର ଓ କମ୍ ଅମ୍ଳଜାନ ଶ୍ରମିକଙ୍କୁ ପ୍ରଭାବିତ କରୁଛି
-ଦୁଇ ଜଣ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡୁଥିବା ସୂଚନା

କଳେବଳେ କୌଶଳେ କିଭଳି ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଟନେଲରୁ ଉଦ୍ଧାର କରାଯିବା ପାଇଁ ସବୁ ବ୍ୟବସ୍ଥା କରାଯାଇଛି । ଉଦ୍ଧାର କରିବା ପାଇଁ ‘ଆର୍ଥ ଅଗର’ ସହ ମେସିନକୁ ବ୍ୟବହାର କରାଯାଇଥିଲା । ତେବେ ଏଥିରେ ତ୍ରୁଟି ଦେଖାଯିବା ପରେ ଦିଲ୍ଲୀରୁ ପୁଣି ଅତ୍ୟାଧୁନିକ ମେସିନ ଅଣାଯାଇଛି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରୁ ଉତରାଖଣ୍ଡରେ ପହଁଚିଛି ମେସିନ । ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରସ୍ତୁତ କରିବ ଏହି ମେସିନ । ଏହି ମେସିନର କାର୍ଯ୍ୟ ଉପରେ ଉଦ୍ଧାରକାର୍ଯ୍ୟ ନିର୍ଭର କରୁଛି । ତେବେ ଭୁସ୍ଖଳନ ଓ ବୈଷୟିକ ତ୍ରୁଟି ଉଦ୍ଧାରକାମରେ ବାଧା କରୁଥିବା ସୂଚନା ମିଳିଛି । ସେପଟେ ବୈଷୟିକ ଜ୍ଞାନ ସାହାଯ୍ୟ ପାଇଁ ନରୱେ, ଥାଇଲ୍ୟାଣ୍ଡ ଓ ଦିଲ୍ଲୀ ମେଟ୍ରୋର ବରିଷ୍ଠ ଇଂଜିନିୟର ଓ ଅଧିକାରୀଙ୍କ ସହ ଆଲୋଚନା କରାଯାଉଛି ।

ଶ୍ରମିକ କିଭଳି ସୁରକ୍ଷିତ ଫେରିବେ ସେ ନେଇ ଚିନ୍ତାରେ ପରିବାର ପରିଜନ । ବୁଧବାର ଟନେଲ ନିକଟରେ ଫସିଥିିବା ଶ୍ରମିକଙ୍କ ସର୍ମ୍ପକୀୟ, ଅନ୍ୟ ଶ୍ରମିକ ଓ ପୁଲିସ ମଧ୍ୟରେ ପ୍ରବଳ ଗଣ୍ଡୋଗଳ ଦେଖିବାକୁ ମିଳିଛି । ଉଦ୍ଧାରକାର୍ଯ୍ୟ ବିଳମ୍ବ ନେଇ ଏମାନେ ଆକ୍ରୋଶ ପ୍ରକାଶ କରି ଅଭିଯୋଗ ରହିଛି । ଘଟଣାସ୍ଥଳରେ ପ୍ରାୟ ଏକଘଂଟା ଧରି ଉତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଥିଲା । ତେବେ ସ୍ଥାନୀୟପ୍ରଶାସନ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ବର୍ତମାନ ନିୟନ୍ତ୍ରଣରେ ରହିଛି ।

ରବିବାର ଉତରକାଶୀର ଏହି ନିର୍ମାଣଧୀନ ଟନେଲର କାମ ଚାଲୁଥିବାବେଳେ ହଠାତ ଭୋରୁ ସମୟରୁ କିଛି ଅଂଶ ଭାଙ୍ଗିପଡିଥିଲା । ଘଟଣାରେ ୪୦ଜଣ ଶ୍ରମିକ ଫସିଯାଇଥିଲେ । ପାଇପରେ ଖାଦ୍ୟ, ପାଣି, ଔଷଧ ଓ ଅକ୍ସିଜେନ ପଠାଯାଉଛି । ରବିବାରଠୁ ଉଦ୍ଧାରକାର୍ଯ୍ୟ ଚାଲିଛି ।