ପାକିସ୍ତାନ ଟିମକୁ ବଡ ଝଟକା । ବିଶ୍ୱକପ୍ ଲିଗ୍ ପର୍ଯ୍ୟାୟରୁ ବିଦାୟ ପରେ ଅଧିନାୟକ ପଦ ଛାଡିଲେ ବାବର ଆଜମ୍ ।

990

କନକ ବ୍ୟୁରୋ: ଦିନିକିଆ ବିଶ୍ୱକପରେ ନୈରାଶଜନକ ପ୍ରଦର୍ଶନ ପରେ ପାକିସ୍ତାନ ଟିମର ଅଧିନାୟକ ପଦ ଛାଡିଲେ ବାବର ଆଜମ୍ । ବୁଧବାର ସେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ପାକିସ୍ତାନ ଟିମ୍ ଏଥର ବିଶ୍ୱକପର ଲିଗ୍ ପର୍ଯ୍ୟାୟରୁ ବାଦ୍ ପଡିବା ପରେ ବାବରଙ୍କ କ୍ୟାପଟେନ୍ ପଦକୁ ନେଇ ପ୍ରଶ୍ନ ଉଠିଥିଲା । ଏମିତି କି ବାବର ମଧ୍ୟ ପୂରା ଟୁର୍ଣ୍ଣାମେଣ୍ଟରେ ଭଲ ରନ୍ ସ୍କୋର କରିପାରିନଥିଲେ । ଯାହାପରେ ବାବର ଆଜମ୍ ଆଜି ଏହି ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ ଯେ, ପାକିସ୍ତାନ ଟିମ୍ ୯ଟି ଲିଗ୍ ମ୍ୟାଚରୁ କେବଳ ୪ଟି ମ୍ୟାଚରେ ବିଜୟୀ ହେଇପାରିଥିଲା । ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଥିଲା ପାକିସ୍ତାନ । ଯାହାକୁ ନେଇ ଅନେକ ପୂର୍ବତନ ପାକିସ୍ତାନୀ ଖେଳାଳି ବାବରଙ୍କ ଉପରେ ଆଙ୍ଗୁଠି ଉଠାଇଥିଲେ । ଫ୍ୟାନ୍ସମାନେ ମଧ୍ୟ ଏହାକୁ ନେଇ ଆଲୋଚନା କରିଥିଲେ । ତେଣୁ ବିଶ୍ୱକପ୍ ଲିଗ୍ ପର୍ଯ୍ୟାୟ ଶେଷ ହେବାର ଦିନ କେଇଟା ପରେ ବାବର କ୍ୟାପଟେନ୍ ପଦରୁ ଅବ୍ୟାହତି ନେଇଛନ୍ତି ।

ଏକ୍ସରେ ପୋଷ୍ଟ ସେୟାର କରି ବାବର ଲେଖିଛନ୍ତି, ମୋତେ ଭଲ ଭାବେ ମନେ ଅଛି, ଯେତେବେଳେ ୨୦୧୯ରେ ଅଧିନାୟକତ୍ୱ କରିବା ପାଇଁ ମୋତେ ପିସିବିରୁ ଫୋନ୍ ଆସିଥିଲା । ଗତ ୪ ବର୍ଷ ଭିତରେ ମୁଁ ପଡିଆରେ ଏବଂ ପଡିଆ ବାହାରେ ଅନେକ ଉତ୍ଥାନ୍ ପତନ ଦେଖିଛି । ହେଲେ ମୁଁ ନିଷ୍ଠାର ସହ କ୍ରିକେଟ୍ ଜଗତରେ ପାକିସ୍ତାନର ଗୌରବ ବଢାଇବାକୁ ଲକ୍ଷ୍ୟ ରଖିଥିଲି । ଧଳାବଲ୍ କ୍ରିକେଟରେ ନମ୍ବର-ୱାନ୍ ସ୍ଥାନରେ ପହଞ୍ଚିବା କୋଚ୍ ଏବଂ ମ୍ୟାନେଜମେଣ୍ଟର ହିଁ ପ୍ରୟାସ ଥିଲା । ଏ ଯାତ୍ରାରେ ପାକିସ୍ତାନ ଟିମର ଫ୍ୟାନ୍ସମାନେ ଅକୁଣ୍ଠ ସମର୍ଥନ ଜଣାଇଥିଲେ ବୋଲି ବାବର ଲେଖିଛନ୍ତି ।

ସୂଚନାଯୋଗ୍ୟ ଯେ, ବାବର ଆଜମ୍ ପାକିସ୍ତାନ ପାଇଁ ୧୩୪ଟି ମ୍ୟାଚରେ ଅଧିନାୟକ ଭାର ସମ୍ଭାଳିଥିଲେ । ଏହା ଭିତରୁ ସେ ୭୮ଟି ମ୍ୟାଚରେ ଦଳକୁ ବିଜୟୀ କରିପାରିଥିବାବେଳେ, ୪୪ଟି ମ୍ୟାଚରେ ପରାଜୟର ସ୍ୱାଦ ଚାଖିଥିଲେ । ୧୯୯୨ ବିଶ୍ୱକପ୍ ବିଜେତା କ୍ୟାପଟେନ୍ ଇମରାନ ଖାନଙ୍କ ପରେ ବାବର ଆଜମ୍ ହେଉଛନ୍ତି ପାକିସ୍ତାନର ଦ୍ୱିତୀୟ ଶ୍ରେଷ୍ଠ କ୍ୟାପଟେନ୍ ।