ଆଜି ନିଲମ୍ବନ ହେଲେ ଆଉ ୪୯ ସାଂସଦ । ୧୪୧ ଛୁଇଁଲା ନିଲମ୍ବନ ସଂଖ୍ୟା । ଗତକାଲି ସଂସଦରୁ ନିଲମ୍ବିତ ହୋଇଥିଲେ ୭୮ ସାଂସଦ

382

କନକ ବ୍ୟୁରୋ: ସଂସଦରେ ସୁରକ୍ଷା ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି । ହଟ୍ଟଗୋଳ ଭିତରେ ବିରୋଧୀ ସାଂସଦଙ୍କ ନିଲମ୍ବନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିବାରୁ ଆଜି ୪୦ରୁ ଅଧିକ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଅର୍ଥାତ୍ ଚଳିତ ଶୀତ ଅଧିବେଶନରେ ସାଂସଦଙ୍କ ନିଲମ୍ବନ ସଂଖ୍ୟା ୧୪୧ରେ ପହଞ୍ଚିଛି । ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା, କଂଗ୍ରେସ ସାଂସଦ ଶଶୀ ଥରୁର, କାର୍ତି ଚିଦାମ୍ବରମ, ଏନସିପି ନେତା ସୁପ୍ରିୟା ସୁଲେ ଏବଂ ସମାଜବାଦୀ ପାର୍ଟିର ଡିମ୍ପଲ ଯାଦବଙ୍କୁ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ନିଲମ୍ବିତ କରିଛନ୍ତି । ସଂସଦର ଉଭୟ ଗୃହରୁ ୧୪୧ ସାଂସଦଙ୍କ ଉପରେ ଆକ୍ସନ ପରେ ଏବେ ଉଭୟ ଗୃହରେ ମାତ୍ର ୮୭ ବିରୋଧୀ ସାଂସଦ ରହିଛନ୍ତି । ସସପେଣ୍ଡକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ସାଂସଦ । କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ କହିଛନ୍ତି, ମୋଦୀ ସରକାର ଏକଛତ୍ରବାଦ ଶାସନ ଚଳାଇଛନ୍ତି । ସରକାରର ଅହଙ୍କାର ବଢ଼ିଯାଇଛି । କ୍ଷମତାରେ ରହିବା ପରେ ଅଧିକ ଅହଙ୍କାରୀ ହୋଇପଡ଼ିଛନ୍ତି ମୋଦୀ ସରକାର ।