ମୟୁରଭଞ୍ଜ ଗସ୍ତରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । ଉନ୍ନୟନମୂଳକ କାମର କଲେ ସମୀକ୍ଷା । ସ୍ଥାନୀୟ ଲୋକ ଓ ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ ।

72

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଆଜି ମୟୁରଭଞ୍ଜ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବା ସହିତ ସ୍ଥାନୀୟ ଲୋକ ଏବଂ ଛାତ୍ରଛାତ୍ରୀମାନଙ୍କ ସହିତ ମତ ବିନିମୟ କରିଛନ୍ତି ।

ବାରିପଦାଠାରେ ବିଶ୍ବବିଦ୍ୟାଳୟ ପଡିଆରେ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ନୂଆ ଓଡିଶା ଗଠନରେ ଯୁବଶକ୍ତିର ଯୋଗଦାନ ପାଇଁ ପ୍ରେରଣା ଦେଇଥିଲେ। ନୂଆ-ଓ କାର୍ୟ୍ୟକ୍ରମରେ ଯୋଗ ଦେଇ ସେ କହିଥିଲେ ଯେ, ଏହା ଯୁବକ ଯୁବତୀ ମାନଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି । ଏହି କାର୍ୟ୍ୟକ୍ରମ ଦ୍ବାରା ସେମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହିତ ସେମାନଙ୍କର ସାମଗ୍ରିକ ବ୍ୟକ୍ତିତ୍ବର ବିକାଶରେ ମଧ୍ୟ ଏହା ସହାୟକ ହେବ। ଏହାସହିତ ପାଠପଢାରେ ମଧ୍ୟ ସେମାନେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିବେ ବୋଲି ପାଣ୍ଡିଆନ କହିଥିଲେ । ଶିକ୍ଷକଙ୍କ ମାର୍ଗଦର୍ଶନ ହିଁ ଜୀବନରେ ସଫଳତା ଆଣିଥାଏ ବୋଲି ପାଣ୍ଡିଆନ୍ ମତ ଦେଇ ପ୍ରାଚୀନ ଗୁରୁ ଶିଷ୍ୟ ପରମ୍ପରାର ଉଦାହରଣ ଦେଇଥିଲେ ।

ଏହାପରେ ସେ ମୟୁରଭଞ୍ଜ ଜିଲ୍ଲାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ । ୧୦,୨୧୦ କୋଟି ଟଙ୍କା ବ୍ୟୟରେ କାର୍ୟ୍ୟକାରୀ ହେଉଥିବା ଏହି ପ୍ରକଳ୍ପ ଦ୍ବାରା ୨,୭୦,୯୦୦ ଏକର ଚାଷଜମି ଜଳସେଚିତ ହୋଇପାରିବ । ସମୀକ୍ଷାରୁ ଜଣାଯାଇଥିଲା ଯେ ୨୦୨୪ ମଇ ସୁଦ୍ଧା ପ୍ରକଳ୍ପର ପ୍ରଥମ ପର୍ୟ୍ୟାୟ ଶେଷ ହେବ ଏବଂ ଦ୍ବିତୀୟ ପର୍ୟ୍ୟାୟ ଜୁନ ୨୦୨୮ ସୁଦ୍ଧା ସଂପୂର୍ଣ୍ଣ ହେବ।

ଏହି ଅବସରରେ ପାଣ୍ଡିଆନ ଦେଓ, ଉଦଳାର ସୋନ ପ୍ରକଳ୍ପ, ଖଇରୀ ବନ୍ଧନ ପ୍ରକଳ୍ପ ଓ କ୍ଲଷ୍ଟର ବୃହତ ଉଠାଜଳସେଚନ ପ୍ରକଳ୍ପ ଆଦି ପ୍ରମୁଖ ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ । ଏହିସବୁ ପ୍ରକଳ୍ପ ଗୁଡିକ ପାଇଁ ୩୨୮୨ କୋଟି ଟଙ୍କା ବିନିଯୋଗ ହେଉଥିବା ବେଳେ, ଏହାଦ୍ବାରା ୧,୧୬,୫୦୦ ଏକର ଜମି ଜଳସେଚିତ ହୋଇପାରିବ। ଏହିସବୁ ପ୍ରକଳ୍ପ ଗୁଡିକୁ ତ୍ବରାନ୍ବିତ କରିବା ପାଇଁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ ।

ଏହାପରେ ସେ ବାରିପଦାରେ ବୁଢାବଳଙ୍ଗ ଉପରେ ନିର୍ମାଣାଧୀନ ନଦୀ ବନ୍ଧ ଏବଂ ରିଙ୍ଗ୍ ରୋଡ ନିର୍ମାଣ କାର୍ୟ୍ୟର ସମୀକ୍ଷା କରିଥିଲେ । ଏଥିପାଇଁ ୧୫୪ କୋଟି ଟଙ୍କା ବିନିଯୋଗ କରାଯାଉଛି। ଏହାସହିତ ୭୨.୬୩ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ଘାଟି ରାସ୍ତା, ବାରିପଦାରେ ୪୮ କୋଟି ଟଙ୍କା ବ୍ୟୟରେ ବୁଢାବଳଙ୍ଗ ନଦୀ ଉପରେ ବୃହତ ସେତୁର ନିର୍ମାଣ, ୩୦୬ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ୬୫୦ ଶଯ୍ୟା ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବାରିପଦା ଠାରେ ୪୭.୩୫ କୋଟି ଟଙ୍କା ବ୍ୟୟରେ ଏକ କ୍ୟାନସର ହସ୍ପିଟାଲ ନିର୍ମାଣ ଆଦି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରି ସମସ୍ତ ପ୍ରକଳ୍ପକୁ ତ୍ବରାନ୍ବିତ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ପାଣ୍ଡିଆନଙ୍କ ମୟୁରଭଞ୍ଜକୁ ପୂର୍ବରୁ କରିଥିବା ଗସ୍ତ ପରେ ଆରମ୍ଭ ହୋଇଥିବା କେତେକ ପ୍ରକଳ୍ପର ମଧ୍ୟ ସେ ସମୀକ୍ଷା କରିଥିଲେ ।