ଅଭୁଲା ଏପ୍ରିଲ ୨: ବିଶ୍ୱକପ ବିଜୟକୁ ପୂରିଲା ୧୨ ବର୍ଷ, ଛକା ମାରି ଭାରତକୁ ବିଶ୍ୱ ବିଜେତା ବନାଇଥିଲେ ଧୋନୀ

237

କନକ ବ୍ୟୁରୋ: ୨ ଏପ୍ରିଲ ୨୦୧୧, ଏହି ଦିନ, ଆଉ ରାତିକୁ କେହି କେବେ ଭୁଲି ପାରିବେନି । ସେହି ଐତିହାସିକ ମ୍ୟାଚକୁ ଆଜି ବି ମନେ ପକାଇଲେ ଲୋମ ଟାଙ୍କୁରି ଉଠେ, ଆଖିରୁ ଲୁହ ଗଡି ଆସେ । ଏମିତି ହେବା ବି ସ୍ୱାଭାବିକ କାରଣ ୨୮ ବର୍ଷର ଅପେକ୍ଷା ପରେ ଭାରତ ଜିତି ଥିଲା ବିଶ୍ୱକପ । ସେହି ମ୍ୟାଚ ଯିଏ ଦେଖିଥିବ ସେ ହିଁ ଜାଣିଥିବ ସେଦିନ କେତେ ଖୁସିଥିଲା ଭାରତ । ଧୋନୀଙ୍କ ସେହି ଶେଷ ବଲର ଛକା, ଆଉ ବିଜୟ ପରେ ଯୁବରାଜ ସିଂଙ୍କ ଆଖିରେ ଲୁହ ସବୁ ଆଜି ବି ମନେ ପଡିଯାଉଛି ।

ଆଜିର ଦିନ ପ୍ରତିଟି ଭାରତୀୟଙ୍କ ପାଇଁ ସ୍ମରଣୀୟ ଦିନ । କାରଣ ଆଜିର ଦିନରେ ଭାରତୀୟ କ୍ରିକେଟକୁ ମିଳିଥିଲା ଏକ ବଡ ସଫଳତା । ୨୮ ବର୍ଷର ଲମ୍ବା ଅପେକ୍ଷା ପରେ ଭାରତ ହାତେଇଥିଲା ଦିନିକିଆ ବିଶ୍ୱକପ । ଦୀର୍ଘ ୨୮ ବର୍ଷର ଅପେକ୍ଷା ଭିତରେ ଅନେକ କିଛି ଭାବନା ଜଡିତ ଥିଲା । ୧୯୯୬ ମସିହା ବିଶ୍ୱକପ ସେମିଫାଇନାଲ, ଯେଉଁଠି ଇଡେନ ଗାର୍ଡେନରେ ବିନୋଦ କାମ୍ବିଲଙ୍କ ସହ କାନ୍ଦିଥିଲା ପୂରା ଦେଶ, ୨୦୦୩ ବିଶ୍ୱକପ ଫାଇନାଲ ମ୍ୟାଚ ଯେଉଁଠି ଭାରତର ସ୍ୱପ୍ନ ଭାଙ୍ଗି ଦେଇଥିଲେ ରିକି ପଣ୍ଟିଂ । ଆଉ ଏହି ବିଶ୍ୱକପ ବିଜୟ ଥିଲା ଏକ ପ୍ରକାର ବଦଲା, ଏହି ସବୁ ଆଘାତର ।

ଯୁବରାଜ ସିଂ, ସେହୱାଗ, ସଚିନ, ଗୌତମ ଗମ୍ଭୀର, ସୁରେଶ ରୈନା, ମହେନ୍ଦ୍ର ସିଂ ଧୋନୀ । ହୁଏତ ଆଜି ଏହି ଖେଳାଳିମାନେ ଭାରତୀୟ ଟିମରେ ନାହାନ୍ତି । ହେଲେ ୨୦୧୧ ବିଶ୍ୱକପର ଏହି ସ୍କ୍ୱାର୍ଡ ଆଜି ବି ପ୍ରତିଟି ଭାରତୀୟଙ୍କ ହୃଦୟରେ ରହିଛି । ଏ ସେହି ଟିମ ଯିଏ ଅତିତରେ ବଡ ବଡ ପରାଜୟର ଶିକାର ହୋଇ ବିଶ୍ୱକପ ହାତେଇଥିଲା । ଆଉ ଭାରତକୁ ଦେଇଥିଲା ଐତିହାସିକ ସଫଳତା । ଆସନ୍ତୁ ଜାଣିବା ସେହି ସ୍ମରଣୀୟ ମ୍ୟାଚ ବିଷୟରେ…

୨୦୧୧ ବିଶ୍ୱକପର ଫାଇନାଲ ମ୍ୟାଚ । ମ୍ୟାଚ ଥାଏ ଭାରତ-ଶ୍ରୀଲଙ୍କା ଭିତରେ । ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ଶ୍ରୀଲଙ୍କା ଦମଦାର ବ୍ୟାଟିଂ କରିଥିଲା । କୁମାର ସାଙ୍ଗାକାରା ଓ ମାହେଲା ଜୟବର୍ଦ୍ଦନେଙ୍କ ପାର୍ଟନରସିପ ଦଳକୁ ଦୃଢ ସ୍ଥିତିରେ ପହଞ୍ଚାଇଥିଲା । ଏହି ମ୍ୟାଚରେ ଜୟବର୍ଦ୍ଦନେ ୧୦୩ ରନର ଶତକୀୟ ପାଳି ଖେଳିଥିଲେ । ଫଳରେ ଭାରତକୁ ୨୭୫ ରନର ଟାର୍ଗେଟ ଦେଇଥିଲା ଶ୍ରୀଲଙ୍କା ଦଳ ।

ଦ୍ୱିତୀୟ ଇଂନିସରେ ଭାରତ ମୈଦାନକୁ ଓହ୍ଲାଇଥିଲା । ଏହି ଟୁର୍ଣ୍ଣାମେଣ୍ଟର ପ୍ରତ୍ୟକ ମ୍ୟାଚରେ ଆରମ୍ଭରୁ ଚୌକା ମାରୁଥିବା ସେହୱାଗ ଦ୍ୱିତୀୟ ବଲରେ ଆଉଟ ହୋଇଯାଇଥିଲେ । ଫଳରେ କୋଟି କୋଟି ଭାରତୀୟଙ୍କ ମନ ଭାଙ୍ଗିଯାଇଥିଲା । ସେହୱାଗ ଆଉଟ ହୋଇଯିବା ପରେ ମୈଦାନରେ ଥାନ୍ତି ସଚିନ । ଏହି ମ୍ୟାଚରେ ସଚିନଙ୍କ ପାଇଁ ୧୦୦ ସେଞ୍ଚୁରୀ ମାରିବାର ସୁଯୋଗ ଥିଲା । ହେଲେ ସେ ବି ଆଉଟ ହୋଇ ପାଭିଲିୟନ ଫେରିଯାଇଥିଲେ । ଆଉ ପରେ ଆସିଥିଲେ ବିଶ୍ୱକପର ରିୟଲ ହିରୋ ଗୌତମ ଗମ୍ଭୀର । ଟିମର ଗୋଟିଏ ପରେ ଗୋଟିଏ ୱିକେଟ ଯାଉଥିବା ବେଳେ ପାଳି ସମ୍ଭାଳିଥିଲେ ଗମ୍ଭୀର । ୯୭ ରନର ବଡ ଇଂନିସ ଖେଳି ଭାରତର ବିଜୟ ସହଜ କରିଦେଇଥିଲେ । ସେହିପରି ଧୋନୀ ବି ୯୧ ରନର ବଡ ଇଂନିସ ଖେଳିବା ସହ ଛକା ମାରି ଏହି ମ୍ୟାଚ ଜିତି ନେଇଥିଲେ । ଆଉ ବିଶ୍ୱକପ ବିଜୟର ବାଦଶାହା ପାଲଟିଯାଇଥିଲେ । ଆଜି ବି ବିଶ୍ୱବିଜେତା ଭାରତୀୟ ଦଳର ଏହି ଫଟୋକୁ ଦେଖିଲେ ସେହି ସ୍ମୃତି ପୁଣି ତାଜା ହୋଇଯାଏ ।