ନବୀନଙ୍କ ଗସ୍ତ ପୂର୍ବରୁ ତାତିଲା ତୁଳସୀକ୍ଷେତ୍ର ରାଜନୀତି ! ଅଣରାଜନୈତିକ ଗସ୍ତରୁ ରାଜନୀତିର ଗନ୍ଧ ବାରିଲେ ବିରୋଧୀ ?

ଖରା ଟିକେ କମିଛି ହେଲେ ରାଜନୀତିର ତାତିରେ ଅସ୍ତବ୍ୟସ୍ତ ହେଉଛି କେନ୍ଦ୍ରାପଡା

236

କନକ ବ୍ୟୁରୋ: ଆଉ ଦିନ କେଇଟା ପରେ ପାଟକୁରା ପାଇଁ ବାଜିବ ବିଗୁଲ । ଦିନେ ଦୁଇ ଦିନ ଭିତରେ ପାଟକୁରା ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । ହେଲେ ତାରିଖ ଘୋଷଣା ପୂର୍ବରୁ ତୁଳସୀକ୍ଷେତ୍ରରେ ବଢ଼ିଲାଣି ରାଜନୀତି ତାତି । ଯଦିଓ ରଜ ପରେ ପରେ ବର୍ଷା କାରଣରୁ ଖରା ଟିକେ କମିଛି ହେଲେ ରାଜନୀତିର ତାତିରେ ଅସ୍ତବ୍ୟସ୍ତ ହେଉଛି ତୁଳସୀକ୍ଷେତ୍ର କେନ୍ଦ୍ରାପଡା । ଚଳିତ ନିର୍ବାଚନରେ କେନ୍ଦ୍ରାପଡାର ୭ଟି ବିଧାନସଭା ଆସନରୁ ୬ଟିରେ ବିଜେଡି ବାଜିମାତ କରିଛି । ହେଲେ ଦୁର୍ଭାଗ୍ୟବସତଃ ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ପରଲୋକ ପରେ ପାଟକୁରା ଫଳ ପଛେଇ ଯାଇଛି । ଏପ୍ରିଲ ୨୦ରେ ବେଦୁଙ୍କ ଦେହାନ୍ତ ପରେ ପାଟକୁରା ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା । ଏପ୍ରିଲ ୨୯ରେ ହେବାକୁ ଥିବା ନିର୍ବାଚନକୁ ମେ ୧୯କୁ ଘୁଞ୍ଚାଇ ଦିଆଗଲା ହେଲେ ବାତ୍ୟା ଫୋନିରେ କେନ୍ଦ୍ରାପଡା ଅଧିକ ପ୍ରଭାବିତ ହେବା ଆଶଙ୍କାରେ ମେ ୧୯ରୁ ୬୦ ଦିନ ଆହୁରି ଘୁଞ୍ଚାଇ ଦିଆଗଲା ।


ବାତ୍ୟା ପରେ ସ୍ଥିତି ଏବେ ସ୍ୱାଭାବିକ ହୋଇଛି । ତେଣୁ ପାଟକୁରା ବିଜୟ ପାଇଁ ଅଭିଯାନ ଆରମ୍ଭ କରି୍ଛନ୍ତି ସବୁ ଦଳ । ପାଟକୁରା ପାଇଁ ଆରମ୍ଭ କରିଛନ୍ତି ପାଗଭିଡା । ଉଭୟ ବିଜେପି, ବିଜେଡି ନିଜର ଅଭିଯାନ ଆଗଉଥିବା ବେଳେ କଂଗ୍ରେସର ସେମିତି କିଛି ଷ୍ଟ୍ରାଟେଜି ସାମ୍ନାକୁ ଆସିନି । ତେବେ ଦୁଇ ଦିନ ତଳେ ବିଜେପି ବିଜୟଙ୍କୁ ବିଜୟଟୀକା ପିନ୍ଧାଇବାକୁ ଅଭିଯାନ ଆରମ୍ଭ କରିଛି । ଭୁବନେଶ୍ୱର ସାଂସଦ ଅପରାଜିତାଙ୍କୁ ନେଇ ବିଜେପି ‘ବିଜୟ’ ଅଭିଯାନ ଆରମ୍ଭ କରିଛି । ବିଜୟଙ୍କୁ ନେଇ ଅପରାଜିତା ଦୁଇ ଦିନ ତଳେ ପାଟକୁରାର ବିଭିନ୍ନ ସ୍ଥାନରେ ରୋଡ ସୋ କରିଥିଲେ । ପାଟକୁରାରେ ପଦ୍ମ ଫୁଟାଇବାକୁ ଅପରାଜିତା ସାରଥୀ ସାଜିଥିଲେ ।


ସେପଟେ ବିଜେପିର ‘ବିଜୟ’ ରଥରେ ବ୍ରେକ ଲଗାଇବାକୁ ବ୍ଲୁ ପ୍ରିଣ୍ଟ ରଚିଛି ବିଜେଡି । ପାଟକୁରାକୁ ପକେଟରେ ପୁରାଇବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ଆଉ ସେହି ରଣନୀତି ଅନୁସାରେ ଆଜି କେନ୍ଦ୍ରାପଡା ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯଦିଓ ନବୀନଙ୍କ ଏହା ଅଣରାଜନୈତିକ ଗସ୍ତ ଅର୍ଥାତ ନବୀନ ଆଜି ବଳଦେବଜୀଉଙ୍କ ଦର୍ଶନ କରିବାକୁ ଯାଉଛନ୍ତି । କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖି ଗସ୍ତ କରୁନାହାନ୍ତି । ତଥାପି ବିରୋଧୀ ଏହି ଗସ୍ତରୁ ବିନା ରାଜନୀତି ବୋଲି ମାନିବାକୁ ନାରାଜ । ନବୀନ ଦର୍ଶନ ଆଳରେ ପାଟକୁରା ବିଜୟ ପାଇଁ ସଙ୍କେତ ଦେଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ତେବେ ଆଜି ଅପରାହ୍ଣ ୪ଟା ୩୦ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ପାଟକୁରା ଅଭିମୁଖେ ବାହାରିବେ ଆଉ ବଳଦେବଜୀଉ ଦର୍ଶନ କରି ସିଧା ରାଜଧାନୀ ଫେରିବେ । ତେବେ ନବୀନଙ୍କ ଏହି ଗସ୍ତ ଅବସରରେ ବେଦୁଙ୍କ ପତ୍ନୀ ତଥା ପାଟକୁରାର ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ ନବୀନ ଭୋଟରଙ୍କୁ ନିବେଦନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ନବୀନ କେନ୍ଦ୍ରାପଡାରେ ପହଞ୍ଚିବା ପରେ କେଉଁ ବାର୍ତ୍ତା ଦେଉଛନ୍ତି ତାକୁ ଅପେକ୍ଷା ।