ଆଜି ସନ୍ଧ୍ୟାରେ ଆସିବ ବିଜେଡି ଇସ୍ତାହାର । ଗୋପାଳପୁର ସଭା ମଞ୍ଚରୁ ଘୋଷଣା କଲେ ଭିକେ ପାଣ୍ଡିଆନ୍ । ବିରୋଧୀଙ୍କୁ କଲେ ଟାର୍ଗେଟ୍ ।

296

କନକ ବ୍ୟୁରୋ : ଆଜି ସନ୍ଧ୍ୟାରେ ଆସିବ ବିଜେଡିର ଇସ୍ତାହାର । ଗୋପାଳପୁର ବିଜେଡିର ପ୍ରଚାର ମଞ୍ଚରୁ ଏନେଇ ଆଜି ଘୋଷଣା କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ବିରୋଧୀଙ୍କ ମାନିଫେଷ୍ଟୋକୁ ଟାର୍ଗେଟ କରିବା ସହିତ ବିଜେଡିର ଇସ୍ତାହାର ଓଡିଶାବାସୀଙ୍କ ଘରେ ଘରେ ପହଞ୍ଚିବ ବୋଲି ପାଣ୍ଡିଆନ୍ କହିଛନ୍ତି ।

ଏଥିସହିତ ବିରୋଧୀଙ୍କୁ ଟାର୍ଗେଟ୍ କରି ପାଣ୍ଡିଆନ୍ କହିଛନ୍ତି, ବ୍ରହ୍ମପୁରରେ ପୂର୍ବରୁ ଦୁଇଟି ପୋଗ୍ରାମ ହେଇଥିଲା, ବଡ ବଡ ନେତା ଆସିଥିଲେ । ହେଲେ ସେହି ପୋଗ୍ରାମ ଏବଂ ଆଜିର ପ୍ରୋଗ୍ରାମ ଭିତରେ ବହୁତ ଫରକ୍ ଅଛି । ଏଠି ଜନସମୁଦ୍ର ସହ ଲୋକଙ୍କ ଜୋସ୍ ଅଛି ବୋଲି କହିଛନ୍ତି ବିଜେଡି ନେତା ପାଣ୍ଡିଆନ୍ । ଅନ୍ୟପଟେ ପ୍ରଥମ ପର୍ଯ୍ୟାୟରେ ହେଉଥିବା ୨୮ ବିଧାନସଭା, ୪ ଲୋକସଭା ସିଟ୍ ନିର୍ବାଚନରେ ବିଜେଡି ୯୦% ଷ୍ଟ୍ରାଇକ୍ ରେଟ୍ ରଖୁଛି । ଲୋକଙ୍କ ଆର୍ଶୀବାଦ ରହିଲେ ଏହି ୯୦ ପ୍ରତିଶତ ବି ଶହେ ପ୍ରତିଶତ ହେଇପାରିବ ବୋଲି ସେ କହିଛନ୍ତି ।

ପାଣ୍ଡିଆନ୍ କହିଛନ୍ତି, ବିରୋଧୀ ଦଳମାନେ ସବୁବେଳେ ତାଙ୍କ ମାନିଫେଷ୍ଟୋ ଆଣନ୍ତି । ୨୦୧୪ରେ ବିଜେପି ମାନିଫେଷ୍ଟୋରେ କହିଥିଲେ ଦୁଇ କୋଟି ରୋଜଗାର ଦେବୁ, ଦରଦାମ କମ୍ କରିବୁ । ହେଲେ ଏହାପରେ ବି ଓଡିଶାରେ ୨୦ରୁ କମ୍ ସିଟ୍ ପାଇଲେ । ୨୦୧୯ରେ ପୁଣି ସେମାନେ ମାନିଫେଷ୍ଟୋ ଆଣିଲେ ଆଉ ମିଛ ପ୍ରତିଶ୍ରୁତି ଦେଲେ । ଆଉ ୨୦୨୪ରେ ମଧ୍ୟ ସେ ମାନିଫେଷ୍ଟୋ ଦେଇଛନ୍ତି, ହେଲେ ଓଡିଶାବାସୀଙ୍କର ସେହି ମାନିଫେଷ୍ଟୋ ଉପରେ ବିଶ୍ୱାସ ନାହିଁ ବୋଲି ପାଣ୍ଡିଆନ୍ କହିଛନ୍ତି ।

ଆଜି ସନ୍ଧ୍ୟାରେ ବିଜେଡିର ଇସ୍ତାହାର ଆସିବ, ଇସ୍ତାହାର ଦେଖି ସାରା ଓଡିଶାର ଲୋକ ଖୁସି ହେବେ ବୋଲି ପାଣ୍ଡିଆନ୍ କହିଛନ୍ତି । ମୁଖ୍ୟମନ୍ତ୍ରୀ କଥା କମ୍, କାମ ବେଶୀ କରନ୍ତି । ମାନିଫେଷ୍ଟୋରେ ଯାହା କୁହନ୍ତି, କାମ ତାଠୁ ଅଧିକ କରନ୍ତି । ସେଥିପାଇଁ ଓଡିଶାବାସୀ ତାଙ୍କୁ ଅଧିକ ଭଲପାଆନ୍ତି । ପ୍ରତି ନିର୍ବାଚନରେ ତାଙ୍କୁ ଅଧିକ ମାର୍ଜିନରେ ଜିତେଇଥାନ୍ତି ବୋଲି ଗୋପାଳପୁରରୁ କହିଛନ୍ତି ପାଣ୍ଡିଆନ୍ ।

ସେପଟେ ବିରୋଧୀଙ୍କୁ ନିଶାନା କରି ପାଣ୍ଡିଆନ୍ କହିଛନ୍ତି, ୨୬ ବର୍ଷ ହେଲା ବିରୋଧୀ ମୁଖ୍ୟମନ୍ତ୍ରୀ ଚେହେରା ଖୋଜୁଛନ୍ତି । ହେଲେ ୨୬ ବର୍ଷ ହେଲା ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଖୋଜିପାରୁନାହାଁନ୍ତି । କାହିଁକି ନା, ତାଙ୍କର ଡର ଅଛି, ଯଦି ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତି, ତାଙ୍କ ସିଟ୍ ୧୦ରୁ ତଳକୁ ଆସିଯିବ । ତେଣୁ ସେ ଜାଣିକି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁନାହାଁନ୍ତି ବୋଲି ପାଣ୍ଡିଆନ୍ କହିଛନ୍ତି ।