ବିଗୁଡୁଛି ପାକିସ୍ତାନର ସ୍ଥିତି ! ପୋଲିସ-ଜନତା ସଂଘର୍ଷ । ସରକାରଙ୍କ ଆଦେଶକୁ ସେନାର ବେଖାତିର

40

କନକ ବ୍ୟୁରୋ : ଦିନକୁ ଦିନ ବିଗୁଡୁଛି ପାକିସ୍ତାନର ସ୍ଥିତି । ବାରମ୍ବାର ପୋଲିସ –ଜନତା ମଧ୍ୟରେ ସଂଘର୍ଷ ଘଟୁଛି। ପରିସ୍ଥିତି ଆଉ ସ୍ଥାନୀୟ ପୋଲିସ ନିୟନ୍ତ୍ରଣରେ ନାହିଁ । ଅର୍ଧସାମରିକ ବାହିନୀ ପରିସ୍ଥିତିକୁ ନିୟନ୍ତ୍ରଣ କରୁଛନ୍ତି । ଇସଲାମିକ ସଂଗଠନଗୁଡ଼ିକର ହିଂସାତ୍ମକ ବିକ୍ଷୋଭ ଯୋଗୁଁ ଦ୍ୱିତୀୟ ଦିନରେ ମଧ୍ୟ ପାକ ରାଜଧାନୀ ଇସଲାମାବାଦରେ ସ୍ଥିତି ଗମ୍ଭୀର ରହିଛି । ତହରିକ ଏ ଲବ୍ଦେକ ସଂଗଠନର କାର୍ଯ୍ୟକର୍ତ୍ତାମାନେ ନିର୍ବାଚନ ଆଇନକୁ ବିରୋଧ କରି ଚଳାଇଥିବା ଆନ୍ଦୋଳନ ଉଗ୍ର ରୂପ ନେବା ପରେ ପୁଲିସ-ଜନତା ସଂଘର୍ଷ ଯୋଗୁଁ ଭୟଙ୍କର ସ୍ଥିତି ଉପୁଜିଛି।

ଦ୍ୱିତୀୟ ଦିବସରେ ୪୦ରୁ ଅଧିକ ସ୍ଥାନରେ ହିଂସା ଓ ପୋଡ଼ାଜଳା ରିପୋର୍ଟ ମିଳିଥିବା ବେଳେ ଅର୍ଦ୍ଧସାମରିକ ବାହିନୀ ପରିସ୍ଥିତିକୁ ନିୟନ୍ତ୍ରଣ କରୁଛନ୍ତି। କାର୍ଯ୍ୟାନୁଷ୍ଠାନ ପାଇଁ ସେନାକୁ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେନା କେବଳ ହାଇ ଆଲର୍ଟରେ ରହିଛି ଏବଂ ତତ୍କାଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନା କରିଦେଇଛି। ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ବିଭିନ୍ନ ଅଂଚଳକୁ ଘେରାବନ୍ଦୀ କରି ରଖିଛନ୍ତି।

ଆଜି ମଧ୍ୟରୁ ୨୦ରୁ ଅଧିକ ଗାଡ଼ିରେ ବିକ୍ଷୋଭକାରୀମାନେ ନିଆଁ ଲଗାଇ ଦେଇଛନ୍ତି। ଏଭଳି ସ୍ଥିତିରେ ସରକାରଙ୍କ ଆଦେଶକୁ ସେନା କାର୍ଯ୍ୟକାରୀ କରିନଥିବାରୁ ଏହାକୁ ନେଇ ସରକାର ଓ ସେନା ମଧ୍ୟରେ ବଡ଼ ଧରଣର ଫାଟ ସୃଷ୍ଟି ହୋଇଛି ।