ମାଓ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ ! ପ୍ରସ୍ତୁତ ହେଲା ମାଓ ଦମନ ରଣନୀତି

61

କନକ ବ୍ୟୁରୋ :  ମାଓ ମୁକାବିଲା ନେଇ କୋରାପୁଟ ଡିଆଇଜି କାର୍ଯ୍ୟାଳୟ ପରିସରରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଗୃହ ମନ୍ତ୍ରଣାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ. ବିଜୟ କୁମାର ଯୋଗ ଦେଇଥିଲା ବେଳେ ଓଡ଼ିଶା ପୁଲିସ ଓ ସିଆରପିଏଫର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ମାଓ ଦମନ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି । ଗୁଇନ୍ଦା ବିଭାଗକୁ ଶକ୍ତିଶାଳୀ କରିବା ସହ ଅପରେସନକୁ ଜୋରଦାର କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ସେହିପରି ପୁଲିସ ଓ ଯବାନଙ୍କ ମଧ୍ୟରେ ଉପଯୁକ୍ତ ସମନ୍ଵୟ ଉପରେ ଗୁରୁତ୍ୱ ଦିଆଯାଇଛି ।

ଓଡ଼ିଶାରେ ମାଓ କାର୍ଯ୍ୟକଳାପ ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ ମାଓବାଦୀମାନେ କେତୋଟି ନୂଆ କରିଡର ତିଆରି କରିଛନ୍ତି । ସେମାନେ ପୁରୁଣା ଜାଗା ଛାଡି କିଛି ନୂଆ ଜିଲ୍ଲାରେ ସଂଗଠନ ଦୃଢ କରୁଛନ୍ତି । ଏହା ପୁଲିସର ଚିନ୍ତା ବଢାଇ ଦେଇଛି । ଏଭଳି ସ୍ଥିତିରେ ଆଜି ପୁଲିସର ଏକ ଉଚ୍ଚସ୍ତରୀୟ ବୈଠକ କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ. ବିଜୟ କୁମାରଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ । ଏହି ବୈଠକରେ ଅପରେସନ ଆଇଜି ଆର.ପି କୋଚ୍ଚେ, ଡିଆଇଜି ଏସ. ସାଇନି, ବିଏସଏଫ ଡିଆଇଜି ଏ.କେ ସିଂହ, ସିଆରପିଏଫ ଡିଆଇଜି ହର ଜିନ୍ଦର ସିଂହଙ୍କ ସମେତ ବିଏସଏଫ ଓ ସିଆରପିଏଫର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଏହା ସହିତ କୋରାପୁଟ ଏସପି ଡ. କନଓ୍ଵର ବିଶାଳ ସିଂହ, ମାଲକାନ୍‌ଗିରି ଏସପି ଜଗମୋହନ ମୀନା, କୋବ୍ରା କମାଣ୍ଡାଣ୍ଟ, ବିଏସଏଫ କମାଣ୍ଡାଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ମାଓବାଦୀଙ୍କ ଗତିବିଧି ନେଇ ବିସ୍ତତ ଆଲୋଚନା ହୋଇଥିବା ଜଣାପଡିଛି ।

ମାଓ କାର୍ଯ୍ୟକଳାପ ଏବେ ନିୟନ୍ତ୍ରଣାଧୀନ ଥିବାରୁ ଏହି ସମୟରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ବିଶେଷକରି ଗୁଇନ୍ଦା ବିଭାଗକୁ ଅଧିକ ସକ୍ରିୟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ମାଓବାଦୀଙ୍କ ଗତିବିଧି ନେଇ ଠୋସ ସୂଚନା ସଂଗ୍ରହ କରି ଆକ୍ରମଣକୁ ଜୋରଦାର କରିବାକୁ ନିଷ୍ପତ୍ତି ହୋଇଛି । ଏ ଦିଗରେ ଉଭୟ ଓଡ଼ିଶା ପୁଲିସ, ବିଏସଏଫ ଓ ସିଆରପିଏଫ ମିଳିତ ଭାବେ କାମ କରିବେ । ସମସ୍ତଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରିବା ଦିଗରେ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଇଛି । ବିଗତ ଦିନରେ ହୋଇଥିବା ମାଓ କାର୍ଯ୍ୟକଳାପ ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା । କେଉଁଠି କ’ଣ ତ୍ରୁଟି ରହିଛି ସେ ସଂପର୍କରେ ଆଲୋଚନା କରାଯିବା ସହ ତୁରନ୍ତ ଏଥିରେ ସୁଧାର ଆଣିବାକୁ ନିର୍ଦେଶ ଦେଇଥିଲେ ବରିଷ୍ଠ ଅଧିକାରୀ । ମାଓବାଦୀମାନେ ଯେମିତି ସେମାନଙ୍କ ସଂଗଠନକୁ ଆଉ ଦୃଢ କରିପାରିବେ ନାହିଁ ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି । ଏ ଦିଗରେ ସୁରକ୍ଷା ପରାମର୍ଶଦାତା ବହୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିବା ଜଣାପଡିଛି । ତେବେ ଏଥିନେଇ ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଗଣମାଧ୍ୟମକୁ ଦିଆଯାଇନାହିଁ ।