ଦିନ ଚାରିଟାରେ ପାଞ୍ଚ ଟଙ୍କା ବଢ଼ିଗଲା ପିଆଜ ଦର ! ୫୫ ଛୁଇଁଲା ପିଆଜ

44

କନକ ବ୍ୟୁରୋ : ମାତ୍ର ଦିନ ଚାରିଟାରେ ପୁଣି ପାଞ୍ଚ ଟଙ୍କା ବଢ଼ିଗଲା ପିଆଜ ଦର । ଗତ ୨୨ ତାରିଖରେ ପିଆଜର ପାଇକାରୀ ଦର ୪୦ ଟଙ୍କା ଥିଲା । ୨୬ ତାରିଖରେ ତାହା ୪୫ ଟଙ୍କାରେ ପହଞ୍ଚିଯାଇଛି । ତେଣୁ ଖୁଚୁରା ବଜାରରେ ଆପେ ଆପେ ଦର ୫୫ ଟଙ୍କା ହୋଇଯାଇଛି । ଏପରିକି ଗଳିକନ୍ଦିରେ କିଛି ଦୋକାନୀ କିଲୋ ୬୦ କରିଦେଲେଣି । ସରକାର ଷ୍ଟକ୍‌ କଣ୍ଟ୍ରୋଲ୍‌ ଅର୍ଡର ଜାରି କରିଥିଲେ ବି ଦର ନିୟନ୍ତ୍ରଣ ହୋଇ ପାରୁନାହିଁ । ବରଂ ସରକାରଙ୍କ ଏଭଳି ପଦକ୍ଷେପ ପିଆଜ ଦର ନିୟନ୍ତ୍ରଣ କରିବା ବଦଳରେ ଅଧିକ ମାତ୍ରାରେ କଳାବଜାରିକୁ ପ୍ରୋତ୍ସାହିତ କରିବା ଆଶଙ୍କା ରହିଛି ବୋଲି ବ୍ୟବସାୟୀ ସଂଘମାନଙ୍କ ପକ୍ଷରୁ କୁହାଯାଉଛି । ଏଭଳି ପଦକ୍ଷେପ ଦ୍ୱାରା ବଜାରରେ ଥିବା ଚାହିଦା ଓ ଯୋଗାଣ ପ୍ରଭାବିତ ହେବ ଓ ଖାଉଟିମାନେ ଅଧିକ ହନ୍ତସନ୍ତ ହେବେ ବୋଲି ସଂଘମାନଙ୍କ ପକ୍ଷରୁ କୁହାଯାଉଛି। ଗତ ଦୁଇ ଦିନ ହେଲା ନାସିକ୍‌ରେ ପିଆଜ ଦର ହ୍ରାସ ପାଉଥିବାବେଳେ ଷ୍ଟକ୍‌ କଣ୍ଟ୍ରୋଲ୍‌ ଅର୍ଡରର ଆବଶ୍ୟକତା ନାହିଁ ବୋଲି ସଂଘ ଅଭିଯୋଗ କରୁଛି ।

ରବିବାର କୁବେରପୁରୀରୁ ମିଳିଥିବା ସୂଚନାନୁସାରେ ନାସିକ୍‌ରୁ ପିଆଜ ଆମଦାନି କମିନାହିଁ। ରବିବାର ୧୧ଟି ଟ୍ରକ୍‌ ପିଆଜ ଆମଦାନି ହୋଇଛି । ୧୬ ଟ୍ରକ୍‌ର ଆବଶ୍ୟକତା ଥିଲେ ବି ଏହି ପରିମାଣ ରାଜଧାନୀ ପାଇଁ କିଛି କମ୍‌ ନୁହେଁ। ତଥାପି ପାଇକାରୀ ଦର ୪୪/୪୫ ଟଙ୍କା ରହିଛି । ନିମ୍ନମାନର ପିଆଜର ପାଇକାରୀ ଦର ୪୦ ଟଙ୍କା ତଳକୁ ବି ରହିଛି । ଏଣେ କ୍ୟାପିଟାଲ ହାଟରେ ଉନ୍ନତମାନର ପିଆଜ ୫୫ ଟଙ୍କାରେ ବିକ୍ରି ହେଉଥିବାବେଳେ ନିମ୍ନମାନର ପିଆଜ ୫୦ରୁ ୫୨ ଟଙ୍କାରେ ବିକ୍ରି ହେଉଛି । ଅର୍ଥାତ୍‌ ପାଇକାରୀ ଦର ଓ ଖୁଚୁରା ଦର ଭିତରେ ୧୦ ଟଙ୍କାରୁ ଊର୍ଦ୍ଧ୍ୱ ଫରକ୍‌ ରହୁଛି । ମାତ୍ର ଏହି ପାର୍ଥକ୍ୟ ୫ରୁ ୬ ଟଙ୍କା ଭିତରେ ରହିବା କଥା। ହେଲେ ଖୁଚୁରା ବଜାରରେ ପିଆଜ ଦର ୫୦ ଟଙ୍କା ଡେଇଁପାରନ୍ତା ନାହିଁ । କିନ୍ତୁ ଖୁଚୁରା ବେପାରୀମାନଙ୍କ କହିବା କଥା ପିଆଜ ଦର ବଢ଼ିବାରେ ବିକ୍ରି ବହୁ ପରିମାଣରେ କମିଛି । ଗ୍ରାହକମାନେ ଅଧକିଲୋ, ଅଢ଼େଇଶହ ମାଗୁଛନ୍ତି । ଫଳରେ ଏଭଳି କମ୍‌ ପରିମାଣର ଓଜନ କରୁକରୁ ଭାଗୁଡ଼ି ଅଧିକ ହେଉଛି । ତେଣୁ ୫୫ ଟଙ୍କାରେ ନ ବିକିଲେ ସେମାନଙ୍କୁ କ୍ଷତି ସହିବାକୁ ପଡ଼ିବ ବୋଲି ଖୁଚୁରା ବେପାରୀମାନେ କହୁଛନ୍ତି ।

ନାସିକ୍‌ରେ ଗତ ଦୁଇ ଦିନ ହେଲା ପିଆଜ ଦର କମିଛି । ଗତ ୨୨ ତାରିଖରେ ନାସିକ୍‌ରେ ଦର ଥିଲା ୩୮ ଟଙ୍କା। ଏବେ ତାହା ୩୪/୩୫ ଟଙ୍କାକୁ ଖସିଆସିଛି । କିନ୍ତୁ ଏହି ଦରରେ କିଣା ହୋଇଥିବା ପିଆଜ ଭୁବନେଶ୍ୱରରେ ପହଞ୍ଚି ନାହିଁ। ବର୍ଧିତ ଦର ଯୋଗୁଁ ବଜାରରେ ପିଆଜ ଚାହିଦା କମ୍‌ ଥିବାରୁ ଆମଦାନି କରୁଥିବା ବେପାରୀମାନେ କ୍ଷତି ଆଶଙ୍କାରେ ରହୁଛନ୍ତି । ବ୍ୟବସାୟୀମାନେ ପିଆଜ ଦରର ଏଭଳି ଅନିୟମିତାକୁ ଲକ୍ଷ୍ୟ କରି ମାଲ୍‌ ରଖୁନାହାନ୍ତି । ଫଳରେ ଖୁଚୁରା ବଜାରରେ ଯଥେଷ୍ଟ ମାଲ୍‌ ଉପଲବ୍‌ଧ ହେଉନାହିଁ । ଏମିତି ଗୁଡ଼ାଏ ଗୋଳିଆମିଶା କାରଣରୁ ଏବେ ପିଆଜ ଦରକୁ ନେଇ କିଛି କହିହେଉନାହିଁ ବୋଲି ବ୍ୟବସାୟୀମାନେ କହୁଛନ୍ତି ।

ଏଣେ ସରକାର ଷ୍ଟକ୍‌ କଣ୍ଟ୍ରୋଲ୍‌ ନିୟମ ଜାରି କରି ପରିସ୍ଥିତିକୁ ଆହୁରି ଗୋଳମାଳିଆ କରି ପକାଇଛନ୍ତି । ଭୁବନେଶ୍ୱର ପାଇଁ ୫ ଶହ କ୍ୱିଣ୍ଟାଲ ଓ କଟକ, ରାଉରକେଲା, ସମ୍ବଲପୁର ଭଳି ସଦହର ପାଇଁ ୩ ଶହ କ୍ୱିଣ୍ଟାଲ୍‌ ସୀମା ଧାର୍ଯ୍ୟ କରାଯାଇଛି । ଏହାକୁ ରାଜ୍ୟ ବ୍ୟବସାୟୀ ମହାସଂଘର ସମ୍ପାଦକ ସୁଧାକର ପଣ୍ଡା ଓ କୁବେରପୁରୀ ବ୍ୟବସାୟୀ ସଂଘ ସମ୍ପାଦକ ତଥା ଆଇନଜୀବୀ ଶକ୍ତିଶଂକର ମିଶ୍ର ସମାଲୋଚନା କରିଛନ୍ତି । ସରକାରୀ ନିୟମକୁ ମାନି ସେମାନେ ବେପାର କରିବେ ସିନା କିନ୍ତୁ ଏହା ଦ୍ୱାରା ଖାଉଟିମାନେ ଅଧିକ ପ୍ରଭାବିତ ହେବେ ବୋଲି ସେମାନେ କହିଛନ୍ତି । ପିଆଜ ଭଳି ଦ୍ରବ୍ୟକୁ ଲୁଚାଇ ରଖି କଳାବଜାର କରିବା ସମ୍ଭାବନା କମ୍‌ ଥିବାରୁ ସରକାର ଏହା ଉପରେ ଏଭଳି ନିୟମ ଲାଗୁ କରିବା ଯଥାର୍ଥ ନୁହେଁ ବୋଲି ସେମାନେ କହିଛନ୍ତି ।