‘କାହିଁକି ମୋତେ କରାଗଲା ନିଲମ୍ବନ’ । ଜାତୀୟ ଗଣମାଧ୍ୟମରେ ମୁହଁ ଖୋଲିଲେ ମହସିନ, ବଖାଣିଲେ ମୋଦିଙ୍କ ହେଲିକପ୍ଟର ଯାଞ୍ଚ ଦିନର ଘଟଣା ।

3,311

କନକ ବ୍ୟୁରୋ : ନିଲମ୍ବିତ ହେବାର ଦୀର୍ଘ ୧୦ ଦିନ ପରେ ମୁହଁ ଖୋଲିଲେ ମହମ୍ମଦ ମହସିନ୍ । ଜାତୀୟ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଂଚ କରି ଅଡୁଆରେ ପଡିଥିବା ଆଇଏଏସ୍ ଅଧିôକାରୀ ମହମ୍ମଦ ମହସିନ୍ । ନିଲମ୍ବନ ଆଦେଶ ହଟିଲା ପରେ ମହସିନ୍ କହିଛନ୍ତି, କେଉଁ ଅପରାଧ ପାଇଁ ତାଙ୍କୁ ନିଲମ୍ବନ କରାଯାଇଥିଲା, ସେ ବୁଝି ପାରୁନାହାନ୍ତି । ମହସିନ୍ କହିଛନ୍ତି, ହେଲିକପ୍ଟର ଯାଂଚ ନୁହେଁ, ସେ କେବଳ ଭିଡିଓଗ୍ରାଫି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଘଟଣା ସ୍ଥଳରେ ସେ ଉପସ୍ଥିତ ନଥିବା ମଧ୍ୟ କହିଛନ୍ତି ମହସିନ୍ ।

ଏହା ସହ କର୍ଣ୍ଣାଟକ କ୍ୟାଡରର ଏହି ବରିଷ୍ଠ ଆଇଏଏସ୍ ଅଧିକାରୀ କହିଛନ୍ତି, କର୍ତବ୍ୟରେ ସେ କିପରି ଅବହେଳା କରିଛନ୍ତି, ତାଙ୍କ ବିରୋଧରେ କ’ଣ ଅଭିଯୋଗ ରହିଛି, ଏ ନେଇ ନିର୍ବାଚନ କମିସନ୍ କିଛି ଉଲ୍ଲେଖ କରିନାହାନ୍ତି । ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ପୋଲ୍ ପ୍ୟାନେଲ କିମ୍ବା ଜିଲ୍ଲା ପ୍ରଶାସନ କିଛି ସ୍ପଷ୍ଟ କରିନାହାନ୍ତି । ଏସପିଜି ଅଧିକାରୀଙ୍କ ସହ ଆଲୋଚନା ପରେ ଭିଡିଓଗ୍ରାଫି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ସମ୍ବଲପୁର ଏସପି ଓ ଏସପିଜି ଅଧିକାରୀଙ୍କ ଅନୁମତି କ୍ରମେ କିଛି ଦୂରରୁ ହେଲିକପ୍ଟରରୁ ଭିଡିଓଗ୍ରାଫି କରାଯାଇଥିବା କହିଛନ୍ତି ମହସିନ୍ । ଏହାଛଡ଼ା ମହସିନ୍ କହିଛନ୍ତି, ଜିଲ୍ଲା ପ୍ରଶାସନ କିପରି ନିର୍ବାଚନ କାର୍ଯ୍ୟ ପରିଚାଳନା କରୁଛନ୍ତି, ପର୍ଯ୍ୟବେକ୍ଷକ ଭାବେ ତାହା ଅନୁଧ୍ୟାନ କରିବା ତାଙ୍କର କାର୍ଯ୍ୟ ଥିଲା । ସେ କୌଣସି ପ୍ରକାର ଆଇନର ଉଲଂଘନ କରିନାହାନ୍ତି, ତେଣୁ ନିଲମ୍ବନ ଆଦେଶ ବେଆଇନ ବୋଲି ସେ କହିଛନ୍ତି । ସେଂଟ୍ରାଲ ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ ନିଲମ୍ବନ ଉପରେ ରହିତାଦେଶ ଜାରି କରିବା ପରେ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିନେଇଛି ନିର୍ବାଚନ କମିସନ୍ । ତେବେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି ।

ଗତ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବଲପୁର ଗସ୍ତ ବେଳେ ତାଙ୍କର ହେଲିକପଟର ଯାଞ୍ଚ କରାଯାଇଥିବା ଅଭିଯୋଗ ହୋଇଥିଲା । ଗାଇଡଲାଇନ୍ସ ଅନୁଯାୟୀ କାର୍ଯ୍ୟ କରିନଥିବା ଅଭିଯୋଗରେ ନିର୍ବାଚନ ପର୍ଯ୍ୟବେକ୍ଷକ ଥିବା ମହମ୍ମଦ ମହସିନ୍ଙ୍କୁ ନିଲମ୍ବନ କରିଥିଲେ ନିର୍ବାଚନ କମିସନ୍ ।

Comments are closed.