ଶେଷ ଲଢ଼େଇ ପାଇଁ ଶୀର୍ଷ ନେତାଙ୍କ ଭିଡ଼ ଜମୁଛି । ତୁଳସୀକ୍ଷେତ୍ରରେ ବାଜି ମାରିବାକୁ ବଳଦେବଜୀଉଙ୍କ ଆଶୀର୍ବାଦ ନେଲେ ନବୀନ ।

286

କନକ ବ୍ୟୁରୋ: କେନ୍ଦ୍ରାପଡ଼ାରେ କମ୍ପୁଛି ପ୍ରଚାର । ଶେଷ ଲଢ଼େଇରେ ବାଜି ମାରିବାକୁ କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ବଳଦେବଜୀଉଙ୍କ ଆଶୀର୍ବାଦ ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସନ୍ଧ୍ୟାରେ କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ଠାରେ ନବୀନ ପହଁଚିବା ମାତ୍ରେ ବଡ଼ ଠାକୁରଙ୍କ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିଛନ୍ତି । କାରଣ ଚତୁର୍ଥ ପର୍ଯ୍ୟାୟର ଶେଷ ଲଢ଼େଇ ପାଇଁ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ପ୍ରଚାର ଜୋର ଧରିଥିବାବେଳେ ଆଜି ଖୋଦ୍ ବିଜେଡି ସୁପ୍ରିମୋ ମାରାଥନ୍ ପ୍ରଚାର କରିଛନ୍ତି ।

ସବୁଠାରୁ ବଡ଼କଥା ହେଲା ଯେ, ମନ୍ତ୍ରୀପଡ଼ା ଓ ବିଜୁଙ୍କ କର୍ମଭୂମୀ ଭାବେ ରାଜ୍ୟ ରାଜନୀତିରେ ବେଶ୍ ଦବଦବା ରଖିଥିବା କେନ୍ଦ୍ରାପଡ଼ାରେ ଏବେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଦେଖିବାକୁ ମିଳିଛି । ଯେଉଁଥି ପାଇଁ ଖୋଦ୍ ବିଜେଡି ସୁପ୍ରିିମୋ ନବୀନ ପଟ୍ଟନାୟକ ଏହାକୁ ବେଶ୍ ଗୁରୁତ୍ୱ ଦେଉଛନ୍ତି । ଆଉ ସମ୍ମାନର ଲଢ଼େଇରେ ବାଜି ମାରିବାକୁ ପ୍ରଚାର ଜରିଆରେ ଦମ୍ ଦେଖାଇଛନ୍ତି ନବୀନ । ତେବେ ଏହାପୂର୍ବରୁ କେନ୍ଦ୍ରାପଡ଼ା ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ମଧ୍ୟ ବଳଦେବଜୀଉଙ୍କ ଦର୍ଶନ କରି ଆଶୀର୍ବାଦ କାମନା କରିଥିଲେ ।

ଅନ୍ୟପଟେ ଆସନ୍ତା ୨୯ ତାରିଖରେ ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ଲଢ଼େଇ ଭାବେ ତୁଳସୀକ୍ଷେତ୍ରରେ ତାତି ଉଠୁଥିବା ଦେଖିବାକୁ ମିଳୁଛି । ତେବେ ବିଜେଡି ସୁପ୍ରିମୋଙ୍କ ଏଭଳି ମାରାଥନ ପ୍ରଚାର ବିଜେପି ପ୍ରାର୍ଥୀ ବୈଜୟନ୍ତଙ୍କ ଶିବିରରେ ଛନକା ଭରୁଛି । ଯେଉଁଥି ପାଇଁ ବିଜେପି ମଧ୍ୟ ନବୀନଙ୍କୁ ଚେକ୍ ଦେବାକୁ କମର କଷିଥିବା ଦେଖିବାକୁ ମିଳିଛି । ହେଲେ ହାତରେ ଆଉ ମାତ୍ର ଗୋଟିଏ ଦିନ, ଆସନ୍ତା କାଲି ସନ୍ଧ୍ୟାରେ ଶେଷ ହେବ ପ୍ରଚାର । ତେଣୁ ପ୍ରତିପକ୍ଷକୁ ମାତ୍ ଦେବାକୁ ପ୍ରଚାର ମୈଦାନରେ ଦିନରାତି ଏକ କରୁଛନ୍ତି ବିଜେଡି ଓ ବିଜେପି ।