ସୀମାରେ ତୀବ୍ର ଉତେଜନା ! ସୁନ୍ଦରବନୀରୁ ପୁଂଛ ଯାଏଁ ଗୁଳି ବର୍ଷା କରୁଛି ପାକିସ୍ତାନ, ୪ ଭାରତୀୟ ଯବାନ ସହିଦ, ୫ଆହତ

56

କନକ ବ୍ୟୁରୋ : ଜମ୍ମୁ-କଶ୍ମୀରରେ ନିୟନ୍ତ୍ରଣ ରେଖା ଅଞ୍ଚଳର ପୁଞ୍ଚ ଓ ରାଜୌରି ସେକ୍ଟରରେ ପାକିସ୍ତାନ ସେନାର ଆଖିବୁଜା ଗୁଳିମାଡ଼ ଯୋଗୁଁ ଭାରତୀୟ ସେନାର ଜଣେ ଯୁବ କ୍ୟାପଟେନ କପିଲ କୁଣ୍ଡୁଙ୍କ ସମେତ ଚାରି ଜଣ ସହିଦ ହୋଇଛନ୍ତି । ହରିଆନାର ଗୁଡ଼ଗାଓଁ ଜିଲ୍ଲା ଅନ୍ତର୍ଗତ ରଣସିକା ଗାଁର ସହିଦ କପଲଙ୍କୁ ଆସନ୍ତା ୧୦ ତାରିଖରେ ୨୩ ବର୍ଷ ପୂରିଥାନ୍ତା । ସହିଦ ହୋଇଥିବା ଅନ୍ୟ ଯବାନଙ୍କ ମଧ୍ୟରେ ଅଛନ୍ତି ରାଇଫଲମ୍ୟାନ ରାମ ଅବତାର, ଶୁଭମ୍ ସିଂହ ଏବଂ ହାବିଲଦାର ରୋଶନ ଲାଲ। ଦିନ ତମାମ ଚାଲିଥିବା ଗୁଳିବର୍ଷାରେ ଅନ୍ୟ ଜଣେ ଯବାନଙ୍କ ସମେତ ୫ଜଣ ମଧ୍ୟ ଗୁରୁତର ଆହତ ହୋଇଥିବା ଖବର ମିଳିଛି ।

ପୁଞ୍ଚ ଏବଂ ରାଜୌରି ଜିଲ୍ଲା ସୀମାରେ ଗତକାଲି ପୂର୍ବାହ୍ନ ୧୧ଟାରୁ ପାକ୍ ସେନା ଗୁଳିଗୋଳା ବର୍ଷା ଆରମ୍ଭ କରିଥିଲା । ରାଜୌରିର ଭିମ୍ବେର ଗାଲି ସେକ୍ଟରରେ ଭାରତୀୟ ସେନାର ଆଗୁଆ ପୋଷ୍ଟଗୁଡ଼ିକୁ ଟାର୍ଗେଟ କରି ପାକ୍ ସେନା ସ୍ୱୟଂଚାଳିତ ବନ୍ଧୁକରୁ ଗୁଳିମାଡ଼ କରିବାରୁ ଏଥିରେ ୩ ଜଣ ଯବାନ ଘଟଣାସ୍ଥଳରେ ହିଁ ସହିଦ ହୋଇଯାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ସେଭିଭଳି ଆଜି ସକାଳେ ପୁଞ୍ଚ ସେକ୍ଟରରେ ପାକିସ୍ତାନୀ ରେଞ୍ଜର୍ସ କରିଥିବା ମୋର୍ଟାର ମାଡ଼ରେ ଆଉ ୨ ଜଣ ଯବାନ ଏବଂ ୩ ଜଣ ସ୍ଥାନୀୟ ବାସିନ୍ଦା ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଆହତଙ୍କ ମଧ୍ୟରେ ଜଣେ ୧୫ ବର୍ଷର ନାବାଳିକା ଓ ଅନ୍ୟ ଜଣେ ୬ ବର୍ଷର ବାଳକ ମଧ୍ୟ ରହିଥିବା ଜଣାପଡ଼ିଛି । ଆଜି ପୁଞ୍ଚର ଶାହପୁର ସେକ୍ଟରରେ ୪ଟି ଗ୍ରାମକୁ ନିଶାଣ କରି ପାକିସ୍ତାନ ପ୍ରବଳ ମୋର୍ଟାର ମାଡ଼ କରିଥିଲା । ତେବେ ଗ୍ରାମବାସୀ ଘରଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇଯାଇଥିବାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଅପରପକ୍ଷେ, ଭାରତୀୟ ସେନା ପାକ୍ ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଉଥିବା ଖବର ମିଳିଛି ।

ଉଲ୍ଲେଖ ଥାଉ କି, ବର୍ଷ ଆରମ୍ଭରୁ ଏଯାବତ୍ ପାକିସ୍ତାନୀ ସେନା ୧୪୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିସାରିଥିବା ବେଳେ ଦୁଇ ଦିନରେ ଏହା ଚତୁର୍ତ ଉଲ୍ଳଂଘନ ବୋଲି ସେନା ପକ୍ଷରୁ କୁହାଯାଇଛି । ଚଳିତବର୍ଷ ଆଜି ସୁଦ୍ଧା ପାକ୍ ଗୁଳିମାଡ଼ରେ ମୃତ୍ୟୁ ସଂଖ୍ୟା ୧୮ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ୧୦ ଜଣ ଯବାନ୍ ରହିଥିବା ବେଳେ ଅନ୍ୟମାନେ ସ୍ଥାନୀୟ ବାସିନ୍ଦା । ଏହି ସମୟ ମଧ୍ୟରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ ୯୦ ଜଣ ମଧ୍ୟ ଆହତ ହୋଇଛନ୍ତି । ସୀମାରେ ସ୍ଥିତି ଆଶାନ୍ତ ଥିବାରୁ ନିୟନ୍ତ୍ରଣ ସୀମାରେଖା ନିକଟବର୍ତ୍ତୀ ଗ୍ରାମଗୁଡ଼ିକରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଥିବା ବେଳେ ଅନିର୍ଦ୍ଧିଷ୍ଟ କାଳ ପାଇଁ ୩ଶହ ସ୍କୁଲକୁ ବନ୍ଦ କରାଯାଇଛି । ଦୁଇଦିନ ତଳେ ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସେନାଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହେବାରୁ ସେମାନେ ସୀମାରେ ପରିସ୍ଥିତି ଅଶାନ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।