ସଞ୍ଜ ନଇଁଲେ ଜମୁଛି ଭୁବନେଶ୍ବର ବାଲିଯାତ୍ରା : ରାମଦୋଳି ଓ ବ୍ରେକ୍‌ ଡ୍ୟାନ୍‌ସରେ ଝୁମିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭୋର ହେଉଛନ୍ତି ଲୋକେ

298

କନକ ବ୍ୟୁରୋ : ସଞ୍ଜ ନଇଁଲେ ପାଦ ଛୁଟୁଛି ବାଲିଯାତ୍ରାକୁ । ଗୋଟେ ପାର୍ଶ୍ବରେ ରାମ ଦୋଳି ଓ ବ୍ରେକ୍‌ ଡ୍ୟାନ୍‌ସରେ ଝୁମିବାର ଅବକାଶ, ଅନ୍ୟ ପଟେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭୋର ହେବାର ଅବସର । ପୁଣି କେନ୍ଦୁଝରର ପୋଡ଼ା ମଟନ, ଚିଙ୍ଗୁଡ଼ି, କଙ୍କଡ଼ା ଓ ମାଛର ଗନ୍ଧ ଆମିଷାଷୀମାନଙ୍କୁ ଛାଡ଼ଖାଇ ମଜା ଚଖାଉଛି । ଐତିହାସିକ ପଟିଆବନ୍ଧ କଡ଼ ଜରିପାଟଣାସ୍ଥିତ କୁଆଖାଇ ନଦୀପଠା‌ରେ ଆୟୋଜିତ ବାଲିଯାତ୍ରାର ଆକର୍ଷଣ ଧୀରେଧୀରେ ବଢ଼ିବାରେ ଲାଗିଛି। ତୃତୀୟ ଦିନରେ ମଧ୍ୟ ଲୋକଙ୍କ ବିପୁଳ ସମାଗମ ଦେଖିବାକୁ ମିଳିଛି । ସଞ୍ଜ ନଇଁଲେ ନଈର ଉଭୟ ପାର୍ଶ୍ବରେ ଥିବା ବଙ୍ଗୁଆରୀ, ନହରକଣ୍ଟା, ହରିଦାସପୁର, ମଞ୍ଚେଶ୍ବର, ଜରିପାଟଣା, ବରିମୁଣ୍ଡ, କଲ୍ୟାଣପୁର, ଗଣ୍ଡରପୁର ଓ ମରିଚିଆ ବାସିନ୍ଦାଙ୍କ ସମାଗମ ସାଙ୍ଗକୁ ସହର ମଧ୍ୟରୁ ଅନେକ ଲୋକେ କଟକ ଅପେକ୍ଷା ଭୁବନେଶ୍ବର ବାଲିଯାତ୍ରାର ସୀମିତ ଭିଡ଼ ଭିତରେ ବୁଲିବା ପାଇଁ ପସନ୍ଦ କରୁଛନ୍ତି ।

ସୁରକ୍ଷା ଦୃଷ୍ଟିରୁ ପ୍ରଥମ ଦିନରୁ ବଡ଼ ଦୋଳି ପାଇଁ ଅନୁମତି ମିଳିନଥିଲେ ହେଁ ଏବେ ବଡ଼ ଦୋଳି ପାଇଁ ପ୍ରଶାସନରୁ ଅନୁମତି ମିଳିଛି ବୋଲି କମିଟିର କାର୍ଯ୍ୟକାରୀ ସଭାପତି ଜୀବନ କୁମାର ବଡ଼ୁ ସୂଚନା ଦେଇଛନ୍ତି । ଅନୁମତି ପରେ ବହୁ ସଂଖ୍ୟାରେ ଆଗନ୍ତୁକଙ୍କୁ ଭୁବନେଶ୍ବର ବାଲିଯାତ୍ରା ଆକର୍ଷିତ କରିଛି । ଆଜି ଭୁବନେଶ୍ବର ବାଲିଯାତ୍ରା କମିଟିର ସାଂସ୍କୃତିକ ମଞ୍ଚରେ କୋଲକାତାର ମେଲୋଡ଼ି ଗ୍ରୁପ୍‌ ପକ୍ଷରୁ ନାଚ ଗୀତର ଆସର ଜମିଥିବା ବେଳେ ଜୟଦେବ ଶିକ୍ଷା କେନ୍ଦ୍ରର ପିଲାମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ । ୧୦୦ଟି ଖାଦ୍ୟ ଷ୍ଟଲ୍‌ ଖୋଲିଥିବା ବେଳେ ବିଭିନ୍ନ ପାରମ୍ପରିକ ଖାଦ୍ୟ ସହ ଆମିଷ ଖାଦ୍ୟ ବଜାରରେ ଖୁବ୍‌ ଭିଡ଼ ଜମୁଛି । ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରୁ ବ୍ୟବସାୟୀମାନଙ୍କ ସମାଗମ ହୋଇଥିବାରୁ ଅପରାହ୍‌ଣରୁ କିଣାବିକା ଜମୁଛି ।

କଟକ ବାଲିଯାତ୍ରାର ଭିଡ଼କୁ ଏଡ଼ାଇବା ପାଇଁ ଜରିପାଟଣାସ୍ଥିତ ପଟିଆବନ୍ଧ ନିକଟ କୁଆଖାଇ ନଦୀପଠାରୁ ବିସ୍ତୀର୍ଣ୍ଣ ବାଲି ଭୂମିକୁ ଦୃଷ୍ଟିରେ ରଖି କିଛି ବ୍ୟକ୍ତି ୨୦୧୭ ମସିହାରେ ଏହି ବାଲିଯାତ୍ରାର ପରିକଳ୍ପନା କରିଥିଲେ। କମିଟିର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ସଭାପତି ଅଭୟ ବଡ଼ଜେନାଙ୍କ କହିବା ମୁତାବକ, ଏଥିପାଇଁ ୬ ଖଣ୍ଡ ଗାଁର ଲୋକଙ୍କ ନିଷ୍ପତ୍ତିକୁ ପ୍ରାଧାନ୍ୟ ଦିଆଯାଇଥିଲା । ବଙ୍ଗୁଆରି, ଧାଉଆ, ଶିଖରଚଣ୍ଡୀ, ମଞ୍ଚେଶ୍ବର, ଲକ୍ଷେଶ୍ବର ମନ୍ଦିରରେ ସ୍ଥାନୀୟ ଅଞ୍ଚଳର ମୁରବି ଶ୍ରେଣୀୟ ଲୋକଙ୍କୁ ନେଇ ବୈଠକ ହୋଇଥିଲା । ଏଥିପାଇଁ ପ୍ରଥମେ ସରକାର ମାତ୍ର ୨ ଦିନର ସମୟ ଦେଇଥିଲେ । ସେଇଠୁ ୩୦ଟି ଷ୍ଟଲ୍‌କୁ ନେଇ ବାଲିଯାତ୍ରା ଆରମ୍ଭ ହେଲା । ଅଳ୍ପ ସମୟ ବ୍ୟବଧାନରେ ଆୟୋଜିତ ଏହି ବାଲିଯାତ୍ରା ବୁଲିବାକୁ ଭିଡ଼ ବଢ଼ିବାକୁ ଲାଗିଲା । ପ୍ରଥମ ବର୍ଷର ଏ ଯାତ୍ରା ଏତେ ସଫଳତା ଦେଲା ଯେ, ଦ୍ବିତୀୟ ବର୍ଷ ଷ୍ଟଲ୍‌ ସଂଖ୍ୟା ୧୦ ଗୁଣ ବୃଦ୍ଧି ପାଇ ୩ ଶହରେ ପହଞ୍ଚିଥିଲା ବୋଲି ବ୍ରଜବନ୍ଧୁ ସ୍ବାଇଁ କହିଛନ୍ତି ।

Comments are closed.