ଚୋରର ବି ହୃଦୟ ଅଛି ! ଘରେ ପଶି ଚୋରି କଲା, ପରେ ଲାପଟପ୍ ମୋବାଇଲ୍ ରଖି ସାର୍ଟିଫିକେଟକୁ ବସରେ ପାର୍ସଲ କରି ଫେରାଇଦେଲା ଚୋର ।

1,475

କନକ ବ୍ୟୁରୋ : ଚୋରର ବି ହୃଦୟ ଅଛି । ହଠାତ ଏହା ଶୁଣିବା ବେଳକୁ ଆପଣଙ୍କୁ ଅଡୁଆ ଲାଗୁଥାଇପାରେ । ଆମେ ଏମିତି ଏକ କାହାଣୀ ଆପଣଙ୍କୁ କହିବୁ, ଯାହା ଜାଣିଲେ ଆପଣ ସହଜରେ ଏକଥାକୁ ବୁଝିପାରିବେ । ଚୋର ଫେରାଇଲା ଚୋରି ଜିନିଷ । ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଘଟଣା ଘଟିଛି ଭୁବନେଶ୍ୱରର ଶୈଳଶ୍ରୀ ବିହାର ଅଂଚଳରେ ।

ଚୋର ଚୋରି ବି କଲା ଆଉ ଜିନିଷ ବି ଫେରାଇଲା । ଚୋରଙ୍କ ଟାର୍ଗେଟରେ ଥିଲେ ଶୈଳଶ୍ରୀ ବିହାର ଅଂଚଳରେ ଭଡାରେ ରହୁଥିବା ଭଦ୍ରକର ଧରଣୀଧର ସାହୁ ଓ ସାଲେପୁରର ରିତେଶ କୁମାର ସାହୁ । ଗତ ୧୮ ତାରିଖ ଦିନର ଘଟଣା । ଏହି ଦୁଇ ଜଣଙ୍କ ଘରେ ପଶି କଳାକନା ବୁଲାଇଥିଲେ ଚୋର । ଦୁଇଟି ଲାପଟପ୍ ଓ ଗୋଟେ ମୋବାଇଲ ଫୋନ୍ ଲୁଟି ନେଇଥିଲେ । ଆଉ ପୁରା ଘଟଣାକୁ କଏଦ କରିଥିଲା ସିସିଟିଭି ।

ସିଟିଟିଭିର ଏହି ଚିତ୍ରକୁ ଦେଖନ୍ତୁ । ଅତି ସହଜରେ ଚୁପଚାପ୍ ରୁମ୍ ଭିତରକୁ ଆସି ଦୁଇ ଲାପଟପ୍ ବ୍ୟାଗ ଓ ମୋବାଇଲ ଫୋନ୍ ନେଇ କିପରି ଯାଉଛନ୍ତି ଚୋର । ସେହି ଲାପଟପ୍ ବ୍ୟାଗରେ ଧରଣୀଧରଙ୍କ ସମସ୍ତ ସାର୍ଟିଫିକେଟ ଥିଲା, ଯାହା ଚୋରି ହୋଇଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଥାନାରେ ଏତଲା ଦେବା ପରେ ୨୨ ତାରିଖ ଦିନ ସକାଳୁ ଆସିଥିଲା ଲୁଟେରାଙ୍କ ଫୋନ କଲ୍ । ସାର୍ଟିଫିକେଟକୁ ଆମେ ବସରେ ପଠେଇ ଦେଇଛୁ । ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ଯାଇ ନେଇଯିବ । ଫୋନରେ କିଛି ଏପରି କହିଥିଲା ଚୋର । ଧରଣୀ ଓ ରିତେଶ ଦୁହେଁ ବସଷ୍ଟାଣ୍ଡକୁ ଯାଇ ସାର୍ଟିଫିକେଟ ଆଣିଥିଲେ ।

ହେଲେ ଲ୍ୟାପଟପ କି ମୋବାଇଲ ଫୋନ ଫେରାଇନଥିଲା ଚୋର । ଚୋର ଲାପଟପ ଓ ମୋବାଇଲକୁ ରଖି ସାର୍ଟିଫିକେଟକୁ ଫେରାଇବା ଘଟଣାକୁ ନେଇ କୌତୁହଳ ସୃଷ୍ଟି ହୋଇଛି । ପୋଲିସ ନିକଟରେ ଦୁହେଁ ଏନେଇ ସୂଚନା ଦେଇଥିଲେ ମଧ୍ୟ ଏଯାଏଁ କାହାକୁ ଧରିବାରେ ସଫଳ ହୋଇନି ପୋଲିସ ।