ବାତ୍ୟା ପରେ ଛାରଖାର ହୋଇଯାଇଛି ବାଲୁଖଣ୍ଡ । ଆକାଶମାର୍ଗରୁ ଖାଁ ଖାଁ ଲାଗୁଛି ଅଭୟାରଣ୍ୟ, ବନବିଭାଗ ଜାରିକଲା ନିଖୋଜ ଚିତ୍ରା ହରିଣର ଫଟୋ

ଏ ହେଉଛି ଆକାଶମାର୍ଗରୁ ପୁରୀ-କୋଣାର୍କ ବେଳାଭୁମି ନିକଟସ୍ଥ ବାଲୁଖଣ୍ଡ ଅଭୟାରଣ୍ୟ

194

କନକ ବ୍ୟୁରୋ : ଏ ହେଉଛି ଆକାଶମାର୍ଗରୁ ପୁରୀ-କୋଣାର୍କ ବେଳାଭୁମି ନିକଟସ୍ଥ ବାଲୁଖଣ୍ଡ ଅଭୟାରଣ୍ୟ । ସାମୁଦ୍ରିକ ଝଡ ଫୋନି ଏଠାରେ ରଚିଯାଇଛି ଧ୍ୱଂସର ତାଣ୍ଡବଲୀଳା । ସବୁକିଛି ଛାରଖାର କରିଦେଇଛି ଭୟଙ୍କର ପବନ । ସବୁଜିମାରେ ଭରପୂର ଏହି ଅଭୟାରଣ୍ୟରେ ଏବେ ଧ୍ୱଂସସ୍ତୁପର ଭ୍ରମ ସୃଷ୍ଟି କରୁଛି । ଆଉ ଏଠାରେ ବାସ କରୁଥିବା ହଜାର ହଜାର ବନ୍ୟପ୍ରାଣୀଙ୍କୁ ନେଇ ଏବେ ସମସ୍ତଙ୍କ ମନରେ ସନ୍ଦେହ । ସବୁଠାରୁ ବଡ ପ୍ରଶ୍ନ ଉଠିଛି ଅଭୟାରଣ୍ୟରେ ରହୁଥିବା ୪ ହଜାରରୁ ଉଦ୍ଧ୍ୱର୍ ଚିତ୍ରା ହରିଣଙ୍କୁ ନେଇ । ହରିଣଙ୍କୁ ଠାବ କରିବାକୁ ବନବିଭାଗ ଆରମ୍ଭ କରିଦେଇଛି ଅପରେଶନ । ଡ୍ରୋନ କ୍ୟାମେରା ସାହାଯ୍ୟରେ ସେମାନଙ୍କୁ ଖୋଜିବା ଲାଗି ଅଂଟା ଭିଡିଛି ।

ଏହାରି ଭିତରେ ବନବିଭାଗକୁ ମିଳିଛି ଖୁସି ଖବର । ପାଟ୍ରୋଲିଂ କରିବା ବେଳେ ବାଲୁଖଣ୍ଡରେ ବନ କର୍ମଚାରୀ କିଛି ହରିଣଙ୍କ ସନ୍ଧାନ ପାଇଛନ୍ତି । ଏପରିକି ସେମାନଙ୍କ ଫଟୋଚିତ୍ର ମଧ୍ୟ ଉତୋଳନ କରିଛନ୍ତି । ତେଣୁ ହରିଣ ଗୁଡିକ ନିରାପଦ ଥିବା ନେଇ ଆଶା ବାନ୍ଧିଛି ବନବିଭାଗ ।  ଏକଦା ଚିତ୍ରା ହରିଣ ଓ କୃଷ୍ଣସାର ମୃଗ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବାଲୁଖଣ୍ଡ ଅଭୟାରଣ୍ୟରୁ କାଳକ୍ରମେ କୃଷ୍ଣସାର ବଂଶ ଲୋପ ପାଇଯାଇଥିଲା । କିନ୍ତୁ ଆଶାତୀତ ଭାବେ ଏଠାରେ ବୃଦ୍ଧି ପାଇଥିଲା ଚିତ୍ରା ହରିଣଙ୍କ ସଂଖ୍ୟା । ତେଣୁ ପୁଣିଥରେ ଏହି ଉଜୁଡା ଜଙ୍ଗଲକୁ ସଜାଡିବା ଓ ବନ୍ୟଜନ୍ତୁଙ୍କୁ ଫେରେଇ ଆଣିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ଲୋଡିଛି ବନବିଭାଗ ।