ମିଳୁନାହିଁ ପିଇବା ପାଣି ! ହନ୍ତସନ୍ତ ହେଉଛନ୍ତି ଲୋକ, ପାଣି ଲାଗି ଯିବାକୁ ପଡୁଛି ଦେଢକୋଷ ବାଟ

ମିଳୁନାହିଁ ପିଇବା ପାଣି !

63

କନକ ବ୍ୟୁରୋ : ପାଣି ମୁନ୍ଦେ ପାଇଁ ଆଉଟପାଉଟ ହେଉଛନ୍ତି ବୋଲଗଡ ବ୍ଲକର ପୋଡପାଟଣା ଓ ଜରିପଡା ଗାଁର ଲୋକେ । ସ୍ୱାଧିନତାର ୭୨ବର୍ଷ ପରେ ବି ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି ଏହି ଦୁଇଟି ଗ୍ରାମର ଲୋକେ । ପାନୀୟ ଜଳ ସମସ୍ୟା ଏଠାରେ ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଥିବା ବେଳେ ବାଧ୍ୟ ହୋଇ ଦେଢ କୋଷ ଦୂରରେ ଥିବା ଅନୁପଯୁକ୍ତ ନଳକୂପ ଉପରେ ନିର୍ଭର କରୁଛନ୍ତି ଲୋକେ ।

ପାଣି ପାଇଁ ହାହାକାର । ଯିବାକୁ ପଡୁଛି ଦେଢକୋଷ ଦୂର । ଏପରି ଅବସ୍ଥାରେ ଜୀବନ ବିତାଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସାରୁଗାଁ ପଂଚାୟତର ଜରିପଡା ଓ ପୋଡପାଟଣା ଗାଁର ଲୋକେ । ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୩୦ କିଲୋମିଟର ଦୂରରେ ଥିବା ଏହି ଦୁଇଟି ଗାଁରେ ରହୁଛନ୍ତି ପାଖାପାଖି ୨୫୦୦ରୁ ଉଦ୍ଧ୍ୱର୍ ଲୋକେ । ହେଲେ ପାନୀୟ ଜଳ ସମସ୍ୟା ଦୀର୍ଘ ଦିନରୁ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଥିବା ବେଳେ ଏଯାଏଁ ଏହାର କୌଣସି ସମଧାନ ହୋଇପାରିନି ।

ଗାଁ ଲୋକଙ୍କ ପାଇଁ ଗାଁ ଠୁ ଦେଢ କୋଷ ଦୂରରେ ରହିଛି ଏକ ନଳକୂଅ । କିନ୍ତୁ ସେଥିରୁ କଳଙ୍କି ପାଣି ବାହାରିବା କାରଣରୁ ସରକାର ଏହାକୁ ବ୍ୟବହାର ଅନୁପଯୋଗୀ କହି ବନ୍ଦ କରିଥିଲେ । ମାତ୍ର ପାଣିର ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ବାଧ୍ୟ ହୋଇ ଲୋକମାନେ ଏହି ନଳକୂପର ପାଣି ଓ ପାଖ ଗାଁ କୂଅ ଉପରେ ନିର୍ଭର କରୁଛନ୍ତି ।

ନିର୍ବାଚନ ଆସିଲେ ଏହି ଦୁଇଟି ଗାଁର ଲୋକଙ୍କୁ ମିଳେ ଗଦାଗଦା ପ୍ରତିଶୃତି । ହେଲେ ନିର୍ବାଚନ ସରିବା ପରେ ହୋଇପାରେନି ଲୋକଙ୍କ ଏହି ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ । ଏବେଠୁ ଖରାର ଯେଉଁ ପ୍ରକୋପ ସେଥିରେ ପାଣିମୁନ୍ଦେ ପାଇଁ ଲୋକେ ଛଟପଟ ହେଉଛନ୍ତି । ଆଉ ପାଣି ପାଇଁ ଯିବାକୁ ପଡୁଛି ବହୁ ଦୂର ।