ଶୀତରେ ଥରୁଛି ସାରା ଓଡ଼ିଶା । ଶିମିଳିପାଳରେ ତାପମାତ୍ରା ଶୂନ ଡିଗ୍ରୀ । ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ।

351

କନକ ବ୍ୟୁରୋ: ହାଡ଼ ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା । ଭୀଷଣ ଜାଡ ସହ ଥଣ୍ଡା ପବନ ଲୋକଙ୍କୁ କଲବଲ କରୁଛି । ଯେମିତି କାଶ୍ମୀର ପାଲଟି ଯାଇଛି ଆଭ୍ୟନ୍ତରୀଣ ଶିମିଳିପାଳ । ଏଠାରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀକୁ ଖସି ଆସିଛି । କେତେକ ସ୍ଥାନରେ ବରଫପାତ ହୋଇଥିବା ନଜରକୁ ଆସିଛି । ଏନେଇ ଶିମିଳିପାଳ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପାଣିପାଗ ବିଭାଗର ସୂଚନା ଅନୁସାରେ କନ୍ଧମାଳ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । କୋରାପୁଟ ସେମିଳିଗୁଡାରେ ୫ ଦଶମିକ ୭, ସୁନ୍ଦରଗଡ଼ କୋରେଇରେ ୬ ଦଶମିକ ୬, କୋରାପୁଟରେ ପାରଦ ରହିଛି ୭ ଦଶମିକ ୬ ଡିଗ୍ରୀ । ୧୬ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ସେହିପରି ଭୁବନେଶ୍ୱର ଓ କଟକର ତାପମାତ୍ରା ୧୨ ଡିଗ୍ରୀକୁ ଖସି ଆସିଛି ।

ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଆଜିଠାରୁ ଧୀରେ ଧୀରେ ଶୀତ କମିବ । ୨ରୁ ୩ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବ । ହେଲେ ଚିନ୍ତାର ବିଷୟ ହେଉଛି ୨ରୁ ୩ ଦିନ କୁହୁଡି ବଢିବ । ୨୪ ତାରିଖ ସକାଳ ପର୍ଯ୍ୟନ୍ତ ଘନ କୁହୁଡି ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଯାଜପୁର, ନୟାଗଡ଼, ପୁରୀ ଆଦି ସ୍ଥାନରେ ଆଜି ରାତି ଓ ଆସନ୍ତାକାଲି ସକାଳେ ଘନ କୁହୁଡିର ସମ୍ଭାବନା ରହିଛି । ସେହିପରି ଶନିବାର ରାତି ଓ ରବିବାର ସକାଳ ପାଇଁ ମଧ୍ୟ ବିଭିନ୍ନ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।