ରିଲିଜ୍ ହେଲା କିଙ୍ଗଖାନଙ୍କ ବହୁ ପ୍ରତିକ୍ଷୀତ ‘ଡଙ୍କି’ ଫିଲ୍ମ: ଫିଲ୍ମ ଦେଖିବାକୁ ସିନେମା ହଲରେ ପ୍ରବଳ ଭିଡ଼

162

କନକ ବ୍ୟୁରୋ: ସରିଲା ଅପେକ୍ଷା, ପରଦାକୁ ଆସିଲା କିଙ୍ଗ ଖାନ୍ ଶାହାରୁଖଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ଡଙ୍କି’ । ଚଳିତବର୍ଷ ଆରମ୍ଭରୁ ପଠାନ, ସେପ୍ଟେମ୍ବରରେ ଜୱାନ ପରେ ଏବେ ବକ୍ସ ଅଫିସରେ ବାଜି ମାରିବାକୁ ମୁକ୍ତିଲାଭ ହୋଇଛି କିଙ୍ଗଖାନଙ୍କ ବର୍ଷ ଶେଷର ସିନେମା ଡଙ୍କି । ଦୀର୍ଘ ୩ ମାସର ବ୍ୟବଧାନ ପରେ ଜବରଦସ୍ତ ଓପନିଂ ସହ ପରଦାକୁ ଫେରିଛନ୍ତି କିଙ୍ଗଖାନ୍ ଶାହାରୁଖ । ପ୍ରଥମ ଦିନରେ ମୁମ୍ବାଇ, ଦିଲ୍ଲୀ, ଭୁବନେଶ୍ୱର ସମେତ ଦେଶର ବିଭିନ୍ନ ସହରରେ ‘ଡଙ୍କି’ ଦେଖିବାକୁ ସିନେମାହଲ ଆଗରେ ଲାଗିଛି ଦର୍ଶକଙ୍କ ପ୍ରବଳ ଭୀଡ଼ । ଚଳିତ ବର୍ଷ କ୍ୟାରିୟରର ଶ୍ରେଷ୍ଠ ସଫଳତା ପାଇଥିବା ଶାହରୁଖଙ୍କ ପାଇଁ ଡଙ୍କି ମଧ୍ୟ ଆଉ ଏକ ବ୍ଲକବ୍ଲଷ୍ଟର ସାବ୍ୟସ୍ତ ହେବ ବୋଲି ଆଶାବାଦୀ ଅଛନ୍ତି ।

କମେଡି, ଟ୍ରାଜେଡି ଏବଂ ଫ୍ୟାମିଲି ଡ୍ରାମାକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମର କାହାଣୀ । ପ୍ରଥମଥର ପାଇଁ ଫିଲ୍ମରେ ଏକାଠି କାମ କରୁଛନ୍ତି ଶାହରୁଖ ଖାନ ଓ ବଲିଉଡ ନିର୍ଦ୍ଦେଶକ ରାଜକୁମାର ହିରାନୀ । ପୂର୍ବରୁ ସେ ସଞ୍ଜୁ, ପିକେ, ଥ୍ରୀ ଇଡିଅଟ, ମୁନା ଭାଇ ଏମ୍ବିବିଏସ୍ ଭଳି ସୁପରହିଟ୍ ସିନେମା ଭେଟିଦେଇଛନ୍ତି । ସେହିପରି ତାପସୀ ପନ୍ନୁଙ୍କ ସହ ବି ପ୍ରଥମଥର ସ୍କିନ୍ ଶେୟାର କରିଛନ୍ତି ବାଦଶାହା । ଏଥି ସହ ଫିଲ୍ମରେ ବିକ୍କି କୌଶଲ, ବୋମାନ ଇରାନୀ, ବିକ୍ରମ କୋଚର, ସୁନୀଲ ଗ୍ରୋଭରଙ୍କ ଭଳି ପ୍ରମୁଖ କଳାକାର ନଜର ଆସିଛନ୍ତି । ରିଲିଜ ପୂର୍ବରୁ ‘ଡଙ୍କି’ ପ୍ରାୟ ୪ ଲକ୍ଷ ଆଡଭାନ୍ସ ଟିକେଟ୍ ବିକ୍ରି କରି ୧୨ କୋଟିରୁ ଉଦ୍ଦ୍ୱର୍ ବ୍ୟବସାୟ କରି ରେକର୍ଡ କରିଛି । ଏଥିସହ ପ୍ରଥମ ଦିନର ଭିଡ଼ ଦେଖିବା ପରେ ଲାଗୁଛି ଫିଲ୍ମଟି ବକ୍ସଅଫିସରେ ବାଜି ମାରିବ ନିଶ୍ଚୟ ।