ଆମେରିକାକୁ ଅସ୍ତ୍ର ମାଗିଲେ ଜେଲେନସ୍କି । କହିଲେ, ୟୁକ୍ରେନକୁ କରାଯାଉ ନୋ ଫ୍ଲାଏ ଜୋନ ଘୋଷଣା । ନଚେତ୍ ଯୋଗାଇ ଦିଆଯାଉ ଯୁଦ୍ଧ ବିମାନ ଓ କ୍ଷେପଣାସ୍ତ୍ର

136

କନକ ବ୍ୟୁରୋ: ଆମେରିକାକୁ ଅସ୍ତ୍ର ମାଗିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଆମେରିକା କଂଗ୍ରେସରେ ଉଦବୋଧନ ଦେବା ବେଳେ ଭାବବିହ୍ୱଳ ହୋଇପଡିଲେ ଜେଲେନସ୍କି । ଆମେରିକୀୟ ସାଂସଦମାନେ ୟୁକ୍ରେନ ସମ୍ପର୍କରେ ଚିନ୍ତା କଲାବେଳେ ୯/୧୧ ଆକ୍ରମଣ ସମ୍ପର୍କରେ ଚିନ୍ତା କରନ୍ତୁ । ଯଦି ନୋ ଫ୍ଲାଏ ଜୋନ ଘୋଷଣା ସମ୍ଭବ ହେଉନାହିଁ ତାହେଲେ, ୟୁକ୍ରେନକୁ ଆମେରିକା ଯୁଦ୍ଧ ବିମାନ ଏବଂ କ୍ଷେପଣାସ୍ତ୍ର ଯୋଗାଇଦେଉ ବୋଲି କହିଛନ୍ତି ଜେଲେନସ୍କି । ସେପଟେ ଆତ୍ମରକ୍ଷା ପାଇଁ ରୁଷ, ୟୁକ୍ରେନରେ ସ୍ୱତନ୍ତ୍ର ସାମରିକ ଅପରେସନ କରିଛି ବୋଲି କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ।

ଦିନକୁ ଦିନ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲଢେଇ ଜୋରଦାର ହେବାରେ ଲାଗିଛି । ଦୁଇ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ଭିତରେ ଆମେରିକା କଂଗ୍ରେସକୁ ଭାବବିହ୍ୱଳ ନିବେଦନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି । ବୁଧବାର ଆମେରିକା କଂଗ୍ରେସରେ ଭର୍ଚୁଆଲ ମାଧ୍ୟମରେ ଉଦବୋଧନ ଦେଇ ଜେଲେନସ୍କି ଯୁଦ୍ଧ ବନ୍ଦ ଏବଂ ଶାନ୍ତି ପାଇଁ ଅପିଲ କରିଛନ୍ତି । ଏଥିସହ ରୁଷିଆ ଆକ୍ରମଣରୁ ୟୁକ୍ରେନବାସୀଙ୍କୁ ରକ୍ଷା କରିବା ପାଇଁ ନିବେଦନ କରି ଆମେରିକାରେ ହୋଇଥିବା ୯/୧୧ ଆକ୍ରମଣ କଥା ମନେପକାଇଛନ୍ତି । ଭୋଲଦୋମିର ଜେଲେନସ୍କି କହିଛନ୍ତି, ରୁଷ୍ ୟୁକ୍ରେନର ମୂଲ୍ୟବୋଧ, ସଂସ୍କୃତି ଏବଂ ବଞ୍ଚିବାର ଅଧିକାର ଉପରେ ଆକ୍ରମଣ କରିଛି ଏବଂ ୟୁକ୍ରେନର ଜାତୀୟ ସ୍ୱାର୍ଥକୁ ଏହା ଆଘାତ ପହଞ୍ଚାଇଛି । ଆମେରିକୀୟ ମାନେ ନିଜର ସୁରକ୍ଷା ଓ ସମ୍ମାନ ନେଇ ଯେଉଁ ସ୍ୱପ୍ନ ଦେଖିଥିଲେ, ୟୁକ୍ରେନବାସୀ ମଧ୍ୟ ସେଭଳି ସ୍ୱପ୍ନକୁ ସାକାର କରିବାକୁ ପ୍ରୟାସରତ ଥିବା ବେଳେ ଆମ ଉପରେ ଆକ୍ରମଣ ହୋଇଛି ।

ତେବେ ଆମେରିକୀୟ ସାଂସଦମାନେ ୟୁକ୍ରେନ ସମ୍ପର୍କରେ ଚିନ୍ତା କଲାବେଳେ ୯/୧୧ ଆକ୍ରମଣ ସମ୍ପର୍କରେ ଚିନ୍ତା କରନ୍ତୁ । ଯଦି ନୋଫ୍ଲାଏ ଜୋନ ଘୋଷଣା ସମ୍ଭବ ହେଉନାହିଁ ତାହେଲେ, ୟୁକ୍ରେନକୁ ଆମେରିକା ଯୁଦ୍ଧ ବିମାନ ଏବଂ କ୍ଷେପଣାସ୍ତ୍ର ଯୋଗାଇ ଦେଉ । ୟୁକ୍ରେନରେ ରୁଷ ମାନବିକତାର ଉଲ୍ଲଙ୍ଘନ କରୁଛି । ତେଣୁ ଯଦି ୟୁକ୍ରେନକୁ ସୁରକ୍ଷା ଏବଂ ସହାୟତା ପ୍ରଦାନ କରିବାରେ ଅଛି ତେବେ ଏବେ ଦିଅନ୍ତୁ, ନଚେତ୍ ସହାୟତା ବହୁ ବିଳମ୍ବ ହୋଇଯିବ । ଆମେରିକା କଂଗ୍ରେସରେ ରାଷ୍ଟ୍ରପତି ଜେଲେନସ୍କିଙ୍କ ଅଭିଭାଷଣ ପରେ ତାଙ୍କୁ ସେଠାରେ ଷ୍ଟାଣ୍ଡିଂ ଓଭେସନ୍ ମିଳିଛି । ଆମେରିକା କଂଗ୍ରେସର ସମସ୍ତ ସଦସ୍ୟ ଛିଡା ହୋଇ ରାଷ୍ଟ୍ରପତି ଜେଲେନସ୍କିଙ୍କ ପାଇଁ ତାଳି ମାରିଛନ୍ତି ।

ଆମେରିକା କଂଗ୍ରେସରେ ଉଦବୋଧନ ଅବସରରେ ରୁଷିଆ ଆକ୍ରମଣରେ ୟୁକ୍ରେନବାସୀ କିପରି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି, ସେସବୁର କେତେକ ଭିଡିଓ ଦେଖାଇଥିଲେ ଜେଲେନସ୍କି । ଆଉ ରୁଷ କେମିତି ମାନବିକତାର ଉଲ୍ଲଙ୍ଘନ କରୁଛି ସେ ନେଇ କହିବା ବେଳେ ଭାବପ୍ରବଣ ହୋଇପଡିଥିଲେ ୟୁକ୍ରେନ ରାଷ୍ଟ୍ରପତି । ତେଣୁ ଯଦି ୟୁକ୍ରେନକୁ ସୁରକ୍ଷା ଏବଂ ସହାୟତା ପ୍ରଦାନ କରିବାରେ ଅଛି ତେବେ ଏବେ ଦିଅ, ନଚେତ ସହାୟତା ବହୁ ବିଳମ୍ବ ହୋଇଯିବ ବୋଲି କହିଛନ୍ତି ଜେଲେନସ୍କି ।

ଅପରପକ୍ଷରେ ୟୁକ୍ରେନକୁ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୟାନ ରଖି କହିଛନ୍ତି, ୟୁକ୍ରେନରେ ସାମରିକ ଅପରେସନ ସଫଳ ହୋଇଛି ଏବଂ ଏହି ରାଷ୍ଟ୍ରକୁ ଅକ୍ତିଆର କରିବାକୁ ଆମେ କଦାପି ଚାହିଁବୁ ନାହିଁ । ୟୁକ୍ରେନରେ ସ୍ୱତନ୍ତ୍ର ସାମରିକ ଅପରେସନ କରିବା ଛଡା ଆମ ପାଖରେ ଅନ୍ୟ କୌଣସି ବାଟ ନଥିଲା । ଆତ୍ମରକ୍ଷା ପାଇଁ ରୁଷ, ୟୁକ୍ରେନରେ ସ୍ୱତନ୍ତ୍ର ସାମରିକ ଅପରେସନ କରିଛି । ତେବେ ଅପରେସନ ଆରମ୍ଭକୁ କିଭ୍ କର୍ତ୍ତୃପକ୍ଷ ମାନଙ୍କୁ ପ୍ରଥମେ ଡୋନବାସରୁ ସୈନ୍ୟ ପ୍ରତ୍ୟାହାର ପାଇଁ କୁହାଯାଇଥିଲା । କିନ୍ତୁ ସେମାନେ କଲେନାହିଁ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ରାସ୍ତା ଖୋଲିଦେଲେ । ଏହା ପୂର୍ବରୁ ଜେଲେନସ୍କି ବ୍ରିଟେନ ଓ ଅନ୍ୟ କେତେକ ରାଷ୍ଟ୍ରର ସଂସଦକୁ ମଧ୍ୟ ସମ୍ବୋଧନ କରି ଏଭଳି ସହାୟତା ଲୋଡିଥିଲେ । ରୁଷ ଆକ୍ରମଣ ମୁକାବିଲା ପାଇଁ ୟୁକ୍ରେନ, ଆମେରିକା ଓ ୟୁରୋପୀୟ ରାଷ୍ଟ୍ର ସହାୟତାରେ ଏକ ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବାରୁ ଶାନ୍ତି ଆଲୋଚନାରେ ମଧ୍ୟ ଏହା ଏକ ବାଧକ ସାଜୁଛି ବୋଲି କୂଟନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି ।