ଧର୍ମେନ୍ଦ୍ରଙ୍କ ନେତୃତ୍ୱକୁ ନେଇ ଉତ୍ତର ରଖିଲେ ଭୁବନେଶ୍ୱର ସାଂସଦ: ସଂଗଠନ ପାଇଁ ଧର୍ମେନ୍ଦ୍ରଙ୍କ ଗୁରୁତ୍ୱ ବଖାଣିଲେ ଅପରାଜିତା ଷଡଙ୍ଗୀ

112

କନକ ବ୍ୟୁରୋ: ଆଦରଣୀୟ ଧର୍ମେନ୍ଦ୍ର ପ୍ରଧାନ ଦଳର ବରିଷ୍ଠ ନେତା । ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ତାଙ୍କ ନିକଟରେ ଅଛି । ସେ କେନ୍ଦ୍ର ମନ୍ତ୍ରୀ, ନିଶ୍ଚିତ ଭାବରେ ଆମେ ସମସ୍ତେ ତାଙ୍କ ଠାରୁ ପ୍ରେରଣା ପାଉଛୁ । ପଂଚାୟତରେ ବିପର୍ଯ୍ୟୟ ପରେ ରାଜ୍ୟ ବିଜେପିରେ ଦୃଢ ନେତୃତ୍ୱକୁ ନେଇ ଉଠିଥିବା ଝଡ, ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଯାଏଁ ପହଁଚିଛି । ମାପିଚୁପି ବୟାନ ରଖି ସବୁବେଳେ ବିବାଦ ଠାରୁ ଦୂରରେ ରହିବାକୁ ଚେଷ୍ଟା କରୁଥିବା ଅପରାଜିତା, ଧର୍ମେନ୍ଦ୍ରଙ୍କ ନେତୃତ୍ୱକୁ ନେଇ ଥିବା ପ୍ରଶ୍ନକୁ ରକ୍ଷଣାତ୍ମକ ଶୈଳୀରେ ଉତର ଦେଇଥିଲେ ।

ଆଦରଣୀୟ ଧର୍ମେନ୍ଦ୍ର ପ୍ରଧାନ ଦଳର ବରିଷ୍ଠ ନେତା । ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ତାଙ୍କ ନିକଟରେ ଅଛି । ସେ କେନ୍ଦ୍ର ମନ୍ତ୍ରୀ, ନିଶ୍ଚିତ ଭାବରେ ଆମେ ସମସ୍ତେ ତାଙ୍କ ଠାରୁ ପ୍ରେରଣା ପାଉଛୁ । ସଂଗଠନର ଦାୟିତ୍ୱ ନେବାକୁ ପ୍ରସ୍ତୁତ ଅଛନ୍ତି କି ବୋଲି ଯେତେବେଳେ ପ୍ରଶ୍ନ ରଖାଯାଇଥିଲା, ସେ କହିଥିଲେ, ଲୋକଙ୍କ ସେବା କରିବାକୁ ଆସିଛନ୍ତି, ପଦ ପଦବୀ ପାଇଁ ନୁହେଁ ।

ମୁଁ ବେଶ ସାଧାରଣ ଲୋକ । ଭାରତୀୟ ଜନତା ପାର୍ଟିର ଜଣେ ସାଧାରଣ କର୍ମୀ । ୨୪ ବର୍ଷର ପ୍ରଶାସନିକ ସେବାକୁ ଛାଡିକି ଆସିଛି, ଲୋକଙ୍କ ପାଇଁ କାମ କରିବାକୁ । କୈାଣସି ପଦ ପଦବୀ ପାଇଁ ମୁଁ କାର୍ଯ୍ୟ କରୁନାହିଁ । ସେବା କରିବା ପାଇଁ ଆସିଛି, ସେବା କରୁଥିବି । କୈାଣସି ପଦ ପଦବୀ ପାଇଁ ଲାଳସା ନାହିଁ ।

ପୂର୍ବରୁ ଦଳର ସାଂସଦ, ବରିଷ୍ଠ ନେତା ଦୃଢ ନେତୃତ୍ୱ ପାଇଁ ରଖିଥିବା ବୟାନ ସଂଗଠନ ଭିତରେ ଆଲୋଡନ ସୃଷ୍ଟି କରିଥିଲା । କିଏ ଦଳର ମଙ୍ଗ ଧରିଲେ ଦଳ ଭଲ ପ୍ରଦର୍ଶନ କରିବା ନେଇ ଚର୍ଚ୍ଚା ଭିତରେ ବିଷ୍ଣୁ ସେଠୀ କହିଥିଲେ, ଧର୍ମେନ୍ଦ୍ର ପ୍ରଧାନଙ୍କ ବିକଳ୍ପ କେହି ନାହାନ୍ତି ।

ଆଶ୍ଚର୍ଯ୍ୟର କଥା ହେଉଛି, ବୟାନକୁ ୨୪ ଘଂଟାରୁ ଅଧିକ ସମୟ ବିତିଥିଲେ ମଧ୍ୟ ବିଷ୍ଣୁଙ୍କ ସମର୍ଥନରେ କେହି ବାହାରି ନାହାନ୍ତି । ସାଂସଦ ସୁରେଶ ପୁଜାରୀ, ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ କହିଥିଲେ ଦଳକୁ ମଜଭୁତ ଚେହେରା ଦରକାର, ହେଲେ କାହାର ନାଁ ନେଇନଥିଲେ ।

ପଂଚାୟତ ନିର୍ବାଚନରେ ବିପର୍ଯ୍ୟୟ ପରେ ଅନେକ ଅଙ୍ଗୁଳି ଧର୍ମେନ୍ଦ୍ରଙ୍କ ଆଡକୁ ଉଠିଥିଲା । କାରଣ ସେ ରାଜ୍ୟ ସଂଗଠନ ଠାରୁ ସଂପୁର୍ଣ୍ଣ ଭାବେ ନିଜକୁ ଦୂରେଇ ରଖିଥିଲେ । ହେଲେ ୟୁପିରେ ବିଜେପି ଜିତିବା ପରେ ପ୍ରଭାରୀ ଭାବେ ପୁଣି ଏକ ଦୃଢ ନେତୃତ୍ୱ ହୋଇ ଉଭା ହୋଇଥିଲେ ଧର୍ମେନ୍ଦ୍ର । ଆଉ ଏବେ ଅପରାଜିତାଙ୍କ ବୟାନ ପରେ, ରାଜ୍ୟ ସଂଗଠନରେ କେନ୍ଦ୍ରମନ୍ତ୍ରୀଙ୍କ ଭୂମିକା ଏବଂ ପ୍ରଭାବ ସ୍ପଷ୍ଟ ବାରି ହେଉଛି । ହେଲେ ଆଗାମୀ ଦିନରେ ତାଙ୍କୁ ଦାୟିତ୍ୱ ଦେଇ ବିଜେପିକୁ ମଜଭୁତ କରିବାକୁ ଉଦ୍ୟମ କରାଯିବ କି, ତାଉପରେ ନଜର ରହିଛି ।