ଯୁବତୀଙ୍କୁ ଅପହରଣ , ହତ୍ୟା ମାମଲାରେ ଜେଲ ଭୋଗୁଛନ୍ତି ଯୁବକ । ହେଲେ ୮ ବର୍ଷ ପରେ ଜିଇଁ ଉଠିଲେ ଯୁବତୀ! ଏପରି ଥିଲା ଷଡଯନ୍ତ୍ରର ପୁରା କାହାଣୀ

622

କନକ ବ୍ୟୁରୋ: ବିନା ଦୋଷରେ ଜେଲରେ କଟିଗଲା ଯୌବନ । ମାନସମ୍ମାନ ସହ ନଷ୍ଟ ହୋଇଗଲା ଭବିଷ୍ୟତ । ଯେଉଁ ଯୁବତୀଙ୍କ ହତ୍ୟା ମାମଲାରେ ହୋଇଥିଲା ଜେଲ ଦଣ୍ଡ ସେ ଏବେ ଜୀବିତ ।କାନକୁ କଡା ଲାଗୁଥିଲେ ବି ଏହାସତ । ଉତ୍ତରପ୍ରଦେଶ ଆଲିଗଡରେ ଘଟିଛି ଏଭଳି ଘଟଣା । ଯେଉଁ ଯୁବତୀଙ୍କ ହତ୍ୟା କରିବା ଅଭିଯୋଗରେ ଆଜିକୁ ୮ ବର୍ଷ ହେବ ଜେଲ ଦଣ୍ଡ ଭୋଗୁଛନ୍ତି ଯୁବକ, ସେ କିନ୍ତୁ ଏବେବି ଜୀବୀତ, ବେଶ୍ ମଜାରେ ଜୀବନ କାଟୁଛନ୍ତି । ତାଙ୍କୁ ପୋଲିସ ଗିରଫ କରି ମାମଲାର ତନାଘନା ଚଳାଇଛି ।

ବେଳେବେଳେ ଦୁଭାର୍ଗ୍ୟ ଏପରି ଆସେ କିଛି ଦୋଷ ନଥାଇ ବି ଦଣ୍ଡ ଭୋଗେ ମଣିଷ । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ଆଲିଗଡରେ, ଯାହା ଖୋଦ୍ ପୋଲିସକୁ ଚକିତ କରିଛି । ସୂଚନା ମୁତାବକ, ଯେଉଁ ଯୁବତୀଙ୍କୁ ଅପହରଣ ଓ ପରେ ହତ୍ୟା କରାଯିବା ଅଭିଯୋଗରେ ଯୁବକ ଦୀର୍ଘ ବର୍ଷ ହେବ ଶାସ୍ତି ଭୋଗୁଛନ୍ତି ସେହି ଯୁବତୀ ବଞ୍ଚିଥିବା ଜଣାପଡିବା ପରେ ଏବେ ପୁଅକୁ ନ୍ୟାୟ ଦାବି କରି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଯୁବକଙ୍କ ମା’

ଏ ଘଟଣା ହେଉଛି ୨୦୧୫ର । ଆଲିଗଡ ଢାଠୌଲି ଗାଁର ଯୁବତୀଙ୍କୁ ଅପହରଣ କରି ନେଇ ହତ୍ୟା କରାଯାଇଛି ବୋଲି ପୋଲିସରେ ମାମଲା ଦାଏର କଲେ ଯୁବତୀଙ୍କ ପରିବାର ଲୋକେ । ସେତେବେଳେ ଯୁବତୀ ମେଟ୍ରିକରେ ପଢୁଥିଲେ । ପରେ ଆଗ୍ରାରୁ ପୋଲିସ ହାତରେ ଲାଗିଥିଲା ଜଣେ ଯୁବତୀଙ୍କ ଗଳିତ ଶବ । ଏହାକୁ ନିଜ ଝିଅର ବୋଲି ପରିବାର ଲୋକେ ଚିହ୍ନଟ କରିବା ପରେ ଯୁବକ ବିଷ୍ଣୁ ବୃନ୍ଦାବନଙ୍କୁ ପୋଲିସ ଉଠାଇନେଲା । ମାମଲାରେ ବିଷ୍ଣୁଙ୍କୁ ଅଭିଯୁକ୍ତ ପ୍ରମାଣିତ କରାଯାଇ ଜେଲ ବି ହୋଇଗଲା । ଅନେକ ଚେଷ୍ଟା କରି ବିଷ୍ଣୁଙ୍କୁ ବେଲରେ ଅଣାଯାଇଥିଲେ ବି କଡା ଷଡଯନ୍ତ୍ର ଓ ମାମଲାର ବିଚାର ଆଳରେ ତାଙ୍କୁ ପୁଣି ବାନ୍ଧିନେଲା ପୋଲିସ ।

ହେଲେ ସାହାସ ହରାଇଲେନିି ମା’ ସୁନିତା । ତାଙ୍କ ପୁଅ ଯେ ନିର୍ଦ୍ଦୋଷ ଏବଂ ତାକୁ ଫଶାଇ ଦିଆଯାଇଛି ବୋଲି ଜାଣିଥିଲେ ସୁନିତା । ପୁଅକୁ ଜେଲ ହୋଇଥିଲେ ବି ଚୁପ୍ ବସିନଥିଲେ ମା’ ସୁନିତା । ପୁଅକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାକୁ ଅଣ୍ଟା ଭିଡିଲେ । ଆଉ ଦୀର୍ଘ ୮ ବର୍ଷ ପରେ ତାଙ୍କୁ ସଫଳତା ମିଳିଲା । ଦୀର୍ଘ ୮ ବର୍ଷ ପରେ ଜାଣିବାକୁ ପାଇଲେ ଯେ, ପ୍ରକୃତରେ ଯୁବତୀଙ୍କ ମୃତ୍ୟୁ ହୋଇନାହିଁ, ସେ ଜୀବିତ । ଯୁବତୀ ଜଣକ ହାଥରସ୍ ଗେଟ୍ ଅଞ୍ଚଳରେ ବିବାହ କରି ସ୍ୱାମୀ ଓ ୨ ପିଲାଙ୍କ ସହ ବେଶ୍ ହସଖୁସିରେ ଦିନ କାଟୁଛନ୍ତି । ବିଷ୍ଣୁଙ୍କ ମା’ ପୋଲିସକୁ ଏହା ଜଣାଇବା ପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଗିରଫ କରି କୋର୍ଟରେ ହାଜର କରିଛି ।

ଅନ୍ୟପଟେ ନିଜ ପୁଅକୁ ନ୍ୟାୟ ଦିଆଯାଇ ଜେଲରୁ ମୁକ୍ତ କରିବାକୁ ଦାବି କରି ସମ୍ପୃକ୍ତ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ପୀଡିତ ଯୁବକଙ୍କ ମା’ । ଆଇନଗତ ଅନୁସନ୍ଧାନ ପରେ ବିଷ୍ଣୁଙ୍କୁ ମୁକ୍ତ କରାଯାଇପାରେ ବୋଲି କହିଛି ପୋଲିସ ।

କେବଳ ବିଷ୍ଣୁ କାହିଁକି ଆମ ସମାଜରେ ଅନେକ ବିଷ୍ଣୁ ଅଛନ୍ତି ଯେଉଁମାନେ ବିନା କାରଣରୁ ଦଣ୍ଡ ପାଇ ସର୍ବସ୍ୱାନ୍ତ ହେଉଛନ୍ତି । ତେଣୁ ଏଭଳି ଘଟଣାରେ ନ୍ୟାୟପାଳିକା ତୁରନ୍ତ ନ୍ୟାୟ ଦେବା ଜରୁରୀ ମନେହୁଏ ।