କାହାକୁ ଡରିଗଲା ଡ୍ରାଗନ? ଏସିଆନ ସମ୍ମିଳନୀରେ କ’ଣ କହିଲା ଚୀନ?

317

କନକ ବ୍ୟୁରୋ : ଦକ୍ଷିଣ ଚୀନ ସାଗରଠୁ ଆରମ୍ଭ କରି ବହୁ ପଡୋଶୀ ଦେଶର ଅଂଚଳକୁ ନିଜର ବୋଲି ଦାବି କରୁଥିବା ଚୀନ ଏବେ ଏକଲା ପଡିଯାଇଛି । ଚାରିଆଡୁ ବିରୋଧ ପରେ ମୁହଁ ଫୁଟାଣି ମାରୁଥିବା ବେଞ୍ଜିଂ ଏବେ ଶୀତଲ ଯୁଦ୍ଧର ବିଳାପ କରୁଛି । ଏସିଆନ ସମ୍ମିଳନୀ ମଂଚରେ ଚୀନ ପ୍ରଧାନମନ୍ତ୍ରୀ ଲି କିଆଙ୍କ ଯେଉଁ ବୟାନ ଦେଇଛନ୍ତି, ସେଥିରୁ ଏହିକଥା ଅନୁମାନ କରିହେଉଛି । ବୁଧବାର ଚୀନ ପ୍ରଧାନମନ୍ତ୍ରୀ ଲି-କିଆଙ୍କ ଜାକର୍ତାରେ ଆୟୋଜିତ ସମ୍ମୀଳନୀରେ କହିଥିଲେ, ଦୁନିଆକୁ ଶୀତଲ ଯୁଦ୍ଧରୁ ଦୁରେଇ ରହିବାକୁ ହେବ । କାହା ବିରୋଧରେ କୌଣସି ପ୍ରକାର ମେଳି ବା କ୍ଷେତ୍ରୀୟ ପ୍ରତିଦ୍ୱନ୍ଦ୍ୱିତାରୁ ମଧ୍ୟ ଦୂରେଇ ରହିବା ଉଚିତ । ବର୍ତ୍ତମାନର ସ୍ଥିତି କାହା ସପକ୍ଷରେ କିମ୍ବା ବିପକ୍ଷରେ ଗୋଷ୍ଠୀବଦ୍ଧ ହେବା ମାନବ ସମାଜ ପାଇଁ ମଙ୍ଗଳକାରକ ନୁହେଁ । ବରଂ ସଠିକ ଢଙ୍ଗରେ, ଆଲୋଚନା ଜରିଆରେ ମତଭେଦ, ବିବାଦର ସମାଧାନ କରିବା ବର୍ତ୍ତମାନ ସମୟର ଜରୁରୀ ପଦକ୍ଷେପ ।

ବିଶ୍ୱ ସମୁଦାୟଙ୍କ ଆଗରେ ଚୀନର ଯାହା ଚିତ୍ର ଓ ଚରିତ୍ର ଠିକ ତାର ଓଲଟା କଥା କହୁଛି ବେଞ୍ଜିଂ । ଚୀନର ଏପରି କହିବା ପଛରେ ୨ଟ କାରଣ ଥିବା ଚର୍ଚ୍ଚା ହେଉଛି । ପ୍ରଥମଟି ହେଉଛି ଦକ୍ଷିଣ ଚୀନ ସାଗର ମାମଲାରେ ଆମେରିକା, ଜାପାନ ସମେତ ବିଶ୍ୱସ୍ତରୀୟ ଶକ୍ତି ବେଞ୍ଜିଂକୁ ବିରୋଧ କରୁଛନ୍ତି । ଦ୍ୱିତୀୟ କାରଣ ହେଉଛି ସପ୍ତାହେ ତଳେ ଚୀନ ଜାରି କରିଥିବା ନୂଆ ମାନଚିତ୍ରକୁ ଭାରତ, ଜାପାନ, ଫିଲିପାଇନ୍ସ ସମେତ ୬ଟି ଦେଶ ଗୋଟିଏ ସ୍ୱରରେ ବିରୋଧ କରିଛନ୍ତି । ଏହି ଦୁଇ ପ୍ରସଙ୍ଗରେ ବିଶ୍ୱର ପ୍ରଭାବଶାଳୀ ରାଷ୍ଟ୍ରଙ୍କ ଏକଜୁଟତାର ଚକ୍ରବ୍ୟୁହ ଭିତରେ ଚୀନ ଫସିଯାଇଛି । ତେଣୁ ଭୟରେ ଶାନ୍ତିର କଥା କହୁଥିବା ଚର୍ଚ୍ଚା ହେଉଛି ।

ଦକ୍ଷିଣ ଚୀନ ସାଗର ଓ ନୂଆ ମାନଚିତ୍ରକୁ ନେଇ ଚାରିପଟୁ ଘେରିଯିବା ପରେ ଚୀନ ଯେଉଁ ଶାନ୍ତିର କଥା କହୁଛି, ସେହି ନୀତିରେ ନିଜେ କେତେ ଦିନ କାଏମ ରହୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।